ଚୋରଙ୍କ ଆତଙ୍କ, ତିନି ଦିନରେ ତିନି ମନ୍ଦିରରୁ ଲୁଟ୍
ଛେଣ୍ଡିପଦାରେ ବଢୁଛି ଚୋରଙ୍କ ଆତଙ୍କରାଜ। ତିନି ଦିନରେ ତିନି ମନ୍ଦିରରୁ କଲେଣି ଲୁଟ୍। ପୋଲିସ ହାତ ଖାଲି। ଅସନ୍ତୋଷ ଗ୍ରାମବାସୀ।
ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକରେ ଥିବା ମନ୍ଦିର ଗୁଡିକ ଏବେ ଚୋରଙ୍କ ଟାର୍ଗେଟରେ। ଗତ ତିନି ଦିନ ହେଲା କ୍ରମାଗତ ଭାବେ ବ୍ଲକରେ ମନ୍ଦିର ହୁଣ୍ଡି ଚୋରି ହେଉଛି। ପ୍ରଥମେ ଜରପଡ଼ା ଥାନା ତୁକୁଡା ଦକ୍ଷିଣକାଳୀ ମନ୍ଦିରର ହୁଣ୍ଡି ଭାଙ୍ଗି ୩୦ହଜାର ଟଙ୍କା ଚୋରୀ, ତା’ପରେ ପାତ୍ରପଡ଼ା ମା’ ବାୟାଣୀଙ୍କ ମନ୍ଦିରରୁ ମାଙ୍କର ପ୍ରାୟ ୪ଶହ ଗ୍ରାମରୁ ଉର୍ଦ୍ଧ ରୂପା ମୁକୁଟ ଓ ଗହଣା ଚୋରୀ ପରେ ଆଜି ଛେଣ୍ଡିପଦା ଥାନା କୋଶଳା ଗ୍ରାମର ମା’ ରାମଚଣ୍ଡୀ ମନ୍ଦିରରୁ ହୁଣ୍ଡି ଭାଙ୍ଗି ଚୋରି ହୋଇଛି । ଗତ ୬ ମାସ ହେବ ହୁଣ୍ଡି ଖୋଲା ହୋଇନଥିବାରୁ ୧ ଲକ୍ଷରୁ ଅଧିକ ଟଙ୍କା ଥିବା ଗ୍ରାମବାସୀ ଅନୁମାନ କରିଛନ୍ତି। ତେବେ କ୍ରମାଗତ ଚୋରି ଘଟଣାକୁ ନେଇ ପୋଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ଗତ ତିନି ଦିନ ଭିତରେ ତିନିଟି ମନ୍ଦିରରୁ ହୁଣ୍ଡି ଭାଙ୍ଗି ଲୁଟ୍ ହୋଇଛି। ଆଜି ସକାଳେ ପୂଜକ ମନ୍ଦିର ଖୋଲିବା ବେଳେ ମା’ ରାମଚଣ୍ଡୀ ମନ୍ଦିରର ହୁଣ୍ଡି ଭଙ୍ଗା ଅବସ୍ଥାରେ ପଡିଥିବା ଦେଖିଥିଲେ। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ୬ ମାସ ହେବ ହୁଣ୍ଡି ଖୋଲା ଯାଇନଥିବାରୁ ସେଥିରେ ୧ ଲକ୍ଷରୁ ଅଧିକ ଟଙ୍କା ଥିବା ଅନୁମାନ କରାଯାଉଛି। ଲଗାତାର ମନ୍ଦିର ଚୋରି ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢୁଥିବା ବେଳେ, ଚୋରୀ ହୋଇଥିବା ସ୍ଥାନର ସିସିଟିଭି ଫୁଟେଜ ରହିଥିଲେ ମଧ୍ୟ ପୋଲିସ ଚୋରକୁ ଧରିବାରେ ସଫଳ ହୋଇପାରୁନି। ପୋଲିସର ପାଟ୍ରୋଲିଂ ଓ କାର୍ଯ୍ୟଦକ୍ଷତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଜଣାପଡିଛି।
ରିପୋର୍ଟ- ବିଦ୍ୟୁତ୍ ସିଂ ନାୟକ
