PMAY Odisha: PMAY-U 2.0ରେ ଓଡ଼ିଶାକୁ ବଡ଼ ସ୍ୱୀକୃତି
PMAY-U 2.0 ଅଧୀନରେ ସର୍ବାଧିକ ସଂସ୍କାରମୂଳକ ପଦକ୍ଷେପ ପାଇଁ ଓଡ଼ିଶାକୁ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହର ପୁରସ୍କାର–୨୦୨୬’ରେ କେନ୍ଦ୍ର ସରକାରଙ୍କ ବିଶେଷ ସ୍ୱୀକୃତି | ସରଳ, ସ୍ୱଚ୍ଛ, ଦକ୍ଷ ଓ ନାଗରିକକୈନ୍ଦ୍ରିକ ସହରୀ ଆବାସ ବ୍ୟବସ୍ଥା ପ୍ରତି ରାଜ୍ୟର ପ୍ରତିବଦ୍ଧତାର ଏହା ଏକ ଜାତୀୟ ସ୍ୱୀକୃତି |

ଆବାସ ଯୋଜନାରେ ଓଡ଼ିଶାର ଦମଦାର ପଦକ୍ଷେପ, ମିଳିଲା କେନ୍ଦ୍ରର ବିଶେଷ ସ୍ୱୀକୃତି | ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହରୀ ୨.୦ (PMAY-U 2.0) ଅଧୀନରେ ସର୍ବାଧିକ ସଂସ୍କାର କାର୍ଯ୍ୟକାରୀ କରିଥିବାରୁ ଓଡ଼ିଶାକୁ ଭାରତ ସରକାରଙ୍କ ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ସ୍ୱୀକୃତି ପ୍ରଦାନ କରାଯାଇଛି | ଆଜି ନୂଆଦିଲ୍ଲୀରେ ଆୟୋଜିତ ‘ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହର ପୁରସ୍କାର–୨୦୨୬’ କାର୍ଯ୍ୟକ୍ରମରେ ଓଡ଼ିଶାକୁ ଏହି ସ୍ୱୀକୃତି ପ୍ରଦାନ କରାଯାଇଛି | ସହରୀ ଆବାସ ସମ୍ପର୍କିତ ପ୍ରକ୍ରିୟାକୁ ସରଳ କରିବା, କାର୍ଯ୍ୟକାରିତା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ଆବାସ ସୁବିଧାର ସୁବ୍ୟବସ୍ଥିତ ପହଞ୍ଚ ସୁନିଶ୍ଚିତ କରିବା ଦିଗରେ ଓଡ଼ିଶାର ନିରନ୍ତର ପ୍ରୟାସକୁ ଏହି ଜାତୀୟ ସ୍ୱୀକୃତି ମିଳିଛି | ସହରୀ ଆବାସ କ୍ଷେତ୍ରରେ ରାଜ୍ୟର ସଂସ୍କାରମୂଳକ ଆଭିମୁଖ୍ୟକୁ ଏହି ସ୍ୱୀକୃତି ପ୍ରତିଫଳିତ କରୁଛି | ପ୍ରଶାସନିକ ଦକ୍ଷତା ବୃଦ୍ଧି, ବିଭିନ୍ନ ଅନୁଷ୍ଠାନ ଓ ସଂସ୍ଥା ମଧ୍ୟରେ ସମନ୍ୱୟ ସୁଦୃଢ଼ କରିବା ଏବଂ ସ୍ୱଚ୍ଛ ଓ ଦକ୍ଷ କାର୍ଯ୍ୟକାରିତା ପାଇଁ ପ୍ରଯୁକ୍ତିର ଉପଯୋଗ ଭଳି ବିଭିନ୍ନ ପଦକ୍ଷେପ ଏଥିରେ ସାମିଲ ରହିଛି | ଏହି ପଦକ୍ଷେପଗୁଡ଼ିକ ହିତାଧିକାରୀଙ୍କ ନିକଟରେ ସୁବିଧା ପହଞ୍ଚାଇବା ସହ ଅଧିକ ସରଳ, ସୁବ୍ୟବସ୍ଥିତ ଓ ନାଗରିକକୈନ୍ଦ୍ରିକ ବ୍ୟବସ୍ଥା ଗଠନରେ ସହାୟକ ହୋଇଛି | ଏହି ସ୍ୱୀକୃତି ପାଇଁ ଅଭିନନ୍ଦନ ଜଣାଇ ମାନ୍ୟବର ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, “ଏହି ସ୍ୱୀକୃତି ଓଡ଼ିଶା ପାଇଁ ଗର୍ବର ବିଷୟ | ଆମ ଅଧିକାରୀ, ସହରାଞ୍ଚଳ ସ୍ଥାନୀୟ ସଂସ୍ଥା ଏବଂ କାର୍ଯ୍ୟାନ୍ୱୟନକାରୀ ସଂସ୍ଥାଗୁଡ଼ିକର ସମିଳିତ ପ୍ରୟାସର ଏହା ପ୍ରତିଫଳନ | ଆମର ଲକ୍ଷ୍ୟ କେବଳ ଘର ନିର୍ମାଣ କରିବା ନୁହେଁ; ବରଂ ପ୍ରତ୍ୟେକ ଯୋଗ୍ୟ ସହରୀ ପରିବାରକୁ ସ୍ୱଚ୍ଛ, ସୁରକ୍ଷିତ ଓ ସମ୍ମାନଜନକ ଆବାସ ଯୋଗାଇବା ସହ ଏକ ସ୍ୱଚ୍ଛ ଓ ନାଗରିକକୈନ୍ଦ୍ରିକ ବ୍ୟବସ୍ଥା ମାଧ୍ୟମରେ ସେମାନଙ୍କ ନିକଟରେ ଏହି ସୁବିଧା ପହଞ୍ଚାଇବା |” ଡଃ ମହାପାତ୍ର କହିଛନ୍ତି ଯେ, PMAY-U 2.0 ଅଧୀନରେ ସଂସ୍କାର, ଦ୍ରୁତ କାର୍ଯ୍ୟାନ୍ୱୟନ ଏବଂ ଶେଷ ପର୍ଯ୍ୟାୟରେ ପ୍ରଭାବଶାଳୀ ଭାବେ ସୁବିଧା ପହଞ୍ଚାଇବା ଉପରେ ଓଡ଼ିଶା ଆଗାମୀ ଦିନରେ ମଧ୍ୟ ଗୁରୁତ୍ୱ ଦେବ | ସେ କହିଛନ୍ତି, “ଆମ ପାଇଁ ଘର କେବଳ ଏକ ଭୌତିକ ଢାଞ୍ଚା ନୁହେଁ; ଏହା ଗୋଟିଏ ପରିବାର ପାଇଁ ସମ୍ମାନ, ସୁରକ୍ଷା ଓ ଏକ ଉନ୍ନତ ଭବିଷ୍ୟତର ପ୍ରତୀକ | ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେପରି ସମୟୋଚିତ ଓ ନିର୍ବିଘ୍ନ ଭାବେ ଯୋଜନାର ସୁବିଧା ପାଇପାରିବେ, ସେଥିପାଇଁ ଆମେ ଦୃଢ଼ତାର ସହ କାର୍ଯ୍ୟ ଜାରି ରଖିବୁ |” ଏହି ବିଶେଷ ସ୍ୱୀକୃତି ଦକ୍ଷ, ସଂସ୍କାରଭିତ୍ତିକ ଓ ନାଗରିକକୈନ୍ଦ୍ରିକ ସହରୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଦିଗରେ ଓଡ଼ିଶାର ପ୍ରୟାସର ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା | ଏହା ସହିତ ରାଜ୍ୟ ସରକାରଙ୍କ ‘ସମସ୍ତଙ୍କ ପାଇଁ ଆବାସ’ ଜାତୀୟ ଲକ୍ଷ୍ୟ ପ୍ରତି ରହିଥିବା ପ୍ରତିବଦ୍ଧତାକୁ ମଧ୍ୟ ଆହୁରି ସୁଦୃଢ଼ କରିଛି |
