ଓଡ଼ିଶାରେ ବନ୍ୟା : ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ- ତେଜିଲା ରାଜନୀତି
ଯେତେବେଳେ ଅଧା ଓଡ଼ିଶା ଭାସୁଛି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ କଅଣ କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି।ବନ୍ୟା ମୁକାବିଲାରେ ସରକାର ଫେଲ୍ ବୋଲି ଆରୋପ ଲଦିଛି ବି କଂଗ୍ରେସ। ରାଜ୍ୟର ୧୧ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଭୟଙ୍କର। ଆଇଏମଡିର ଆକଳନକୁ ସରକାର ହାଲୁକା ଭାବେ ନେଲେ।ରାଜସ୍ୱ ମନ୍ତ୍ରୀ ମନିଟରିଂ କରୁଛନ୍ତି। କେବଳ ମିଡିଆରେ ରହିବାକୁ ବିରୋଧୀଙ୍କ ଏଭଳି ଆରୋପ। ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ହେଲିକେପ୍ଟରରେ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି।

ଓଡ଼ିଶାରେ ବନ୍ୟା ପରିସ୍ଥିତି ଭିତରେ ତେଜିଛି ରାଜନୀତି। ବିଜେଡି ଆରୋପ ଲଦିଛି ଯେ, ସରକାର ବନ୍ୟା ମୁକାବିଲା ଲାଗି ଯେଉଁଭଳି ପ୍ରସ୍ତୁତି କରିବା କଥା, କଲେନି। ଆଇଏମଡିର ପୂର୍ବ ଆକଳନ ଅନୁସାରେ ସରକାର ପ୍ରସ୍ତୁତ ନଥିଲେ। ବାଲେଶ୍ୱର ଭାସିଲା। ପ୍ରାରମ୍ଭିକ ବନ୍ୟାରେ ୪ଜଣଙ୍କ ମୃତ୍ୟୁ ହେଲା। ବନ୍ୟା ମୁକାବିଲା ଲାଗି ଓଡ୍ରାଫ୍ ଟିମ୍ ଠିକ୍ ସମୟରେ ନ ପହଞ୍ଚିବା ଏ ସବୁ ଜଳଜଳ କରି ଅବହେଳାର ଗୋଟିଏ ପରେ ଗୋଟିଏ ନଜିର ବୋଲି କହିଛନ୍ତି ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ। ଯେଉଁ ବିପର୍ଯ୍ୟୟ ପରିଚାଳନା ଲାଗି ଓଡ଼ିଶା ପ୍ରଶଂସିତ ହେଉଥିଲା। ଏବେ ସମ୍ଭାବ୍ୟ ବନ୍ୟା କିମ୍ୱା ବଡ଼ ବର୍ଷାକୁ ମୁକାବିଲା କରିପାରୁନି କହି ନବୀନ ପଟ୍ଟନାୟକ ସରକାର ଅମଳର ଦକ୍ଷତା ଓ କାର୍ଯ୍ୟକୁଶଳତାକୁ ପ୍ରଶଂସା କରିଛନ୍ତି ଗୌତମ। ଏହାଠୁ ବଡ଼ ଦୁର୍ଭାଗ୍ୟର କଥା ଯେ, ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଅଛନ୍ତି। ଯେତେବେଳେ ଅଧା ଓଡ଼ିଶା ଭାସୁଛି। ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯାଇ କଅଣ କରୁଛନ୍ତି ବୋଲି ପ୍ରଶ୍ନ କରିଛି ବିଜେଡି। ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼େଇ କହିଛନ୍ତି, ରାଜ୍ୟବାସୀ ବନ୍ୟାରେ ହନ୍ତସନ୍ତ ହେଉଥିଲା ବେଳେ ରାଜ୍ୟ ମୁଖିଆ ଦିଲ୍ଲୀରେ ବସିଛନ୍ତି। ଓଡ଼ିଶାବାସୀ କ୍ଷମା ଦେବେନି। ସାଧାରଣ ଲୋକଙ୍କ ଭିତରେ ପ୍ରଶ୍ନ ଉଙ୍କିମାରୁଛି, ସରକାର କୋମାକୁ ଚାଲିଗଲେଣି। ପ୍ରଶାସନ ବିଫଳ। ନବୀନଙ୍କୁ ସମସ୍ତେ ଝୁରୁଛନ୍ତି। ବନ୍ୟା ମୁକାବିଲାରେ ସରକାର ଫେଲ୍ ବୋଲି ଆରୋପ ଲଦିଛି ବି କଂଗ୍ରେସ। ରାଜ୍ୟର ୧୧ଟି ଜିଲ୍ଲାରେ ବନ୍ୟା ପରିସ୍ଥିତି ଭୟଙ୍କର। ଆଇଏମଡିର ଆକଳନକୁ ସରକାର ହାଲୁକା ଭାବେ ନେଲେ। ବନ୍ୟା ଅଞ୍ଚଳ ଲୋକଙ୍କ ଲାଗି ଶୁଖିଲା ଖାଦ୍ୟର ବ୍ୟବସ୍ଥା କଲେନି। କୌଣସି ମୌଳିକ ସୁବିଧା ଦେଇପାରିଲେନି। ଲୋକଙ୍କୁ ସରକାର ସଚେତନ ବି କଲେନି ବୋଲି କହିଛନ୍ତି ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଶ୍ରୀକାନ୍ତ ଜେନା କହିଛନ୍ତି, ପ୍ରଥମତଃ ସରକାରଙ୍କ ପ୍ରସ୍ତୁତି ନାହିଁ। ଏବେ ପାଣି ଜମିବା ଓ ବନ୍ୟା ଅଧିକ ଚିନ୍ତା ବଢ଼ାଇଲାଣି। ପାଣି ଘେରରେ ଥିବା ଲୋକଙ୍କୁ ସରକାର ତୁରନ୍ତ ରିଲିଫ୍ ଦେବା କଥା। ମୁଖ୍ୟମନ୍ତ୍ରୀ ଏଭଳି ପରିସ୍ଥିତିରେ ଦିଲ୍ଲୀ ଯିବା କେତେଦୂର ଯୁକ୍ତିଯୁକ୍ତ। ଜଳ ଉପରେ ଆଲୋଚନା କରିବାକୁ ନା ଏଥିରୁ କୌଣସି ନିଷ୍କର୍ସ ବାହାରିବ, ତାହା ଦେଖିବାର କଥା। ଛତିଶଗଡ଼ରେ ଅଧିକ ବର୍ଷା ହେଲେ ମହାନଦୀ, ବ୍ରାହ୍ମଣୀ ଓ ସୁବର୍ଣ୍ଣରେଖାରେ ବନ୍ୟା ଆସିବ। କାଉଣ୍ଟରରେ ଶାସକ ଦଳର ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରାୟ କହିଛନ୍ତି, ବନ୍ୟା ସପ୍ତାହକ ପୂର୍ବରୁ ହେଲାଣି। ଜଳସ୍ତର ବି କମୁଛି। ଏ ସବୁ ଉପରେ ମୁଖ୍ୟମନ୍ତ୍ରୀ ନିରନ୍ତର ନଜର ରଖିଛନ୍ତି। ଆବଶ୍ୟକତା ପଡିବାରୁ ସେ ଦିଲ୍ଲୀ ଯାଇଛନ୍ତି। ପ୍ରାକୃତିକ ବିପତ୍ତି ମୁକାବିଲା ଉପରେ ବି ଆଲୋଚନା କରିପାରନ୍ତି। ପୁରା ମନ୍ତ୍ରିମଣ୍ଡଳ ଓ ପ୍ରଶାସନ ପ୍ରଭାବିତ ଅଞ୍ଚଳରେ ଅଛନ୍ତି। ରାଜସ୍ୱ ମନ୍ତ୍ରୀ ମନିଟରିଂ କରୁଛନ୍ତି। କେବଳ ମିଡିଆରେ ରହିବାକୁ ବିରୋଧୀଙ୍କ ଏଭଳି ଆରୋପ। ଆଜି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ହେଲିକେପ୍ଟରରେ ଯାଇ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛନ୍ତି। ଆକାଶମାର୍ଗରୁ ବନ୍ୟା ପରିସ୍ଥିତି ସମୀକ୍ଷା କରିଛନ୍ତି। ଯାଜପୁର, ଭଦ୍ରକ, ବାଲେଶ୍ୱର, ଓ କେନ୍ଦୁଝର ଜିଲ୍ଲାର ବନ୍ୟାଞ୍ଚଳ ଓ ଜଳବନ୍ଦୀ ସ୍ଥିତିର ସମୀକ୍ଷା କରିଛନ୍ତି। ତାଙ୍କ ସହ ରାଜସ୍ୱ ସଚିବ ଅରବିନ୍ଦ ପାଢ଼ୀ ଓ ଏସଆରସି ରାଜେଶ ପ୍ରଭାକର ପାଟିଲ ବି ଥିଲେ। ବନ୍ୟାଞ୍ଚଳ ପରିଦର୍ଶନ ପୂର୍ବରୁ ଲୋକସେବା ଭବନରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀଙ୍କ ସହ ମନ୍ତ୍ରୀ ଆଲୋଚନା କରିଥିଲେ।
