ବିବାଦରେ ଉଚ୍ଚଶିକ୍ଷା ବିଭାଗର STATE EMBLEM!
ସରକାରୀ ବିଭାଗ ପକ୍ଷରୁ ପ୍ରକାଶିତ ଏକ ଅଧିକୃତ ପୋଷ୍ଟରେ କିପରି ଏଭଳି ତ୍ରୁଟିପୂର୍ଣ୍ଣ ଚିହ୍ନ ବ୍ୟବହାର କରାଗଲା। ଚଳିତ ବର୍ଷ ଆରମ୍ଭରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମଧ୍ୟ ଜାତୀୟ ପ୍ରତୀକର ଅପବ୍ୟବହାର ଓ ଭୁଲ୍ ଉପସ୍ଥାପନ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ।

ଚାଟ୍ ଜିପିଟି ପାଇଁ ବଦନାମ ହେଲା ଓଡ଼ିଶା ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ। ଓଡ଼ିଶା ସରକାରଙ୍କ ଲୋଗୋକୁ ବିକୃତ ଭାବେ କରିଦେଲା ଏଆଇ। ଅମିତ କିଲହୋର ନାମକ ବ୍ୟକ୍ତିଙ୍କ ଆକାଉଣ୍ଟରୁ ଏଭଳି ଭୁଲକୁ ଦର୍ଶାଯାଇ କଟାକ୍ଷ କରାଯାଇଛି। ଅଧ୍ୟୟନର ଗୁରୁଦାୟିତ୍ୱ ତୁଲାଉଥିବା ଉଚ୍ଚଶିକ୍ଷା ବିଭାଗ ନିଜେ ଏମିତି ଭୁଲ୍ କଲା କେମିତି। ଓଡ଼ିଶା ଉଚ୍ଚଶିକ୍ଷା ବିଭାଗର ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ବିଭାଗ ପକ୍ଷରୁ ପ୍ରକାଶିତ ଏକ ଗ୍ରାଫିକ୍ସରେ ବ୍ୟବହୃତ ରାଜ୍ୟ ଚିହ୍ନ (State Emblem) ଅସଲି ଚିହ୍ନ ସହ ସମ୍ପୂର୍ଣ୍ଣ ମେଳ ଖାଉନଥିବା ଏବଂ ଏହା କୃତ୍ରିମ ବୁଦ୍ଧିମତ୍ତା ବା (AI) ଦ୍ୱାରା ତିଆରି କିମ୍ୱା ସମ୍ପାଦିତ ହୋଇଥିବା ଅଭିଯୋଗ ଉଠିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ସମାଲୋଚକଙ୍କ କହିବା ଅନୁସାରେ, ଚିହ୍ନର କିଛି ଅଂଶ ବିକୃତ ଦେଖାଯାଉଥିଲା ଏବଂ ଏହା AI ଟୁଲ୍ ଦ୍ୱାରା ସୃଷ୍ଟି ହୋଇଥିବା ଛବିର ଲକ୍ଷଣ ସହ ମେଳ ଖାଉଥିଲା। ଏହାକୁ ନେଇ ଅନେକ ସୋସିଆଲ ମିଡିଆ ୟୁଜର୍ସ ପ୍ରଶ୍ନ କରିଛନ୍ତି ଯେ, ସରକାରୀ ବିଭାଗ ପକ୍ଷରୁ ପ୍ରକାଶିତ ଏକ ଅଧିକୃତ ପୋଷ୍ଟରେ କିପରି ଏଭଳି ତ୍ରୁଟିପୂର୍ଣ୍ଣ ଚିହ୍ନ ବ୍ୟବହାର କରାଗଲା। ଚଳିତ ବର୍ଷ ଆରମ୍ଭରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ମଧ୍ୟ ଜାତୀୟ ପ୍ରତୀକର ଅପବ୍ୟବହାର ଓ ଭୁଲ୍ ଉପସ୍ଥାପନ ରୋକିବା ପାଇଁ ରାଜ୍ୟ ସରକାରଙ୍କୁ କଡ଼ା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରି ସ୍ଥିତିରେ ଏକ ସରକାରୀ ବିଭାଗର ପୋଷ୍ଟରେ ବିବାଦୀୟ ଚିହ୍ନ ବ୍ୟବହାର ହେବା ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣା AI ବ୍ୟବହାରକୁ ନେଇ ମଧ୍ୟ ନୂଆ ପ୍ରଶ୍ନ ସୃଷ୍ଟି କରିଛି। ବର୍ତ୍ତମାନ ସମୟରେ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ଦ୍ରୁତ ଗତିରେ AI ଆଧାରିତ ଟୁଲ୍ ବ୍ୟବହାର କରୁଥିବାବେଳେ, ଅଧିକୃତ ଦଲିଲ, ଲୋଗୋ ଓ ଚିହ୍ନ ପ୍ରସ୍ତୁତିରେ ମାନବୀୟ ଯାଞ୍ଚ ଅତ୍ୟନ୍ତ ଜରୁରୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।ଘଟଣାଟି ସେତେବେଳେ ଚର୍ଚ୍ଚାକୁ ଆସିଥିଲା, ଯେତେବେଳେ ଜଣେ କଣ୍ଟେଣ୍ଟ କ୍ରିଏଟର ଓ ୟୁଟ୍ୟୁବର ବିଭାଗର ପୋଷ୍ଟରେ ବ୍ୟବହୃତ ଚିହ୍ନର ତ୍ରୁଟି ଦେଖାଇଥିଲେ। ସେ ଦାବି କରିଥିଲେ ଯେ, ରାଜ୍ୟ ସରକାରଙ୍କ ଅଧିକୃତ ଚିହ୍ନର ଡିଜାଇନ୍ ଓ ଗ୍ରାଫିକ୍ସରେ ବ୍ୟବହୃତ ଚିହ୍ନ ମଧ୍ୟରେ ସ୍ପଷ୍ଟ ପାର୍ଥକ୍ୟ ରହିଛି। ଏହା ପରେ ସମ୍ବନ୍ଧିତ ପୋଷ୍ଟର ସ୍କ୍ରିନସଟ୍ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ଭାଇରାଲ ହୋଇଥିଲା। ଏ ଘଟଣାକୁ ନେଇ ବିଜୁ ଛାତ୍ରଜନତା ଦଳ କହିଛି, ଓଡ଼ିଆ ଅସ୍ମିତାର କଥା କହୁଥିବା ମୋହନ ସରକାରଙ୍କ ଅମଳରେ ଓଡ଼ିଆ ଗୌରବକୁ କ୍ଷୁର୍ଣ୍ଣ କରାଯାଉଛି। ଉଚ୍ଚଶିକ୍ଷା ବିଭାଗ ବି ଏକ୍ସ-ରେ ଏ କଥା ନଜରକୁ ଆଣିଥିବାରୁ ଅମିତଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି। ଏହା ସହ ଏଭଳି ତୃଟିର ଯେମିତି ପୁନରାବୃତ୍ତି ହେବନି, ସେଥିଲାଗି ଦୃଷ୍ଟି ଦିଆଯିବ ବୋଲି କଥା ଦେଇଛି।
