Odisha Culture : ଦୁର୍ଗାବାଡ଼ିର ସିନ୍ଦୂର ଖେଳ, ନୀଳଗିରିରେ ୪୨ତମ ରାବଣ ପୋଡ଼ି
ପୁରୀ ଦୁର୍ଗାବାଡ଼ିରେ ସିନ୍ଦୂର ଖେଳର ଭାବପୂର୍ଣ୍ଣ ପରମ୍ପରା, ଅନ୍ୟପଟେ ନୀଳଗିରିରେ ୪୨ତମ ରାବଣ ପୋଡ଼ି ଉତ୍ସବର ଉତ୍ସାହ। ଭକ୍ତି, ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ଏହି ଅନନ୍ୟ ଝଲକ ଦେଲା ସତ୍ୟର ବିଜୟର ବାର୍ତ୍ତା।

ଓଡ଼ିଶାର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ଓ ରୀତିନୀତିରେ ପାଳିତ ହୋଇଥାଏ ଦୁର୍ଗାପୂଜା। ଏହି ପରମ୍ପରା ଓ ଆସ୍ଥାର ଅନନ୍ୟ ନିଦର୍ଶନ ଦେଖିବାକୁ ମିଳିଛି ପୁରୀର ଦୁର୍ଗାବାଡ଼ିରେ। ବିଶେଷକରି ବଙ୍ଗୀୟ ସଂସ୍କୃତିରେ ଦୁର୍ଗାପୂଜାର ରହିଛି ସ୍ୱତନ୍ତ୍ର ପରିଚୟ। ଏହି ପରମ୍ପରାର ଅନ୍ୟତମ ଆକର୍ଷଣ ହେଉଛି ସିନ୍ଦୂର ଖେଳ। ଦଶମୀ ତିଥିରେ ମା’ ଦୁର୍ଗାଙ୍କୁ ବିଦାୟ ଦେବା ପୂର୍ବରୁ ପୁରୀର ଦୁର୍ଗାବାଡ଼ିରେ ମହିଳାମାନେ ପରସ୍ପରକୁ ସିନ୍ଦୂର ଲଗାଇ ସୁଖ, ସୌଭାଗ୍ୟ ଓ ମଙ୍ଗଳ କାମନା କରିଥାନ୍ତି। ଏହି ନିଆରା ପରମ୍ପରା ମଧ୍ୟରେ ଝଲସି ଉଠେ ଭକ୍ତି ଓ ଭାବନାର ଅପୂର୍ବ ମିଳନ।
ଅନ୍ୟପଟେ, ଅଧର୍ମ ଉପରେ ଧର୍ମ ଏବଂ ଅସତ୍ୟ ଉପରେ ସତ୍ୟର ବିଜୟର ପ୍ରତୀକ ରାବଣ ପୋଡ଼ି। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ନୀଳଗିରିରେ ପରମ୍ପରା ଓ ଉତ୍ସାହର ସହ ପାଳିତ ହୋଇଯାଇଛି ୪୨ତମ ରାବଣ ପୋଡ଼ି ଉତ୍ସବ।ଦୀର୍ଘ ବର୍ଷର ପରମ୍ପରାକୁ ବଜାୟ ରଖି ଆୟୋଜିତ ଏହି ଉତ୍ସବରେ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ମୁଖ୍ୟ ଅତିଥି ଭାବେ ସାଂସଦଙ୍କ ବ୍ୟକ୍ତିଗତ ସହାୟକ ଏବଂ ପୂର୍ବତନ ଜିଲ୍ଲାପାଳ ସୋରଜ ସେଠୀ ଉପସ୍ଥିତ ରହିଥିଲେ। ନୀଳଗିରି ଏସ୍ଡିପିଓଙ୍କ ସହଯୋଗରେ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ଅଗ୍ନି ସଂଯୋଗ କରାଯାଇଥିଲା।ଉତ୍ସବକୁ ଆହୁରି ଆକର୍ଷଣୀୟ କରିଥିଲା ପିଲାମାନଙ୍କ ଦ୍ୱାରା ପରିବେଷିତ ମନୋରଞ୍ଜନଧର୍ମୀ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ। ରାବଣ ପୋଡ଼ି ଦେଖିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେଇଥିଲେ ଉପସ୍ଥିତ ଦର୍ଶକ। ଫଳରେ ସମଗ୍ର ଅଞ୍ଚଳ ଉତ୍ସବମୁଖର ହୋଇଉଠିଥିଲା। ପରମ୍ପରା, ଭକ୍ତି ଓ ସାଂସ୍କୃତିକ ଐତିହ୍ୟର ଏହି ନିଆରା ଝଲକ ମଧ୍ୟରେ ପୁଣିଥରେ ଲୋକଙ୍କୁ ସତ୍ୟର ପଥରେ ଚାଲିବା ଏବଂ ଅଧର୍ମକୁ ପରିତ୍ୟାଗ କରିବାର ବାର୍ତ୍ତା ଦେଇଛି ରାବଣ ପୋଡ଼ି ଉତ୍ସବ।
