Odisha Devotees Death: ମଧ୍ୟପ୍ରଦେଶରେ ଭୟଙ୍କର ଦୁର୍ଘଟଣା: ନାଳରେ ଭାସିଗଲା ୮ ଓଡ଼ିଆ ଶ୍ରଦ୍ଧାଳୁଙ୍କ କାର୍, ୮ ମୃତ
ମଧ୍ୟପ୍ରଦେଶ ଆଗର ମାଲୱାର ନଲଖେଡ଼ାରେ ମା’ ବଗଲାମୁଖୀ ମନ୍ଦିର ନିକଟରେ ବର୍ଷାଜଳରେ ଫୁଲିଥିବା ନାଳରେ ଶ୍ରଦ୍ଧାଳୁଙ୍କ କାର୍ ଭାସିଯାଇଛି। ଦୁର୍ଘଟଣାରେ ୩ ଶିଶୁ, ୨ ମହିଳା ଓ ୩ ପୁରୁଷଙ୍କ ସମେତ ୮ ଜଣଙ୍କ ମୃତ୍ୟୁ ହୋଇଛି। ସମସ୍ତେ ଓଡ଼ିଶାର ବୋଲି ପ୍ରାଥମିକ ସୂଚନା ମିଳିଛି।
ମଧ୍ୟପ୍ରଦେଶର ଆଗର ମାଲୱା ଜିଲ୍ଲା ନଲଖେଡ଼ାରେ ଘଟିଛି ଏକ ହୃଦୟବିଦାରକ ଦୁର୍ଘଟଣା। ମା’ ବଗଲାମୁଖୀ ମନ୍ଦିର ନିକଟରେ ପ୍ରବଳ ବର୍ଷା ପରେ ଫୁଲି ଉଠିଥିବା ବର୍ଷାଜଳ ନାଳରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ କାର୍ ଭାସିଯାଇଛି। ଏହି ଦୁର୍ଘଟଣାରେ କାର୍ରେ ଥିବା ୮ ଜଣଙ୍କ ମୃତ୍ୟୁ ହୋଇଛି।
ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ, ୨ ଜଣ ମହିଳା ଓ ୩ ଜଣ ପୁରୁଷ ଥିବା ପୋଲିସ ପକ୍ଷରୁ କୁହାଯାଇଛି। ସମସ୍ତ ମୃତକ ଓଡ଼ିଶାର ବାସିନ୍ଦା ବୋଲି ପ୍ରାଥମିକ ଭାବେ ଜଣାପଡ଼ିଛି। ତେବେ ଏପର୍ଯ୍ୟନ୍ତ ମୃତକଙ୍କ ସମ୍ପୂର୍ଣ୍ଣ ପରିଚୟ ସାର୍ବଜନୀନ ହୋଇନାହିଁ। ସୂଚନା ଅନୁସାରେ, ଶ୍ରଦ୍ଧାଳୁମାନେ ନଲଖେଡ଼ାରେ ଥିବା ମା’ ବଗଲାମୁଖୀ ମନ୍ଦିରକୁ ଦର୍ଶନ ପାଇଁ ଆସିଥିଲେ। ଦର୍ଶନ ସାରି ଫେରୁଥିବା ସମୟରେ ମନ୍ଦିର ନିକଟରେ ଥିବା ବର୍ଷାଜଳ ନାଳରେ ପ୍ରବଳ ଜଳସ୍ରୋତ ମଧ୍ୟରେ କାର୍ଟି ଫସିଯାଇଥିବା ଜଣାପଡ଼ିଛି।
ଅଞ୍ଚଳରେ ରାତିରେ ପ୍ରବଳ ବର୍ଷା ହୋଇଥିବାରୁ ନାଳରେ ହଠାତ୍ ଜଳସ୍ତର ଓ ଜଳପ୍ରବାହ ବଢ଼ିଯାଇଥିଲା। ଏହି ସମୟରେ କାର୍ଟି ଦ୍ରୁତ ଜଳସ୍ରୋତରେ ଭାସିଯାଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି। ଦୁର୍ଘଟଣାର ପ୍ରକୃତ କାରଣ ନେଇ ପୋଲିସ ତଦନ୍ତ କରୁଛି। ଘଟଣାର ଖବର ପାଇବା ପରେ ପୋଲିସ, ପ୍ରଶାସନ ଓ ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲେ। ଦୀର୍ଘ ଉଦ୍ଧାର ଅଭିଯାନ ପରେ କାର୍ଟିକୁ ନାଳରୁ ବାହାର କରାଯାଇଥିବା ସହ ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ମୃତଦେହଗୁଡ଼ିକୁ ପୋଷ୍ଟମର୍ଟମ୍ ପାଇଁ ପଠାଯାଇଥିବା ଜଣାପଡ଼ିଛି। ଏହି ଦୁଃଖଦ ଘଟଣା ପରେ ଓଡ଼ିଶାର ମୃତକଙ୍କ ପରିବାର ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ମୃତକଙ୍କ ପରିଚୟ ଓ ପରିବାର ସହ ଯୋଗାଯୋଗ ପ୍ରକ୍ରିୟା ଜାରି ରହିଛି।
