CM ORDER FOR ORANGUTAN:ବାଲେଶ୍ୱରରେ ୫ ଶିଶୁ ଓରାଙ୍ଗଉଟାନ ଉଦ୍ଧାର: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ୱରରେ ୫ ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାରେ ଉଦ୍ବେଗ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଅବୈଧ ଚାଲାଣ ନେଇ ତଦନ୍ତ ନିର୍ଦ୍ଦେଶ।

ଭୁବନେଶ୍ୱର: ଓଡ଼ିଶାରେ ୫ଟି ଶିଶୁ ଓରାଙ୍ଗଉଟାନ ଉଦ୍ଧାର ଘଟଣାକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହି ବିରଳ ବନ୍ୟପ୍ରାଣୀଗୁଡ଼ିକ କେଉଁ ପରିସ୍ଥିତିରେ ଓଡ଼ିଶା, ବିଶେଷକରି ବାଲେଶ୍ୱର ଜିଲ୍ଲାରେ ପହଞ୍ଚିଲେ, ତାହାର ସବିଶେଷ ତଦନ୍ତ କରିବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଦୁବାଇରେ ସରକାରୀ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଘଟଣାକ୍ରମ ସମ୍ପର୍କରେ ନିରନ୍ତର ଅବଗତ ରହିଥିବା ଜଣାପଡ଼ିଛି। ଘଟଣାକୁ ଗୁରୁତ୍ୱର ସହ ନେଇ ଓରାଙ୍ଗଉଟାନଗୁଡ଼ିକ କିପରି ରାଜ୍ୟରେ ପହଞ୍ଚିଲେ ଏବଂ ଏହା ପଛରେ କୌଣସି ନେଟୱାର୍କ କାମ କରୁଛି କି ନାହିଁ, ସେନେଇ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ବିଦେଶୀ ବନ୍ୟପ୍ରାଣୀଙ୍କ ଅବୈଧ ଚାଲାଣ ପାଇଁ ଓଡ଼ିଶାକୁ କୌଣସି ପରିସ୍ଥିତିରେ ଟ୍ରାଞ୍ଜିଟ୍ ପଥ ଭାବେ ବ୍ୟବହାର କରିବାକୁ ଦିଆଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଏହି ବେଆଇନ ପରିବହନ ପଛରେ କୌଣସି ନେଟୱାର୍କ କିମ୍ବା ଚକ୍ର ସମ୍ପୃକ୍ତ ଥିଲେ, ତାହାକୁ ଚିହ୍ନଟ କରି ଆଇନ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
କେଉଁଠୁ ଆସିଲେ ଓରାଙ୍ଗଉଟାନ?
ଉଦ୍ଧାର ହୋଇଥିବା ବିରଳ ପ୍ରଜାତିର ଓରାଙ୍ଗଉଟାନଗୁଡ଼ିକ କେଉଁ ମାର୍ଗ ଦେଇ ଓଡ଼ିଶାକୁ ଅଣାଯାଇଥିଲା, କିପରି ରାଜ୍ୟରେ ପ୍ରବେଶ କଲେ, ସେମାନଙ୍କ ପରିବହନରେ କିଏ ସମ୍ପୃକ୍ତ ଥିଲେ ଏବଂ କେଉଁ ଉଦ୍ଦେଶ୍ୟରେ ସେମାନଙ୍କୁ ଅଣାଯାଉଥିଲା—ଏସବୁ ଦିଗରେ ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ତଦନ୍ତରେ ଭାରତ ସରକାରଙ୍କ ସମ୍ପୃକ୍ତ କର୍ତ୍ତୃପକ୍ଷ, ବନ୍ୟପ୍ରାଣୀ ଅପରାଧ ନିୟନ୍ତ୍ରଣ ବ୍ୟୁରୋ (WCCB) ସମେତ ଅନ୍ୟାନ୍ୟ ବନ୍ୟପ୍ରାଣୀ ଓ ଆଇନ ପ୍ରବର୍ତ୍ତନକାରୀ ସଂସ୍ଥା ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିଛି।
ଓରାଙ୍ଗଉଟାନଙ୍କ ସୁରକ୍ଷା ଉପରେ ଗୁରୁତ୍ୱ
ତଦନ୍ତ ଜାରି ରହିଥିବା ସମୟରେ ଉଦ୍ଧାର ହୋଇଥିବା ୫ଟି ଶିଶୁ ଓରାଙ୍ଗଉଟାନଙ୍କୁ ପ୍ରଚଳିତ ବନ୍ୟପ୍ରାଣୀ ସୁରକ୍ଷା ପ୍ରୋଟୋକଲ୍ ଅନୁଯାୟୀ ଉପଯୁକ୍ତ ଚିକିତ୍ସା, ସୁରକ୍ଷା ଓ ଆବଶ୍ୟକ ଯତ୍ନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଘଟଣାର ସମ୍ପୂର୍ଣ୍ଣ ପୃଷ୍ଠଭୂମି ଓ ଓରାଙ୍ଗଉଟାନଗୁଡ଼ିକ ଓଡ଼ିଶାରେ ପହଞ୍ଚିବା ପଛରେ ଥିବା ତଥ୍ୟ ତଦନ୍ତ ପରେ ସ୍ପଷ୍ଟ ହେବ।
