ଶିକ୍ଷକ ନାହାନ୍ତି, ୨୧ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରରେ
ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଘଟକୁଡ଼ି ଗ୍ରାମପଞ୍ଚାୟତ ଗୈଡ଼ରଣପଡ଼ା ବିଦ୍ୟାଳୟରେ ଶିକ୍ଷକ ଅଭାବ, ଚିନ୍ତାରେ ଅଭିଭାବକ। ସେପଟେ, ଜଣେ ଶିକ୍ଷକ ଥିବା ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରି ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା କରିବାକୁ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ।
ବ୍ରହ୍ମଗିରି: ପିଲାଙ୍କୁ ଭଗବାନ ଭରସା! ଶିକ୍ଷା ବିଭାଗ ଉପରେ ଉଠିଲା ପ୍ରଶ୍ନ। ପିଲାଙ୍କ ଭାଗ୍ୟ ଓ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ। ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଘଟକୁଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗୈଡ଼ରଣପଡ଼ା ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଏବେ ଚିନ୍ତା ବଢ଼ିଛି। ବ୍ରହ୍ମଗିରି ବ୍ଲକରେ ୧୯୫ଟି ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟ ରହିଛି। ଅନେକ ବିଦ୍ୟାଳୟରେ ଜଣେ କିମ୍ବା ଦୁଇଜଣ ଶିକ୍ଷକଙ୍କ ଅଭାବ ରହିଥିବା ଅଭିଯୋଗ ହେଉଛି। ହେଲେ ଗୈଡ଼ରଣପଡ଼ା ବିଦ୍ୟାଳୟର ସ୍ଥିତି ଆହୁରି ଚିନ୍ତାଜନକ। ଏଠାରେ ଷଷ୍ଠ ଓ ସପ୍ତମ ଶ୍ରେଣୀରେ ମୋଟ ୨୧ ଜଣ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି। କିନ୍ତୁ ଏହି ଦୁଇଟି ଶ୍ରେଣୀ ପାଇଁ ଜଣେ ହେଲେ ବି ସ୍ଥାୟୀ ଶିକ୍ଷକ ନାହାନ୍ତି। ଦୁଇଜଣ ଶିକ୍ଷକ ଅବସର ନେବାର ଯଥେଷ୍ଟ ସମୟ ବିତିଯାଇଥିଲେ ମଧ୍ୟ ତାଙ୍କ ବଦଳରେ ଏପର୍ଯ୍ୟନ୍ତ ନୂଆ ଶିକ୍ଷକ ନିଯୁକ୍ତ ହୋଇନାହାନ୍ତି। ଜଣେ ଶିକ୍ଷକ ପ୍ରାୟ ଏକ ବର୍ଷ ତଳେ ଓ ଅନ୍ୟ ଜଣେ ପ୍ରାୟ ୫ ମାସ ତଳେ ଅବସର ନେଇଛନ୍ତି। ଶିକ୍ଷକ ନଥିବାରୁ କେତେବେଳେ ରୋଷେୟା, କେତେବେଳେ ପାଖ ବିଦ୍ୟାଳୟର ଶିକ୍ଷକ, ଆଉ କେତେବେଳେ ସ୍ୱେଚ୍ଛାସେବୀ ଯୁବକମାନେ ପିଲାଙ୍କୁ ଦେଖାଶୁଣା କରୁଥିବା ଅଭିଯୋଗ ହୋଇଛି।
୨୧ ଜଣ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ କ’ଣ ହେବ? କେବେ ନିଯୁକ୍ତ ହେବେ ସ୍ଥାୟୀ ଶିକ୍ଷକ? ଏଭଳି ଅନେକ ପ୍ରଶ୍ନ ଏବେ ଅଭିଭାବକଙ୍କ ମନରେ। ଦୁଇଟି ଶ୍ରେଣୀର ୨୧ ଜଣ ପିଲାଙ୍କ ପାଠପଢ଼ା ଏଭଳି ଅନିଶ୍ଚିତତା ଭିତରେ ଚାଲିଥିବା ବେଳେ, କେବେ ଏହି ବିଦ୍ୟାଳୟରେ ସ୍ଥାୟୀ ଶିକ୍ଷକ ନିଯୁକ୍ତି ହେବ, ତାହାକୁ ନେଇ ଅପେକ୍ଷାରେ ଛାତ୍ରଛାତ୍ରୀ ଓ ଅଭିଭାବକ। ତେବେ ଜଣେ ଶିକ୍ଷକ ବିଶିଷ୍ଟ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତିକୁ ଗୁରୁତ୍ୱ ଦିଆଯାଉଥିଵା କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଜଣେ ମାତ୍ର ଶିକ୍ଷକ ଥିବା ବିଦ୍ୟାଳୟଗୁଡ଼ିକୁ ଚିହ୍ନଟ କରି ୧୫ ଦିନ ମଧ୍ୟରେ ଶିକ୍ଷକ ନିଯୁକ୍ତିର ବ୍ୟବସ୍ଥା କରିବାକୁ କୁହାଯାଇଥିଵା ସୂଚନା ଦେଇଛନ୍ତି ମନ୍ତ୍ରୀ।
