ଯୋଜନାର ଫଳକ ଅଛି, ସୁବିଧା ନାହିଁ: ଅବହେଳିତ ଦୁଡା ଗାଁ
ଟାୱାର ଅଛି, ନେଟୱର୍କ ନାହିଁ; ଖୁଣ୍ଟି ଅଛି, ବିଜୁଳି ନାହିଁ- ସନ୍ଧ୍ୟା ହେଲେ ହିଂସ୍ର ଜନ୍ତୁଙ୍କ ଭୟ। ନୟାଗଡ଼ ଦଶପଲ୍ଲା ବ୍ଲକର ଦୁଡା ଗାଁରେ ବିକାଶ କେବଳ ଫଳକରେ!
ନୟାଗଡ଼: ବିଦ୍ୟୁତ ଖୁଣ୍ଟି ଅଛି, ତାର ଅଛି, ହେଲେ ବିଜୁଳି ନାହିଁ। ମୋବାଇଲ୍ ଫୋନ୍ ଅଛି, ଟାୱାର ଅଛି, ହେଲେ ନେଟୱର୍କ ନାହିଁ। ପାନୀୟ ଜଳ ପ୍ରକଳ୍ପ ଅଛି, କିନ୍ତୁ ପାଣି ମିଳୁନି। ବିଦ୍ୟାଳୟ ଅଛି, ହେଲେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଏ ହେଉଛି ନୟାଗଡ଼ ଦଶପଲ୍ଲା ବ୍ଲକର ଦୁଡା ଗାଁ। ଆଦିବାସୀ ଅଧ୍ୟୁଷିତ ଏହି ଗାଁରେ ପ୍ରାୟ ୨୦୦ ଲୋକଙ୍କ ଜୀବନ ଆଜି ବି ମୌଳିକ ସୁବିଧା ଅଭାବରେ କଷ୍ଟକର। ସନ୍ଧ୍ୟା ହେଲେ ହିଂସ୍ର ଜନ୍ତୁଙ୍କ ଭୟ। ଅନ୍ଧାରରେ ଘରେ ତାଟି କବାଟ ପକାଇ ରହୁଛନ୍ତି ଲୋକେ। ଗାଁରେ ବିଦ୍ୟୁତ ଖୁଣ୍ଟି ଅଛି, କିନ୍ତୁ ନିୟମିତ ବିଜୁଳି ସେବା ନାହିଁ। BSNL ଟାୱାର ଅଛି, କିନ୍ତୁ ନେଟୱର୍କ ନାହିଁ। ଜରୁରୀ ସମୟରେ ଫୋନ୍ କରିବା ପାଇଁ ଲୋକଙ୍କୁ ଗଛ କିମ୍ବା ଉଚ୍ଚ ସ୍ଥାନ ଖୋଜିବାକୁ ପଡ଼ୁଛି। କେଵଳ ଏତିକି ନୁହେଁ, ପାଞ୍ଚ ବର୍ଷ ତଳେ ନିର୍ମାଣ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଅଚଳ ହୋଇ ପଡ଼ିଛି। ବିଦ୍ୟାଳୟ ଅଛି, ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ାର ବ୍ୟବସ୍ଥା ଅଛି। କିନ୍ତୁ ଆବଶ୍ୟକ ଶିକ୍ଷକ ନଥିବାରୁ ମାତ୍ର ଦୁଇ ଜଣ ଶିକ୍ଷକଙ୍କ ଭରସାରେ ଚାଲିଛି ଶିକ୍ଷା ବ୍ୟବସ୍ଥା। ସେହିପରି, ରାସ୍ତା ଅବସ୍ଥା ମଧ୍ୟ ଶୋଚନୀୟ। ମୋବାଇଲ୍ ନେଟୱର୍କ ନଥିବାରୁ ବ୍ୟାଙ୍କ ସେବା, ଭତ୍ତା ଟଙ୍କା ଓ ରାସନ୍ ସମ୍ପର୍କିତ କାମ ପାଇଁ ପ୍ରାୟ ୪୫ କିଲୋମିଟର ଦୂର ଦଶପଲ୍ଲା ଯିବାକୁ ପଡ଼ୁଛି। ସବୁଠାରୁ ବଡ଼ କଥା ହେଉଛି, ଗାଁରେ ରହିଛି ସରକାରୀ ଯୋଜନାର ଅନେକ ଫଳକ। କିନ୍ତୁ ଫଳକରେ ବିକାଶ ଦେଖାଯାଉଥିବା ବେଳେ ବାସ୍ତବରେ ଵିକାଶଠୁ ଵହୁ ଦୂରରେ ଗାଁ ଲୋକେ। ବର୍ଷ ବର୍ଷ ଧରି ସମସ୍ୟା ଭିତରେ ଦିନ କାଟୁଛନ୍ତି ଦୁଡାବାସୀ। ସେପଟେ, ଗାଁରେ ତୁରନ୍ତ Jio ଟାୱାର ସ୍ଥାପନ କରିଵା ସହ ବିଦ୍ୟୁତ, ପାନୀୟ ଜଳ, ଶିକ୍ଷା ଓ ଗମନାଗମନ ବ୍ୟବସ୍ଥାର ସ୍ଥାୟୀ ସମାଧାନ କରିଵା ନେଇ ଦାଵି କରିଛନ୍ତି ସ୍ଥାନୀୟ ଵାସିନ୍ଦା।
ଅନ୍ଯପଟେ ଖୁବଶୀଘ୍ର ଦୁଡା ଗାଁରେ ଜନ ଅଭିଯୋଗ ଶୁଣାଣି ଶିବିର କରାଯାଇ ଲୋକଙ୍କ ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନ। ଅପହଞ୍ଚ ଅଞ୍ଚଳ ହୋଇଥିବାରୁ ବିଦ୍ୟୁତ ସମସ୍ୟା ରହୁଛି। ତେବେ ସୋଲାର ପ୍ରକଳ୍ପ ମାଧ୍ୟମରେ ୨୪ ଘଣ୍ଟିଆ ବିଦ୍ୟୁତ ସୁବିଧା ଯୋଗାଇବା ଦିଗରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ମୁଖ୍ୟ ଉନ୍ନୟନ ଅଧିକାରୀ ଲଗ୍ନଜିତ ରାଉତ। ନିର୍ବାଚନ ଆସିଲେ ଦୁଡା ଗାଁରେ ପହଞ୍ଚେ ମେଞ୍ଚା ମେଞ୍ଚା ପ୍ରତିଶ୍ରୁତି। ହେଲେ ନିର୍ବାଚନ ସରିଗଲେ ପୁଣି ସେହି ପୁରୁଣା ଅବସ୍ଥା। ଅପହଞ୍ଚ ଅଞ୍ଚଳ କହି କେତେଦିନ ଅବହେଳିତ ରହିବ ଦୁଡା? ପ୍ରଶାସନର ପ୍ରତିଶ୍ରୁତି ଏବେ କେବେ କାର୍ଯ୍ୟରେ ପରିଣତ ହେଉଛି, ତାହାକୁ ଅପେକ୍ଷା କରିଛନ୍ତି ଦୁଡାବାସୀ।
