ଦେଶସେବା ବେଳେ ଚାଲିଗଲେ ବୀର ବିଏସଏଫ୍ ଯବାନ ଦିଲୀପ ମହାନ୍ତି
ଦେଶସେବା କରୁଥିବା ବେଳେ ଆଖି ବୁଜିଲେ ବିଏସଏଫ୍ ଯବାନ ଦିଲୀପ ମହାନ୍ତି, ଜନ୍ମମାଟିରେ ଅଶ୍ରୁଳ ବିଦାୟ । ରମ୍ପାସ ଗାଁରେ ଶୋକର ଛାୟା।
ଯାଜପୁର ଜିଲ୍ଲା ବ୍ୟାସନଗର ପୌରାଞ୍ଚଳର ରମ୍ପାସ ଗ୍ରାମର ବୀର ସନ୍ତାନ ତଥା ବିଏସଏଫ୍ ଯବାନ ଦିଲୀପ ମହାନ୍ତିଙ୍କ ଦେହାନ୍ତ ଘଟିଛି। ସେ ଭାରତ–ବାଂଲାଦେଶ ସୀମାର ପଶ୍ଚିମବଙ୍ଗର ମାଲଦା ବିଏସଏଫ୍ କ୍ୟାମ୍ପରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ। ସୂଚନା ଅନୁଯାୟୀ, ପ୍ରାୟ ୧୦ ଦିନ ଧରି ସେ ଅସୁସ୍ଥ ଥିଲେ। ଗତ ୪ ତାରିଖରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅଧିକ ଗୁରୁତର ହେବା ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ। ପାର୍ଥିବ ଶରୀର ଜନ୍ମମାଟି ରମ୍ପାସ ଗ୍ରାମରେ ପହଞ୍ଚିବା ପରେ ସମଗ୍ର ଅଞ୍ଚଳ ଶୋକାକୁଳ ହୋଇଉଠିଥିଲା। ବିଏସଏଫ୍ ପକ୍ଷରୁ ବୀର ଯବାନଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ଶେଷ ସମ୍ମାନ ଜଣାଇଥିଲେ। ଏହି ଅବସରରେ ଭବପ୍ରସାଦ ଦାସ, କୋରେଇ ବିଧାୟକ ଆକାଶ ଦାସ ନାୟକ, ବ୍ୟାସନଗର ଅଞ୍ଚଳର ବହୁ ବୁଦ୍ଧିଜୀବୀ, ସମାଜସେବୀ ଓ ଶତାଧିକ ସାଧାରଣ ଲୋକ ଉପସ୍ଥିତ ରହି ବୀର ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଦିଲୀପ ମହାନ୍ତିଙ୍କ ଅକାଳ ବିୟୋଗରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଦେଶ ସେବା କରୁଥିବା ବେଳେ ତାଙ୍କର ଏହି ପରଲୋକ ସମସ୍ତଙ୍କୁ ମର୍ମାହତ କରିଛି।
