ରେଭେନ୍ସାରେ ପୁଣି ବିବାଦ: ବିଧାୟକଙ୍କ ହସ୍ତକ୍ଷେପକୁ ବିରୋଧ, ହଷ୍ଟେଲ ୱାଡେନ୍ ଙ୍କ ସମୂହ ଇସ୍ତଫା
ରେଭେନ୍ସାରେ ପୁଣି ବିବାଦ: ଏଥର ଛାତ୍ର ବିବାଦ ନୁହେଁ, ବରଂ ହଷ୍ଟେଲ କର୍ମଚାରୀଙ୍କ ସହ କଟକ ସଦର ବିଧାୟକଙ୍କ ବ୍ୟବହାରକୁ ନେଇ ବିବାଦ। ହଷ୍ଟେଲ ୱାଡେନ୍ ଙ୍କ ସମୂହ ଇସ୍ତଫା ।
କଟକ: କିଛି ଦିନ ବ୍ୟବଧାନ ପରେ ପୁଣି ଚର୍ଚ୍ଚାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ। ଏଥର ଛାତ୍ର ବିବାଦ ନୁହେଁ, ବରଂ ହଷ୍ଟେଲ କର୍ମଚାରୀଙ୍କ ସହ କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ବ୍ୟବହାରକୁ ନେଇ ଉଠିଛି ବିବାଦ। ସୂଚନା ଅନୁସାରେ, ଗତ ଶନିବାର ରେଭେନ୍ସାର ଇଷ୍ଟ ହଷ୍ଟେଲରେ ଜଣେ ଛାତ୍ର ଓ ୱାଡେନଙ୍କ ମଧ୍ୟରେ କିଛି କଥା କଟାକଟିକୁ ନେଇ ବିବାଦ ଉପୁଜିଥିଲା। ଘଟଣାର ସମାଧାନ ପାଇଁ ଆଲୋଚନା ଚାଲିଥିବା ବେଳେ ଖବର ପାଇ ସଦର ବିଧାୟକ ପ୍ରକାଶ ସେଠୀ ହଷ୍ଟେଲରେ ପହଞ୍ଚିଥିଲେ। ତେବେ ବିଧାୟକ ହଷ୍ଟେଲ ୱାଡେନ ଓ କର୍ମଚାରୀଙ୍କୁ ଅସଭ୍ୟ ଭାଷାରେ କହିଥିବା ଅଭିଯୋଗ ଆଣିଛନ୍ତି ହଷ୍ଟେଲ କର୍ତ୍ତୃପକ୍ଷ। ଏହାକୁ ବିରୋଧ କରି ରେଭେନ୍ସାର ସମସ୍ତ ୱାଡେନ ସମୂହ ଇସ୍ତଫା ଦେଇଛନ୍ତି। ଏହାସହ କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୱାଡେନ ଓ କର୍ମଚାରୀମାନେ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରି ବିଧାୟକଙ୍କ ଅନଧିକାର ହସ୍ତକ୍ଷେପକୁ ନିନ୍ଦା କରିଛନ୍ତି। ଅନ୍ୟପଟେ, ବିଧାୟକ ପ୍ରକାଶ ସେଠୀ ମଧ୍ୟ ନିଜ ପକ୍ଷ ରଖିଛନ୍ତି। ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ସେ ବାଚସ୍ପତିଙ୍କୁ ଚିଠି ଲେଖିଥିବା ଜଣାପଡ଼ିଛି।
ତେବେ ପ୍ରଶ୍ନ ଉଠୁଛି, ରେଭେନ୍ସା ଭଳି ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ଆଭ୍ୟନ୍ତରୀଣ ବିଷୟରେ, ଯେଉଁଠାରେ ନିଜସ୍ୱ ବିଧି ବ୍ୟବସ୍ଥା ରହିଛି, ସେଠାରେ ବିଧାୟକଙ୍କ ହସ୍ତକ୍ଷେପ କାହା ନିର୍ଦ୍ଦେଶରେ ହେଲା? ଏହି ପ୍ରଶ୍ନ ଏବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ହୋଇଛି। ଏନେଇ ରେଭେନ୍ସା କୁଳପତିଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।
