ବାବା ଧବଳେଶ୍ୱରଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଗଞ୍ଜାମ ଗସ୍ତର ଦ୍ୱିତୀୟ ଦିନରେ ପ୍ରାତଃ ଭ୍ରମଣରେ ଆସି ବାବା ଧବଳେଶ୍ୱରଙ୍କ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରାୟ ୩୦ ମିନିଟ୍ ଧରି ପୂଜା କରିବା ସହ ମନ୍ଦିରର ବିକାଶ ପାଇଁ ସହଯୋଗର ଦେଲେ ପ୍ରତିଶ୍ରୁତି।
ବ୍ରହ୍ମପୁର: ଦୁଇ ଦିନିଆ ଗଞ୍ଜାମ ଗସ୍ତରେ ଥିବା ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ଭୋରୁ ପ୍ରାତଃ ଭ୍ରମଣରେ ବାହାରି ବାବା ଧବଳେଶ୍ୱର ମନ୍ଦିରରେ ପହଞ୍ଚି ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ସକାଳ ପ୍ରାୟ ୫ଟାରେ ଗୋଳାବନ୍ଧ ଆର୍ମି ଏଡି କଲେଜରୁ ପ୍ରାୟ ଦୁଇ କିଲୋମିଟର ପାଦଚାରୀ ଭାବେ ଯାଇ ଧବଳେଶ୍ୱର ମନ୍ଦିରରେ ପହଞ୍ଚିଥିଲେ ରାଷ୍ଟ୍ରପତି। ସେଠାରେ ପ୍ରଥମେ ମନ୍ଦିର ପରିକ୍ରମା କରିବା ପରେ ଗର୍ଭଗୃହକୁ ପ୍ରବେଶ କରି ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିଥିଲେ। ପ୍ରାୟ ୩୦ ମିନିଟ୍ ଧରି ପୂଜାର୍ଚ୍ଚନା କରିବା ସହ ମନ୍ଦିରର ହୁଣ୍ଡିରେ ଦାନ ମଧ୍ୟ କରିଥିଲେ। ପୂଜା ସରିବା ପରେ ରାଷ୍ଟ୍ରପତି ପୁଣି ଆର୍ମି ଏଡି କଲେଜକୁ ଫେରିଯାଇଥିଲେ। ଶ୍ରୀଅଙ୍ଗଲାଗି ସେବାୟତ ଶଙ୍କର ରଣାଙ୍କ କହିବାନୁସାରେ, ରାଷ୍ଟ୍ରପତି ମନ୍ଦିରର ପରିବେଶ ଓ ପୂଜା ବ୍ୟବସ୍ଥାରେ ସନ୍ତୋଷ ପ୍ରକାଶ କରିବା ସହ ମନ୍ଦିରର ଆହୁରି ବିକାଶ ପାଇଁ ସହଯୋଗର ପ୍ରତିଶ୍ରୁତି ଦେଇଥିଲେ। ସେ ପୁଣିଥରେ ଧବଳେଶ୍ୱର ମନ୍ଦିରକୁ ଆସିବାକୁ ଇଚ୍ଛା ପ୍ରକାଶ କରିଥିବା ମଧ୍ୟ ସେବାୟତ କହିଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ମନ୍ଦିର ପରିସରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। ସେପଟେ ଆଜି ସ୍ୱତନ୍ତ୍ର ଟ୍ରେନ୍ ରେ ଭୁବନେଶ୍ୱର ଫେରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
