ବାଂଲାଦେଶୀଙ୍କ ବିରୋଧରେ କଡ଼ା ଆକ୍ସନ୍
ଓଡ଼ିଶାରେ ଅବୈଧ ବାଂଲାଦେଶୀଙ୍କ ବିରୋଧରେ ପୋଲିସର କଡ଼ା କାର୍ଯ୍ୟାନୁଷ୍ଠାନ; ୪୮ ଜଣଙ୍କ ମଧ୍ୟରୁ ୪୨ ଜଣଙ୍କୁ ବାଂଲାଦେଶକୁ ପଠାଯାଇଥିବାବେଳେ ଅବଶିଷ୍ଟ ୬ ଜଣ ହୋଲ୍ଡିଂ ସେଣ୍ଟରରେ ।
ଭୁବନେଶ୍ୱର: ଓଡ଼ିଶାରେ ଅବୈଧ ଭାବେ ରହୁଥିବା ବାଂଲାଦେଶୀ ନାଗରିକଙ୍କ ବିରୋଧରେ ପୋଲିସର ସ୍ୱତନ୍ତ୍ର ଅଭିଯାନ ଜାରି ରହିଛି। କଟକ ଓ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ଜିଲ୍ଲା (UPD) ଅଞ୍ଚଳରୁ ଚିହ୍ନଟ ହୋଇଥିବା ମୋଟ ୪୮ ଜଣ ବାଂଲାଦେଶୀ ନାଗରିକଙ୍କ ମଧ୍ୟରୁ ୪୨ ଜଣଙ୍କୁ ବାଂଲାଦେଶକୁ ପଠାଯାଇଥିବାବେଳେ ଅବଶିଷ୍ଟ ୬ ଜଣ ବର୍ତ୍ତମାନ ଆଠଗଡ଼ସ୍ଥିତ ରାଜ୍ୟ ହୋଲ୍ଡିଂ ସେଣ୍ଟରରେ ରହିଛନ୍ତି। ପୋଲିସ ସୂଚନା ଅନୁଯାୟୀ, କଟକ UPD ଅଞ୍ଚଳରୁ ୨୦୨୫ ଜୁଲାଇ ୩୦ ତାରିଖରେ ୧୪ ଜଣ, ୨୦୨୫ ଅଗଷ୍ଟ ୧୨ ତାରିଖରେ ଜଣେ ଏବଂ ୨୦୨୬ ଜୁଲାଇ ୮ ତାରିଖରେ ଜଣେ ବାଂଲାଦେଶୀ ନାଗରିକଙ୍କୁ ପଶ୍ଚିମବଙ୍ଗ ସୀମାନ୍ତ ଚେକ୍ ପୋଷ୍ଟ ମାଧ୍ୟମରେ ଦେଶଛାଡ଼ କରାଯାଇଥିଲା। ଏହା ସହିତ କଟକ UPD ଅଞ୍ଚଳରୁ ମୋଟ ୧୬ ଜଣଙ୍କୁ ବାଂଲାଦେଶକୁ ପଠାଯାଇଛି। ସେହିପରି, ଭୁବନେଶ୍ୱର UPD ଅଞ୍ଚଳରୁ ୨୦୨୫ ଜୁଲାଇ ୨୯ ତାରିଖରେ ୧୬ ଜଣ, ୨୦୨୫ ଅଗଷ୍ଟ ୧୩ ତାରିଖରେ ୮ ଜଣ ଏବଂ ୨୦୨୬ ମାର୍ଚ୍ଚ ୧୫ ତାରିଖରେ ୨ ଜଣଙ୍କୁ ବାଂଲାଦେଶକୁ ପଠାଯାଇଛି। ଚିହ୍ନଟ ୩୨ ଜଣଙ୍କ ମଧ୍ୟରୁ ୨୬ ଜଣଙ୍କୁ ଦେଶଛାଡ଼ କରାଯାଇଥିବାବେଳେ ବାକି ୬ ଜଣଙ୍କୁ ଆଠଗଡ଼ସ୍ଥିତ ରାଜ୍ୟ ହୋଲ୍ଡିଂ ସେଣ୍ଟରରେ ରଖାଯାଇଛି। ଭୁବନେଶ୍ୱର UPD ଅଞ୍ଚଳରୁ ଚିହ୍ନଟ ୩୨ ଜଣଙ୍କ ମଧ୍ୟରେ ୧୦ ଜଣ ପୁରୁଷ, ୧୭ ଜଣ ମହିଳା ଓ ୫ ଜଣ ଶିଶୁ ରହିଛନ୍ତି। ଏହି ଶିଶୁମାନଙ୍କ ମଧ୍ୟରେ ୨ ଜଣ ବାଳକ ଓ ୩ ଜଣ ବାଳିକା ଅଛନ୍ତି। ଅବୈଧ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା, ଯାଞ୍ଚ କରିବା ଏବଂ ଆଇନ ଅନୁଯାୟୀ ଦେଶଛାଡ଼ କରିବା ପ୍ରକ୍ରିୟା ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।
