ଧାନ ମଣ୍ଡି ପାଇଁ ଜମି ଚିହ୍ନଟକୁ ନେଇ ଉତ୍ତେଜନା
ଧାନ ମଣ୍ଡି ପାଇଁ ଜାଗା ଚିହ୍ନଟକୁ ନେଇ କାମାକ୍ଷାନଗରରେ ତେଜିଲା ବିବାଦ, ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା।
କାମାକ୍ଷାନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିଗୋରଡ଼ ପଞ୍ଚାୟତର ତାଳଗୋରଡ଼ ଗାଁରେ ଧାନ ମଣ୍ଡି ପାଇଁ ଜମି ଚିହ୍ନଟକୁ କେନ୍ଦ୍ର କରି ଗ୍ରାମବାସୀ ଓ ପ୍ରଶାସନ ମଧ୍ୟରେ ବିବାଦ ତୀବ୍ର ହୋଇଛି। ଗତକାଲି ଜମି ଚିହ୍ନଟ ପାଇଁ ପ୍ରଶାସନିକ ଟିମ୍ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିବାବେଳେ ଗ୍ରାମବାସୀ ଏହାକୁ ତୀବ୍ର ବିରୋଧ କରିଥିଲେ। ଏହାର ପ୍ରତିବାଦରେ ତାଳଗୋରଡ଼ ଗ୍ରାମବାସୀ ଆଜି କାମାକ୍ଷାନଗର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ନ୍ୟାୟ ଦାବି କରିଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ବିବାଦୀୟ ଜମିକୁ ସେମାନେ ବାପା-ଅଜାଙ୍କ ସମୟରୁ ବିଭିନ୍ନ ସାମାଜିକ, ସାଂସ୍କୃତିକ ଓ ସାର୍ବଜନୀନ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରିଆସୁଛନ୍ତି। କିନ୍ତୁ ବର୍ତ୍ତମାନ ସେହି ଜମିକୁ ପଡ଼ୋଶୀ ବାଇସିଙ୍ଗା ପଞ୍ଚାୟତ ପାଇଁ ଧାନ ମଣ୍ଡି ସ୍ଥାପନ ନିମନ୍ତେ ଚିହ୍ନଟ କରାଯାଉଥିବାରୁ ସେମାନେ ଏହାର ବିରୋଧ କରୁଛନ୍ତି। ପ୍ରତିବାଦକାରୀମାନଙ୍କ କହିବା ଅନୁଯାୟୀ, ସେମାନେ ବାଲିଗୋରଡ଼ ପଞ୍ଚାୟତର ବାସିନ୍ଦା ଏବଂ ପୂର୍ବପୁରୁଷଙ୍କ ସମୟରୁ ବ୍ୟବହୃତ ଏହି ସାର୍ବଜନୀନ ଜମିକୁ ଅନ୍ୟ ପଞ୍ଚାୟତର ଧାନ ମଣ୍ଡି ପାଇଁ ଛାଡ଼ିବେ ନାହିଁ। ସେମାନଙ୍କ ଦାବି, ଯେକୌଣସି ପରିସ୍ଥିତିରେ ଏହି ଜମିର ସୁରକ୍ଷା ପାଇଁ ସେମାନେ ଆନ୍ଦୋଳନ ଜାରି ରଖିବେ। ଘଟଣାକୁ ନେଇ ଗ୍ରାମବାସୀମାନେ କାମାକ୍ଷାନଗର ସହକାରୀ ଜିଲ୍ଲାପାଳଙ୍କ ଜରିଆରେ ଉପଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିରେ ସେମାନେ ବିବାଦୀୟ ଜମିକୁ ଧାନ ମଣ୍ଡି ପାଇଁ ବ୍ୟବହାର ନ କରିବା ସହ ଘଟଣାର ନ୍ୟାୟସଙ୍ଗତ ସମାଧାନ କରିବାକୁ ଦାବି କରିଛନ୍ତି।
