ଚିଲିକା କୂଳରେ ବନ୍ଧା ପଡିଛି ଜାଲ, ଡ଼ଙ୍ଗା
ଚିଲିକା କୂଳିଆ ଅଞ୍ଚଳର ମତ୍ସ୍ୟଜୀବୀଙ୍କ ଵଢୁଛି ଦୁଃଖ। କଳକତି ବା ରାଜଦଳର ଯୋଗୁଁ ମାଛଧରା ସମ୍ପୂର୍ଣ୍ଣ ବାଧାପ୍ରାପ୍ତ, ଜୀବିକା ହରାଇ ଦାଦନ ମୁହାଁ ଏବେ ଶତାଧିକ ପରିବାର।
ଚିଲିକା: ଦାଦନ ମୁହାଁ ଚିଲିକା କୂଳିଆ ୪ ଖଣ୍ଡ ଗାଁର ଶତାଧିକ ମତ୍ସ୍ୟଜୀବୀ ପରିବାର। ଧୀରେ ଧୀରେ କୂଳ ବେଉସା ହରାଇ ଭିଟାମାଟି ଛାଡ଼ିବାକୁ ବାଧ୍ୟ ହେଉଛନ୍ତି ଏମାନେ। ୪ ଖଣ୍ଡ ଗାଁର ପ୍ରାୟ ୫୦୦ ମତ୍ସ୍ୟଜୀବୀ ପରିବାର ଓ ପ୍ରାୟ ୨ ହଜାର ଲୋକ ଚିଲିକା ଉପରେ ନିର୍ଭର କରି ଜୀବନ ଜୀବିକା ନିର୍ବାହ କରନ୍ତି। ଚିଲିକା ସହ ଅନେକ ନଦୀ ସଂଯୁକ୍ତ ଥିବାରୁ ବନ୍ୟା ଜଳ ସହ କଳକତି ବା ରାଜଦଳ ଭାସି ଆସି କୂଳିଆ ଅଞ୍ଚଳକୁ ଘେରି ରହିଛି। ଫଳରେ ଡିସ୍କ ଜାଲ ଦଳ ତଳେ ଚାପି ନଷ୍ଟ ହେଉଛି, ଡଙ୍ଗା ମଧ୍ୟ ଫସି ରହୁଥିବାରୁ ମାଛଧରା ସମ୍ଭବ ହେଉନାହିଁ। ଗତ ଦୁଇ ସପ୍ତାହ ଧରି ହାତ ବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ। ଜୀବିକା ହରାଇ ଅନେକ ଶିକ୍ଷିତ ଯୁବକ କେରଳ, କର୍ଣ୍ଣାଟକ ସମେତ ବିଭିନ୍ନ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି। କେବେ ସରିବ ଚିଲିକା କୂଳିଆ ମତ୍ସ୍ୟଜୀବୀଙ୍କ ଦୁଃଖ? ପ୍ରତିବର୍ଷ ବନ୍ୟା ସମୟରେ ବାଘଲାଞ୍ଜି, ବୋରକୁଦି, କରିମିପୁର ସମେତ ଚିଲିକା ତଟବର୍ତ୍ତୀ ଅନେକ ଗାଁର ଲୋକ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ବଡ଼ଗୋଠରୁ କାଠପେଣ୍ଠ, ଡାମରାକୁଡା ଓ ବାଘଲାଞ୍ଜି ପର୍ଯ୍ୟନ୍ତ କଳକତି ଦଳ ଭରି ରହିଛି।
ପ୍ରତିବର୍ଷ ଏଭଳି ସ୍ଥିତି ଦେଖାଦେଉଥିବାରୁ ସ୍ଥାୟୀ ସମାଧାନ ପାଇଁ ଚିଲିକା ଭିତରେ ଏକ ନାଳ ଖନନ କରିବାକୁ ମତ୍ସ୍ୟଜୀବୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି। ଶୀଘ୍ର କଳକତି ଦଳ ସଫା କରିବା ସହ ସ୍ଥାୟୀ ସମାଧାନ ନ କରାଯାଏ, ତେବେ ଆଗାମୀ ଦିନରେ ଅଧିକ ପରିବାର ଜୀବିକା ହରାଇ ଦାଦନ ମୁହାଁ ହେବେ ବୋଲି ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକ।
