ନକଲି ସାର ଧରି ଯୁଗ୍ମ ଜନଶୁଣାଣିରେ ପହଞ୍ଚିଲେ ଚାଷୀ
ନୀଳଗିରି ବ୍ଲକ ମଛୁଆ ଓ ବେଗୁନିଆ ପଞ୍ଚାୟତରେ ସାର ବଣ୍ଟନରେ ଘୋଟାଲା ଅଭିଯୋଗ । ଜନଶୁଣାଣିରେ ସାର ବସ୍ତା ଧରି ପହଞ୍ଚିଲେ ଚାଷୀ, ଅଧିକାରୀଙ୍କ ଆଗରେ ସାର ଚାଖି ନ୍ୟାୟ ଦାବୀ କଲେ ଚାଷୀ। ଲ୍ୟାବ୍ ଟେଷ୍ଟ ପାଇଁ ଗଲା ନମୁନା।
ନୀଳଗିରି: ନକଲି ସାର ବଣ୍ଟନ ଅଭିଯୋଗରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଯୁଗ୍ମ ଜନଶୁଣାଣିରେ ପହଞ୍ଚିଲେ ଦୁଇ ପଞ୍ଚାୟତର ଚାଷୀ। ହାତରେ ନକଲି ସାରର ବସ୍ତା ଧରି ଅଧିକାରୀଙ୍କ ସାମ୍ନାରେ ଅଭିଯୋଗ କରିବା ସହ ସାର ଚାଖି ଏହା କେବଳ ଲୁଣ ବୋଲି ଦାବି କରିଛନ୍ତି ଚାଷୀ। ନୀଳଗିରି ବ୍ଲକର ମଛୁଆ ଓ ବେଗୁନିଆ ପଞ୍ଚାୟତରେ ସରକାରୀ ସାର ବଣ୍ଟନରେ ଘୋଟାଲା ହୋଇଥିବା ଅଭିଯୋଗ ଆଣିଛନ୍ତି ଚାଷୀମାନେ। ଚାଷୀଙ୍କ ଅଭିଯୋଗ ଅନୁସାରେ, ଓରମାସ ପକ୍ଷରୁ ଏପିଓଙ୍କ ଜରିଆରେ କୃଷିମିତ୍ରଙ୍କ ଦ୍ୱାରା ବେଗୁନିଆ ପଞ୍ଚାୟତର ୧୫ ଜଣ ଏବଂ ମଛୁଆ ପଞ୍ଚାୟତର ୧୪ ଜଣ ଚାଷୀଙ୍କୁ ଡିଏପି, ୟୁରିଆ ଓ ପଟାସ ସାର ବଣ୍ଟନ କରାଯାଇଥିଲା। ମଛୁଆ ଗ୍ରାମରେ ୬୫ ବସ୍ତା ଏବଂ ବେଗୁନିଆ ପଞ୍ଚାୟତରେ ୬୯ ବସ୍ତା ସାର ଦିଆଯାଇଥିବା ବେଳେ ଚାଷୀଙ୍କଠାରୁ ଲକ୍ଷାଧିକ ଟଙ୍କା ନିଆଯାଇଥିବା ଅଭିଯୋଗ ହୋଇଛି। ତେବେ ସାରକୁ ଚାଷ ଜମିକୁ ନେବା ପରେ ସାରର ମାନକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା। ଚାଷୀଙ୍କ ଅଭିଯୋଗ ଅନୁଯାୟୀ, ଡିଏପି ସାର ଧଳା ହେବା ପରିବର୍ତ୍ତେ କଳା ରଙ୍ଗର ଥିଲା। ସେହିପରି ପଟାସ ସାରରେ ଲୁଣ ସହ ଇଟା ଗୁଣ୍ଡ କିମ୍ବା ଲାଲ ରଙ୍ଗର ପଦାର୍ଥ ମିଶିଥିବା ଦେଖିବାକୁ ମିଳିଥିଲା। ଏନେଇ ଚାଷୀମାନେ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ତୁରନ୍ତ କୌଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ କରିଛନ୍ତି। ଶେଷରେ ବାଧ୍ୟ ହୋଇ ଆଜି ସାର ବସ୍ତା ଧରି ଯୁଗ୍ମ ଜନଶୁଣାଣିରେ ପହଞ୍ଚିଥିଲେ ଚାଷୀ।
ସେଠାରେ ଚାଷୀ ଓ ଅଧିକାରୀଙ୍କ ମଧ୍ୟରେ କିଛି ସମୟ ପାଇଁ ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଥିଲା। ବିନା ବିଲ୍ରେ କିପରି ଡୁପ୍ଲିକେଟ୍ ସାର ଚାଷୀଙ୍କୁ ପ୍ରଦାନ କରାଗଲା ଏବଂ ଅଭିଯୋଗ ପରେ ମଧ୍ୟ କାହିଁକି ବିଭାଗୀୟ ଅଧିକାରୀ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ, ତାହାକୁ ନେଇ ପ୍ରଶ୍ନ ଉଠାଇଥିଲେ ଚାଷୀ। ଏପରିକି ଅଧିକାରୀଙ୍କ ସାମ୍ନାରେ ସାର ଚାଖି ଏହା ଲୁଣ ବୋଲି ଦାବି କରିଥିଲେ ଚାଷୀ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରି ନ୍ୟାୟ ଦେବାକୁ ଦାବି କରିଛନ୍ତି ସେମାନେ। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯିବ ବୋଲି ଜିଲ୍ଲାପାଳଙ୍କ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଜିଲ୍ଲା କୃଷି ଅଧିକାରୀ କହିଛନ୍ତି, ବିନା କାଗଜପତ୍ରରେ ସାର ବଣ୍ଟନ କରାଯାଉଥିବାରୁ ପ୍ରଥମେ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏହାପରେ ସାରର ଯାଞ୍ଚ କରାଯାଇ ରିପୋର୍ଟ ଆଧାରରେ ପୁନର୍ବାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଯୋଗ ହୋଇଥିବା ସାର ବସ୍ତାଗୁଡ଼ିକୁ ଜବତ କରାଯାଇ ଲ୍ୟାବ୍ ଟେଷ୍ଟ ପାଇଁ ଭୁବନେଶ୍ୱର ପଠାଯାଇଛି।
