ବାଟଗାଁରେ ସାର କଳାବଜାରୀ ଅଭିଯୋଗ: ଡିଲରଙ୍କ ଦୋକାନରେ କୃଷି ବିଭାଗର ଚଢ଼ାଉ
ଢେଙ୍କାନାଳ କଙ୍କଡ଼ାହାଡ଼ ବାଟଗାଁରେ ସାର କଳାବଜାରୀ, DAP ସାର ବସ୍ତା ୨୩୦୦ ଟଙ୍କାରେ ବିକ୍ରି ଅଭିଯୋଗ । ଚାଷୀଙ୍କ ଅଭିଯୋଗ ପରେ କୃଷି ବିଭାଗର ଚଢ଼ାଉ, ସାର ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍।
କଙ୍କଡ଼ାହାଡ଼: ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଟଗାଁରେ ସାର କଳାବଜାରୀ ହେଉଥିବା ଅଭିଯୋଗକୁ ନେଇ କୃଷି ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି। DAP ସାରର ସରକାରୀ ଦର ବସ୍ତା ପିଛା ୧୩୫୦ ଟଙ୍କା ଥିବାବେଳେ, ଏହାକୁ ପ୍ରାୟ ୧୦୦୦ ଟଙ୍କା ଅଧିକରେ ୨୩୦୦ ଟଙ୍କାରେ ବିକ୍ରି କରାଯାଉଥିବା ନେଇ ଚାଷୀମାନେ ଅଭିଯୋଗ କରିଥିଲେ। ଚାଷୀଙ୍କ ଅଭିଯୋଗ ପରେ କୃଷି ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଛି। କଙ୍କଡ଼ାହାଡ଼ କୃଷି ଅଧିକାରୀଙ୍କ ସମେତ ଏକ ଟିମ୍ ବାଟଗାଁର ସମ୍ପୃକ୍ତ ସାର ଡିଲରଙ୍କ ନିକଟରେ ଚଢ଼ାଉ କରି ବିଭିନ୍ନ କାଗଜପତ୍ର ଓ ସାର ବିକ୍ରି ସମ୍ପର୍କିତ ତଥ୍ୟ ଯାଞ୍ଚ କରିଥିଲେ। ବିଶେଷକରି ଗରିବ ଆଦିବାସୀ ଚାଷୀଙ୍କୁ ଧାର୍ଯ୍ୟ ଦରଠାରୁ ଅଧିକ ମୂଲ୍ୟରେ ସାର ବିକ୍ରି କରାଯାଉଥିବା ନେଇ ଅଭିଯୋଗ ରହିଛି।
ଏହି ଘଟଣାରେ ସମ୍ପୃକ୍ତ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିବା କାମାକ୍ଷାନଗର ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ବେଉରା ପ୍ରକାଶ କରିଛନ୍ତି। କାରଣ ଦର୍ଶାଅ ନୋଟିସର ଉତ୍ତର ସନ୍ତୋଷଜନକ ନହେଲେ ସମ୍ପୃକ୍ତ ଡିଲରଙ୍କ ଲାଇସେନ୍ସ ରଦ୍ଦ କରାଯିବା ସହ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବ ବୋଲି ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ବେଉରା କହିଛନ୍ତି। ସରକାର ଚାଷୀଙ୍କ ପାଇଁ ବିଭିନ୍ନ ବ୍ୟବସ୍ଥା କରୁଥିବା ସତ୍ତ୍ୱେ କିଛି ଅସାଧୁ ଡିଲରଙ୍କ ଯୋଗୁଁ ସାର କଳାବଜାରୀ ନେଇ ସରକାରଙ୍କ ବିରୋଧରେ ଅସନ୍ତୋଷ ବଢ଼ୁଥିବା ଅଭିଯୋଗ ହେଉଛି। ତେଣୁ ଏଭଳି ଅନିୟମିତତା ବିରୋଧରେ କଠୋର ଓ ବିଧିବଦ୍ଧ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି।
