ଲଗାଣ ବର୍ଷାରେ ମାହାଙ୍ଗା ଜଳବନ୍ଦୀ, ଶହ ଶହ ଏକର ଫସଲ ନଷ୍ଟ ଆଶଙ୍କା
ଗୋବରୀ-ମଇଜରାରେ ବଢ଼ୁଛି ଜଳସ୍ତର, ମାହାଙ୍ଗାରେ ବୁଡ଼ିଲା ଶହ ଶହ ଏକର ଚାଷଜମି। ଫସଲ କ୍ଷତିରେ ଚାଷୀ ହତାଶ। ସ୍ଥିତି ପରଖିଥିଲେ ଅଧିକାରୀ।
ମାହାଙ୍ଗା: ଲଗାଣ ବର୍ଷା ଯୋଗୁଁ ମାହାଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଥିବା ବେଳେ ବ୍ୟାପକ ଭାବେ ଫସଲ କ୍ଷତିଗ୍ରସ୍ତ ହୋଇଛି। ଚାଷୀଙ୍କ ତଳି ଓ ଚାରା ବର୍ଷାଜଳରେ ବୁଡ଼ି ରହିବା ସହ ପଚିଯିବା ଆଶଙ୍କା ଦେଖାଦେଇଛି। ଫଳରେ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ସୋମବାର ମାହାଙ୍ଗା ବ୍ଲକର ୩୭ଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଜଳବନ୍ଦୀ ଅଞ୍ଚଳକୁ ପ୍ରଶାସନିକ ଅଧିକାରୀମାନେ ଗସ୍ତ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଗୋବରୀ ଓ ମଇଜରା ନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ନଦୀକୂଳିଆ ଅଞ୍ଚଳର ଲୋକଙ୍କ ଅବସ୍ଥା ମଧ୍ୟ ବେହାଲ ହୋଇପଡ଼ିଛି। ସେହିପରି ବିରୂପା-ଗେଙ୍ଗୁଟି ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି। ଶହ ଶହ ଏକର ଚାଷଜମି ପାଣିରେ ବୁଡ଼ି ରହିଛି। କଟକ ଉପଜିଲ୍ଲାପାଳ, ସ୍ଥାନୀୟ ବିଡିଓ, ତହସିଲଦାରଙ୍କ ସମେତ ଡ୍ରେନେଜ୍ ଡିଭିଜନ, ଜଳସମ୍ପଦ, କୃଷି ଓ ଉଦ୍ୟାନ କୃଷି ବିଭାଗର ଅଧିକାରୀମାନଙ୍କୁ ସାଙ୍ଗରେ ନେଇ ବିଧାୟକ ଶାରଦା ପ୍ରଧାନ ବିଭିନ୍ନ ପଞ୍ଚାୟତରେ ପହଞ୍ଚି ସ୍ଥିତି ପରଖିଥିଲେ। ଏହି ସମୟରେ ବହୁ ଚାଷୀ ନିଜର ଫସଲ କ୍ଷତି ଓ ସମସ୍ୟା ସମ୍ପର୍କରେ ପ୍ରଶାସନିକ ଅଧିକାରୀମାନଙ୍କୁ ଅବଗତ କରାଇଥିଲେ। ବିଧାୟକ ଅଧିକାରୀମାନଙ୍କୁ ଜଳଘେରରେ ଥିବା ବିଭିନ୍ନ ଅଞ୍ଚଳ ବୁଲାଇ ସ୍ଥିତି ଦେଖାଇବା ପରେ ପ୍ରଶାସନିକ ଟିମ୍ ଫେରିଥିଲା। ବର୍ଷା ଓ ବନ୍ୟାଜଳ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ପ୍ରାକ୍ ଆକଳନ କରିବାକୁ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଭାଗୀୟ ମନ୍ତ୍ରୀ ଓ ସଚିବଙ୍କ ସମେତ କଟକ ଜିଲ୍ଲାପାଳଙ୍କୁ ଅବଗତ କରାଯିବ ବୋଲି ସୂଚନା ମିଳିଛି। ତେବେ ମାହାଙ୍ଗା ଅଞ୍ଚଳର କ୍ଷତିଗ୍ରସ୍ତ ଚାଷୀଙ୍କ ପାଇଁ ସରକାର ଆଗକୁ କି ପ୍ରକାର ସହାୟତା ଘୋଷଣା କରୁଛନ୍ତି, ତାହା ଉପରେ ଏବେ ସମସ୍ତଙ୍କ ନଜର।
