ଜାଲରେ ପଡିଲା କୁଇଣ୍ଟାଲ କୁଇଣ୍ଟାଲ ଇଲିସି: କିଲୋ ୬୦୦ରୁ ୧୩୦୦ ଟଙ୍କା
ଲଘୁଚାପ ବର୍ଷାର ପ୍ରଭାବ: ଦୀଘା ମୁହାଣରେ ଜାଲରେ ଭର୍ତ୍ତି କୁଇଣ୍ଟାଲ କୁଇଣ୍ଟାଲ ଇଲିସି ମାଛ। ବିପୁଳ ପରିମାଣରେ ଇଲିସି ଧରାପଡ଼ିବା ପରେ ଖୁସିରେ ମତ୍ସ୍ୟଜୀବୀ।
ଭୋଗରାଇ: ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିଛି କୁଇଣ୍ଟାଲ କୁଇଣ୍ଟାଲ ଇଲିସି ମାଛ। ବିପୁଳ ପରିମାଣରେ ଇଲିସି ଧରାପଡ଼ିବା ପରେ ଖୁସିରେ ମତ୍ସ୍ୟଜୀବୀ। ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରରେ ଇଲିସି ଦେଖିବା ପାଇଁ ପର୍ଯ୍ୟଟକଙ୍କ ମଧ୍ୟରେ ମଧ୍ୟ ଭିଡ଼ ଜମିଛି। କିଲୋ ପିଛା ୬ଶହରୁ ୧୩ ଶହ ଟଙ୍କା ଭିତରେ ଦାମ ରହିଛି। ମତ୍ସ୍ୟଜୀବୀଙ୍କ କହିବା ଅନୁଯାୟୀ, ବର୍ଷା ଋତୁରେ ଇଲିସି ମାଛ ସମୁଦ୍ରରୁ ଉପକୂଳ ଆଡ଼କୁ ଆସିଥାନ୍ତି। ଉପର ମୁଣ୍ଡରେ ଯେତେ ଅଧିକ ବର୍ଷା ହୁଏ, ସେତେ ଅଧିକ ମାତ୍ରାରେ ମିଠା ପାଣି ଖାଇବା ପାଇଁ ଇଲିସି ଉପକୂଳ ଆଡ଼କୁ ଆସିଥାନ୍ତି। ବର୍ତ୍ତମାନ ଉପର ମୁଣ୍ଡରେ ଲଘୁଚାପଜନିତ ବର୍ଷା ହେଉଥିବାରୁ ଦୀଘା ମୁହାଣରେ ଆଜି ବିପୁଳ ପରିମାଣରେ ଇଲିସି ମାଛ ଜାଲରେ ପଡ଼ିଥିବା ଦେଖିଵାକୁ ମିଳିଛି । ଆଗାମୀ ଦିନରେ ଆହୁରି ଅଧିକ ପରିମାଣରେ ଇଲିସି ଧରାପଡ଼ିବ ବୋଲି ଆଶା ରଖିଛନ୍ତି ମତ୍ସ୍ୟଜୀବୀ। ଦୀଘା ମୁହାଣ ମତ୍ସ୍ୟ ଅବତରଣ କେନ୍ଦ୍ରରୁ ସାରା ବିଶ୍ୱକୁ ଏହି ମାଛ ରପ୍ତାନି କରାଯାଏ ବୋଲି ମତ୍ସ୍ୟଜୀବୀ ମାନେ କହିଛନ୍ତି।
