ରାଜ୍ୟସଭାରେ ଏନଡିଏର ଐତିହାସିକ ସଫଳତା: ପ୍ରଥମ ଥର ପାଇଁ ଛୁଇଁଲା ୧୫୦ ଆସନ
ରାଜ୍ୟସଭାର ୨୬ଟି ଆସନରେ ହୋଇଥିବା ନିର୍ବାଚନ ପରେ ଉଚ୍ଚ ସଦନରେ ଶାସକ ଦଳ ଏନଡିଏ (NDA) ର ଶକ୍ତି ଆହୁରି ବୃଦ୍ଧି ପାଇଛି।

ନୂଆଦିଲ୍ଲୀ: ରାଜ୍ୟସଭାରେ ଏନଡିଏର ଐତିହାସିକ ସଫଳତା । ପ୍ରଥମ ଥର ପାଇଁ ଛୁଇଁଲା ୧୫୦ ଆସନ । ରାଜ୍ୟସଭାର ୨୬ଟି ଆସନରେ ହୋଇଥିବା ନିର୍ବାଚନ ପରେ ଉଚ୍ଚ ସଦନରେ ଶାସକ ଦଳ ଏନଡିଏ (NDA) ର ଶକ୍ତି ଆହୁରି ବୃଦ୍ଧି ପାଇଛି। ଏହି ନିର୍ବାଚନରେ ଏନଡିଏ ମୋଟ ୧୯ଟି ଆସନ ଜିତିଛି, ଯାହା ଫଳରେ ସଦନରେ ଏହାର ସଦସ୍ୟ ସଂଖ୍ୟା ୧୫୦ରେ ପହଞ୍ଚିଛି। ଏବେ ଏନଡିଏ ଦୁଇ-ତୃତୀୟାଂଶ ବହୁମତଠାରୁ ମାତ୍ର ୧୩ଟି ଆସନ ଦୂରରେ ରହିଛି । ଏହିପରି ଭାବେ ପ୍ରଥମ ଥର ପାଇଁ ଏନଡିଏ ଧୀରେ ଧୀରେ ରାଜ୍ୟସଭାରେ ଦୁଇ-ତୃତୀୟାଂଶ ବହୁମତ ଆଡ଼କୁ ଅଗ୍ରସର ହେଉଛି । ୧୫୦ ଆସନର ଏହି ସଂଖ୍ୟା ମଧ୍ୟ ଏନଡିଏ ପ୍ରଥମ ଥର ପାଇଁ ହାସଲ କରିଛି । ହୋଇଥିବା ନିର୍ବାଚନରେ ଏନଡିଏକୁ ୧୯ଟି ଆସନ ମିଳିଥିବା ବେଳେ କଂଗ୍ରେସ ନେତୃତ୍ୱାଧୀନ 'ଇଣ୍ଡିଆ' (INDIA) ମେଣ୍ଟ ଖାତାକୁ ୬ଟି ଆସନ ଯାଇଛି। ଅନ୍ୟ ଗୋଟିଏ ଆସନ ମିଜୋରାମର ଆଞ୍ଚଳିକ ଦଳ 'ଜୋରାମ ପିପୁଲ୍ସ ମୁଭମେଣ୍ଟ' (ZPM) କୁ ମିଳିଛି । ସଂସଦର ଉଚ୍ଚ ସଦନ (ରାଜ୍ୟସଭା) ରେ ମୋଟ ଆସନ ସଂଖ୍ୟା ୨୪୫ । ଦୁଇ-ତୃତୀୟାଂଶ ବହୁମତ ପାଇଁ ୧୬୩ଟି ଆସନ ଆବଶ୍ୟକ। ଏହି ଦୃଷ୍ଟିରୁ ବିଜେପି ନେତୃତ୍ୱାଧୀନ ଏନଡିଏ ମାତ୍ର ୧୩ଟି ଆସନ ପଛରେ ରହିଛି । ନିର୍ବାଚନ ପୂର୍ବରୁ ଏନଡିଏ ପାଖରେ ୧୪୮ ଜଣ ସାଂସଦ ଥିଲେ, ହେଲେ ଫଳାଫଳ ଆସିବା ପରେ ସଂଖ୍ୟାରେ ଆଉ ଦୁଇଟି ଆସନ ବୃଦ୍ଧି ପାଇଛି। ଝାଡ଼ଖଣ୍ଡରେ ବିଜେପି ସମର୍ଥିତ ପ୍ରାର୍ଥୀ ପରିମଲ ନାଥୱାନୀ ବିଜୟୀ ହୋଇଛନ୍ତି। ରାଜ୍ୟର ବିଧାୟକମାନଙ୍କ ମଧ୍ୟରେ କ୍ରସ୍-ଭୋଟିଂ ହେବା ଯୋଗୁଁ ନାଥୱାନୀଙ୍କୁ ଏହି ସଫଳତା ମିଳିଛି । ଏହି ନିର୍ବାଚନ ଫଳାଫଳ ପରେ ବିରୋଧୀ 'ଇଣ୍ଡିଆ' ମେଣ୍ଟ ମଧ୍ୟରେ ବିବାଦ ତୀବ୍ର ହେବାରେ ଲାଗିଛି । କଂଗ୍ରେସର ଅଭିଯୋଗ ଯେ, ଆରଜେଡି (RJD) ଏବଂ ସିପିଆଇ-ଏମଏଲ (CPI-ML) ର ୬ ଜଣ ବିଧାୟକ ସେମାନଙ୍କ ପ୍ରାର୍ଥୀ ପ୍ରଣବ ଝାଙ୍କୁ ଭୋଟ୍ ଦେଇନାହାନ୍ତି, ଯାହାଫଳରେ ତାଙ୍କର ପରାଜୟ ହୋଇଛି। ନିର୍ବାଚନରେ ଆଉ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ପ୍ରଥମ ଥର ପାଇଁ ମିଜୋରାମର ଏକ ଆଞ୍ଚଳିକ ଦଳକୁ ରାଜ୍ୟସଭାକୁ ଯିବାର ସୁଯୋଗ ମିଳିଛି। 'ଜୋରାମ ପିପୁଲ୍ସ ମୁଭମେଣ୍ଟ'ର ପ୍ରାର୍ଥୀ କେ. ଲାଲ୍ତଲୁ ଆଙ୍ଗକିମା଼ ଉଚ୍ଚ ସଦନକୁ ନିର୍ବାଚିତ ହୋଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଜୁନ୍ ୧୧ ତାରିଖରେ ୨୪ଟି ଆସନର ଫଳାଫଳ ପ୍ରକାଶ ପାଇଥିଲା । ସେହି ଆସନଗୁଡ଼ିକରେ କୌଣସି ପ୍ରତିଦ୍ୱନ୍ଦ୍ୱିତା ହୋଇନଥିଲା । ସର୍ବସମ୍ମତି କ୍ରମେ ୨୪ ଜଣ ସାଂସଦ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୧୯ଟି ଆସନ ଏନଡିଏକୁ ମିଳିଥିବା ବେଳେ ୫ଟି ଆସନରେ ବିରୋଧୀ ଦଳ ବିଜୟୀ ହୋଇଥିଲେ।
