Nayagarh Shiva-Parvati Puja:ନୟାଗଡ଼ରେ ନିଆରା ଦଶହରା, ପୂଜା ପାଉଛନ୍ତି ଶିବ-ପାର୍ବତୀ
ଦଶହରାରେ ଚାରିଆଡ଼େ ମା’ ଦୁର୍ଗାଙ୍କ ଆରାଧନା। ହେଲେ ନୟାଗଡ଼ର ପୁରୁଣା ସହରରେ ଦେଖିବାକୁ ମିଳେ ଏକ ଭିନ୍ନ ପରମ୍ପରା। ଏଠାରେ ମା’ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ଦେବଦେବ ମହାଦେବ ଓ ମା’ ପାର୍ବତୀ।

ନୟାଗଡ଼:ଦଶହରା ଅବସରରେ ଚଳଚଞ୍ଚଳ ନୟାଗଡ଼। ସହରଠାରୁ ଗାଁ, ସବୁଠି ପାର୍ବଣର ମାହୋଲ। ବିଭିନ୍ନ ପୂଜାମଣ୍ଡପରେ ମା’ ଦୁର୍ଗତିନାଶିନୀଙ୍କ ଆରାଧନା ଚାଲିଥିବା ବେଳେ ନୟାଗଡ଼ର ପୁରୁଣା ସହରରେ ଦେଖିବାକୁ ମିଳେ ଏକ ନିଆରା ପରମ୍ପରା। ଏଠାରେ ମା’ ଦୁର୍ଗାଙ୍କ ବଦଳରେ ପୂଜା ପାଉଛନ୍ତି ଦେବଦେବ ମହାଦେବ ଓ ମା’ ପାର୍ବତୀ।କୁହାଯାଏ, ଗଡ଼ଜାତ ନୟାଗଡ଼ରେ ଯେତେବେଳେ ଅନ୍ୟ କୌଣସି ସ୍ଥାନରେ ଦୁର୍ଗାପୂଜାର ପ୍ରଚଳନ ନଥିଲା, ସେହି ସମୟରେ ୧୯୬୨ ମସିହାରେ ନୟାଗଡ଼ର ପୁରୁଣା ସହରରେ ଶିବ-ପାର୍ବତୀଙ୍କ ପୂଜା ଆରମ୍ଭ ହୋଇଥିଲା। ସେବେଠାରୁ ଏହି ପରମ୍ପରା ଆଜିଯାଏ ଚାଲିଆସିଛି। ବର୍ଷ ପରେ ବର୍ଷ ଏହି ପୂଜା ସ୍ଥାନୀୟ ଅଞ୍ଚଳର ଏକ ସ୍ୱତନ୍ତ୍ର ପରିଚୟ ପାଲଟିଛି।
ଏହି ପୂଜାର ଅନ୍ୟତମ ମୁଖ୍ୟ ଆକର୍ଷଣ ହେଉଛି ଭସାଣି । ଶିବ-ପାର୍ବତୀଙ୍କ ଭସାଣିକୁ ଦେଖିବା ପାଇଁ ଲୋକଙ୍କ ମଧ୍ୟରେ ବିଶେଷ ଉତ୍ସାହ ରହିଥାଏ। ପାରମ୍ପରିକ ରୀତିନୀତି ଓ ଭକ୍ତିଭାବ ମଧ୍ୟରେ ଏଠାରେ ଦଶହରା ପାଳନ ହେଉଥିବାରୁ ନୟାଗଡ଼ର ଏହି ପୁରୁଣା ସହରର ପୂଜା ଅନ୍ୟ ସ୍ଥାନଠାରୁ ଭିନ୍ନ। ଦଶହରାର ଏହି ନିଆରା ପରମ୍ପରା ଆଜି ବି ଲୋକଙ୍କ ମନରେ ଉତ୍ସୁକତା ଓ ଆକର୍ଷଣ ସୃଷ୍ଟି କରୁଛି।
