Student Leader Arrest:ଛାତ୍ର ନେତାଙ୍କୁ ହ୍ୟାଣ୍ଡକଫ୍ ପକାଇଲା ପୋଲିସ
ମାଲକାନଗିରିରେ କଂଗ୍ରେସର ରାଜ୍ୟ ଛାତ୍ର ସମ୍ପାଦକ ସନ୍ତୋଷ ପଟ୍ଟନାୟକଙ୍କ ଗିରଫକୁ ନେଇ ରାଜନୈତିକ ଉତ୍ତେଜନା ବଢ଼ିଛି। ଛାତ୍ର ନିର୍ବାଚନକୁ କେନ୍ଦ୍ର କରି ଆକ୍ରୋଶମୂଳକ କାର୍ଯ୍ୟାନୁଷ୍ଠାନ ଓ ହ୍ୟାଣ୍ଡକଫ୍ ପକାଇ କୋର୍ଟରେ ହାଜର କରାଯିବାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି।

ମାଲକାନଗିରି:ମାଲକାନଗିରିରେ ଜଣେ ଛାତ୍ର ନେତାଙ୍କୁ ହ୍ୟାଣ୍ଡକଫ୍ ପକାଇ କୋର୍ଟରେ ହାଜର କରାଯିବା ଘଟଣାକୁ ନେଇ ତେଜିଛି ରାଜନୀତି। କଂଗ୍ରେସର ରାଜ୍ୟ ଛାତ୍ର ସମ୍ପାଦକ ସନ୍ତୋଷ ପଟ୍ଟନାୟକଙ୍କ ଗିରଫଦାରୀକୁ ନେଇ ପୁଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇଛି ଦଳ। ନିକଟରେ ହୋଇଥିବା ଛାତ୍ର ନିର୍ବାଚନକୁ ନେଇ ଏହି ଗିରଫଦାରୀ ଆକ୍ରୋଶମୂଳକ ବୋଲି କଂଗ୍ରେସ ଅଭିଯୋଗ କରିଛି।ଥାନା କେସ୍ ନମ୍ବର ୬୦୩/୨୬ରେ ଅରୁଣ କୁମାର ପଟ୍ଟନାୟକଙ୍କ ଅଭିଯୋଗ ଆଧାରରେ ମାଲକାନଗିରି ପୁଲିସ ସନ୍ତୋଷଙ୍କୁ ଗିରଫ କରିଛି। ଏହି ଘଟଣାରେ ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ ତଥା ଆଇନଜୀବୀ ଗୋବିନ୍ଦ ପାତ୍ର ପୁଲିସର କାର୍ଯ୍ୟପ୍ରଣାଳୀକୁ ନେଇ ତୀବ୍ର ଆପତ୍ତି ଉଠାଇଛନ୍ତି। ଜଣେ ଛାତ୍ର ନେତାଙ୍କୁ ହ୍ୟାଣ୍ଡକଫ୍ ପକାଇ କୋର୍ଟରେ ହାଜର କରିବା କେତେ ଯୁକ୍ତିଯୁକ୍ତ, ତାହାକୁ ନେଇ ସେ ପ୍ରଶ୍ନ କରିଛନ୍ତି।ଅନ୍ୟପଟେ, ଏହି ବିବାଦ ଉପରେ ମାଲକାନଗିରି ଏସ୍ପି ପ୍ରତିକ୍ରିୟା ରଖିଛନ୍ତି। ପୁଲିସର କାର୍ଯ୍ୟଶୈଳୀ ସମ୍ପର୍କରେ ଲିଖିତ ଅଭିଯୋଗ ମିଳିଲେ ଘଟଣାର ତଦନ୍ତ କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି। ଏବେ ଏହି ଗିରଫଦାରୀ ଓ ହ୍ୟାଣ୍ଡକଫ୍ ବ୍ୟବହାରକୁ ନେଇ ରାଜନୈତିକ ବିବାଦ ଜୋର୍ ଧରିଛି।
