Cuttack Dussehra:ଘଣ୍ଟଘଣ୍ଟାରେ କମ୍ପୁଛି ସିଲଭର ସିଟି, ମଣ୍ଡପରେ ଭକ୍ତଙ୍କ ଭିଡ଼
ମା’ ଦୁର୍ଗାଙ୍କ ଆଗମନରେ ଉତ୍ସବମୁଖର ସିଲଭର ସିଟି କଟକ। ମହାନବମୀରେ ମଣ୍ଡପେ ମଣ୍ଡପେ ଚାଲିଛି ପୂଜାର୍ଚ୍ଚନା। କେଉଁଠି ମାଛ ଭୋଗ, ତ ଆଉ କେଉଁଠି ନଅ ଜଣ କୁମାରୀଙ୍କୁ ଦେବୀ ରୂପରେ ପୂଜା କରାଯାଉଛି।
କଟକ:ଶାରଦୀୟ ଦୁର୍ଗାପୂଜାକୁ ନେଇ ଦୁଲୁକୁଛି ସିଲଭର ସିଟି କଟକ। ଧରାପୃଷ୍ଠକୁ ଅବତରଣ କରିଛନ୍ତି ଜଗତଜନନୀ ମା’ ଦୁର୍ଗା। ଘଣ୍ଟଘଣ୍ଟା ଓ ପାରମ୍ପରିକ ବାଦ୍ୟର ଧ୍ୱନିରେ ପ୍ରକମ୍ପିତ ହେଉଛି ସହରର ବିଭିନ୍ନ ପୂଜାମଣ୍ଡପ। ମହାନବମୀ ଅବସରରେ ସବୁଠି ପରମ୍ପରା ଓ ରୀତିନୀତି ଅନୁଯାୟୀ ମା’ଙ୍କ ପୂଜାର୍ଚ୍ଚନା ଚାଲିଥିବା ବେଳେ କେତେକ ମଣ୍ଡପରେ ଦେଖିବାକୁ ମିଳିଛି ସ୍ୱତନ୍ତ୍ର ପରମ୍ପରା।କଟକର ପୁରାତନ ପୂଜାମଣ୍ଡପ ଚନ୍ଦନୀଚୌକରେ ମହାନବମୀରେ ମା’ଙ୍କ ନିକଟରେ ମାଛ ଭୋଗ ଲାଗି କରାଯାଇଛି। ଏହି ନିଆରା ପରମ୍ପରା ଦୀର୍ଘ ବର୍ଷ ଧରି ଏଠାରେ ପାଳନ ହୋଇଆସୁଛି। ଅନ୍ୟପଟେ ନବମୀ ଅବସରରେ ହରିପୁର ଦୋଳମୁଣ୍ଡାଇ ପୂଜାମଣ୍ଡପରେ କୁମାରୀ ପୂଜା ଅନୁଷ୍ଠିତ ହୋଇଛି। ପରମ୍ପରା ଅନୁଯାୟୀ, ନଅ ଜଣ କୁମାରୀଙ୍କୁ ଦେବୀଙ୍କ ସ୍ୱରୂପ ଭାବେ ପୂଜା କରାଯାଇଛି। ପୂଜକଙ୍କ ମନ୍ତ୍ରୋଚ୍ଚାରଣରେ ମଣ୍ଡପଗୁଡ଼ିକରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ।ସେହିପରି କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ବ୍ଲକ୍ ଖଣ୍ଡସାହି ବିଂଶଭୁଜା ପୂଜାମଣ୍ଡପରେ ଅଷ୍ଟମୀ ପୂଜା ଅନୁଷ୍ଠିତ ହୋଇଛି। ୩୮ ବର୍ଷର ଏହି ପୂଜାମଣ୍ଡପରେ ମା’ଙ୍କ ଦର୍ଶନ ପାଇଁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି। ଗାଁଠୁ ସହର ସବୁଠି ଦୁର୍ଗାପୂଜାର ଉତ୍ସାହ ଓ ଆଧ୍ୟାତ୍ମିକ ପରିବେଶ।
