Language Dispute Tamilnadu: ହିନ୍ଦୀ ଭାଷାକୁ ସମ୍ପୂର୍ଣ୍ଣ ରୂପେ ବାଦ୍ ଦିଆଯାଇପାରିବନି- ସୁପ୍ରିମକୋର୍ଟ
ହିନ୍ଦୀ ଭାଷାକୁ ତାମିଲନାଡୁରୁ ସମ୍ପୂର୍ଣ୍ଣ ରୂପେ ବାଦ୍ ଦିଆଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିବା ସହ ରାଜ୍ୟ ସରକାରଙ୍କୁ ନିଜ ମାନସିକତା ବଦଳାଇବାକୁ ତାଗିଦ୍ କରିଛନ୍ତି।
ନୂଆଦିଲ୍ଲୀ: ତାମିଲନାଡୁରେ ଦୀର୍ଘ ଦିନରୁ ଚାଲି ଆସୁଥିବା ଜବାହର ନବୋଦୟ ବିଦ୍ୟାଳୟ (ଜେଏନଭି)ର ସ୍ଥାପନା କୁ ନେଇ ଦାବି ଏବେ ଆଇନଗତ ମୋଡ ନେଇଛି | ହିନ୍ଦୀ ଭାଷା କୁ କେନ୍ଦ୍ରକରି ରାଜ୍ୟ ସରକାରଙ୍କ ବିରୋଧ ଉପରେ ସୁପ୍ରିମକୋର୍ଟ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ମାଡ୍ରାସ ଉଚ୍ଚ ନ୍ୟାୟାଳୟର ରାଜ୍ୟ ଭାଷା ନୀତି କୁ ଧ୍ୟାନ ରେ ରଖି ନିଆଯାଇଥିବା ନିଷ୍ପତି ବିରୋଧରେ କରାଯାଇଥିବା ପିଟିସନ ଶୁଣାଣିରେ, ହିନ୍ଦୀ ଭାଷାକୁ ତାମିଲନାଡୁରୁ ସମ୍ପୂର୍ଣ୍ଣ ରୂପେ ବାଦ୍ ଦିଆଯାଇପାରିବ ନାହିଁ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିବା ସହ ରାଜ୍ୟ ସରକାରଙ୍କୁ ନିଜ ମାନସିକତା ବଦଳାଇବାକୁ ତାଗିଦ୍ କରିଛନ୍ତି। ତାମିଲନାଡୁର ପୁରୁଣା ଦ୍ଵିଭାଷିୟ (ତାମିଲ ଆଉ ଇଂରାଜୀ ) ଏବଂ କେନ୍ଦ୍ର ସରକାରଙ୍କ ତ୍ରିଭାଷିୟ ନୀତି ମଧ୍ୟରେ ଚାଲିଥିବା ଟକ୍କର ବିବାଦର ମୁଖ୍ୟ କାରଣ ପାଲଟିଛି | ମାମଲାର ଶୁଣାଣି ସମୟରେ, ତାମିଲନାଡୁ ସରକାରଙ୍କ ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ଜୟଦୀପ ଗୁପ୍ତା ଯୁକ୍ତି କରିଥିଲେ ଯେ, ନବୋଦୟ ବିଦ୍ୟାଳୟଗୁଡ଼ିକରେ ହିନ୍ଦୀକୁ ପ୍ରାଧାନ୍ୟ ଦିଆଯାଉଥିବା ବେଳେ ତାମିଲକୁ ଅଣଦେଖା କରାଯାଉଛି, ଯାହା ରାଜ୍ୟର ଶିକ୍ଷା ନୀତିର ବିପରୀତ। ତେବେ,କୋର୍ଟ କିନ୍ତୁ ଏହାକୁ ଗ୍ରହଣ ନକରି କହିଥିଲେ ଯେ, "ତାମିଲନାଡୁ ମାଟିରେ ହିନ୍ଦୀ ପଢ଼ାଯାଇପାରିବ ନାହିଁ, ଏଭଳି ଜିଦ୍ ଠିକ୍ ନୁହେଁ। ଚେନ୍ନାଇର ଲୋକଙ୍କୁ ଦିଲ୍ଲୀଠାରୁ ଅଲଗା କରିବା ଉଚିତ୍ ନୁହେଁ।" ବିଚାରପତି ବି.ଭି ନାଗରତ୍ନା ଏବଂ ଅଗଷ୍ଟିନ ଜର୍ଜ ମସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ସମୟରେ କହିଛନ୍ତି ଯେ,କେନ୍ଦ୍ରର ନୀତିକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ସଂଘୀୟ ବ୍ୟବସ୍ଥା ବିରୋଧୀ। ରାଜ୍ୟଗୁଡ଼ିକ ସ୍ୱାଧୀନ ଦେଶ ଭଳି କାମ କରିବା ଉଚିତ୍ ନୁହେଁ । ଏଥିସହ ପ୍ରତି ଜିଲ୍ଲାରେ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଜମି ଚିହ୍ନଟ କରିବାକୁ ପୂର୍ବରୁ ଦିଆଯାଇଥିବା ଆଦେଶକୁ ପ୍ରତ୍ୟାହାର କରିବାକୁ, କୋର୍ଟ ରୋକଠୋକ୍ ମନା କରିଦେଇଛନ୍ତି। ଗ୍ରାମୀଣ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ ନକରି କେନ୍ଦ୍ର ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବା ପାଇଁ ସୁପ୍ରିମକୋର୍ଟ ତାମିଲନାଡୁ ସରକାରଙ୍କୁ ୩ ମାସର ସମୟ ଦେଇଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୪ ତାରିଖରେ ହେବ। ଏହି ଯାଚିକାର ଅନ୍ତିମ ନିଷ୍ପତି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଶିକ୍ଷା ଓ ଭାଷା ନୀତି ସମ୍ବନ୍ଧୀୟ ସନ୍ତୁଳନ କୁ ପ୍ରଭାଵିତ କରିବ |
