MMDR ଆଇନ ବିରୋଧରେ ନବୀନଙ୍କ ରଣହୁଙ୍କାର, କହିଲେ- ଓଡ଼ିଶାର ଅଧିକାର ପାଇଁ ଲଢ଼ିବି
MMDR ଆଇନକୁ ନେଇ ନବୀନଙ୍କ ଆନ୍ଦୋଳନ, କହିଲେ- ‘ଓଡ଼ିଶାର ଅଧିକାର ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢ଼ିବି’ ।

ଭୁବନେଶ୍ୱର: MMDR ସଂଶୋଧନ ଆଇନକୁ ନେଇ ଓଡ଼ିଶାରେ ତେଜିଛି ରାଜନୀତି। ଏହି ଆଇନକୁ ବିରୋଧ କରି ବିଜେଡି ପକ୍ଷରୁ ଆୟୋଜିତ ବିଶାଳ ବିକ୍ଷୋଭରେ ସାମିଲ ହୋଇଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ବିକ୍ଷୋଭରେ ଯୋଗଦେଇ ଓଡ଼ିଶାର ଖଣିଜ ସମ୍ପଦ ଓ ରାଜ୍ୟର ଅଧିକାର ପ୍ରସଙ୍ଗ ଉଠାଇଛନ୍ତି ନବୀନ। ନବୀନ ନିଜ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି, ସଂଶୋଧିତ MMDR ଆଇନ ଓଡ଼ିଆଙ୍କ ଅଧିକାର ଛଡ଼ାଇ ନେଇଛି। ଏହା କେବଳ ଏକ ସାଧାରଣ ଆଇନ ନୁହେଁ, ବରଂ ରାଜ୍ୟର ଅଧିକାର ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ବୋଲି ସେ ଦାବି କରିଛନ୍ତି। ଆଇନ ପାରିତ ହେବା ପୂର୍ବରୁ ପର୍ଯ୍ୟାପ୍ତ ଆଲୋଚନା ହୋଇନଥିବା ଅଭିଯୋଗ କରି ଓଡ଼ିଶାର BJP ସାଂସଦଙ୍କ ଭୂମିକା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ନବୀନ। ଏହାସହ ରାଜ୍ୟ ସରକାରଙ୍କ ନୀରବତାକୁ ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି। MMDR ସଂଶୋଧନ ଆଇନ ପ୍ରସଙ୍ଗରେ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିବା କହିଛନ୍ତି ନବୀନ।

ଏହାସହ ଆଇନକୁ ବିରୋଧ କରି ବିଧାନସଭାରେ ପ୍ରସ୍ତାବ ଆଣିବାକୁ ମଧ୍ୟ ସେ ଦାବି କରିଥିବା ନିଜ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ନବୀନଙ୍କ ଦାବି ଅନୁସାରେ, ଏହି ଆଇନ ଯୋଗୁଁ ଓଡ଼ିଶା ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର କ୍ଷତି ସହିପାରେ। ରାଜ୍ୟର ସ୍ୱାର୍ଥ ସହ ଜଡ଼ିତ ଏହି ପ୍ରସଙ୍ଗରେ ସରକାର କାହିଁକି ନୀରବ ରହିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ନବୀନ କହିଛନ୍ତି, ଓଡ଼ିଶାର ଅଧିକାର ପାଇଁ ସେ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢ଼ିବେ। ଏହି ଲଢ଼େଇରେ ସମସ୍ତ ରାଜନୈତିକ ଦଳ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି। MMDR ସଂଶୋଧନ ଆଇନକୁ ଓଡ଼ିଶାରେ କାର୍ଯ୍ୟକାରୀ ନକରିବା ପାଇଁ ଏକାଠି ହୋଇ ଲଢ଼େଇ କରିବାକୁ ନବୀନ ଆହ୍ୱାନ ଦେଇଛନ୍ତି। ଶେଷରେ ‘ଆମେ ଲଢ଼ିବା, ଆମ ଅଧିକାର ଫେରାଇ ଆଣିବା’ ବୋଲି କହିଛନ୍ତି।
