ବାଇକ ହର୍ଣ୍ଣ ବଜାଇବାରୁ ଯୁବକଙ୍କୁ ମର୍ଡର
ଦିଲ୍ଲୀର ଗାଜିଆବାଦରେ ଅଭାବନୀୟ ଘଟଣା। ବାଇକର ହର୍ଣ୍ଣ ବଜାଇବାରୁ ପଡ଼ୋଶୀ ଗୁଳିରେ ଯୁବକ ମୃତ। ଆଉ ରକ୍ଷା କରିବାକୁ ଆସିଥିବା ଯୁବକଙ୍କ ଭାଇ ବି ଗୁଳି ମାଡ଼ରେ ଆହତ। ଅଭିଯୁକ୍ତ ଫେରାର୍।

ଗାଜିଆବାଦ: ଦିଲ୍ଲୀର ଗାଜିଆବାଦରୁ ଆସିଛି ଏକ ଅଭାବନୀୟ ଘଟଣା। ଗାଜିଆବାଦର ଲୋନି ବର୍ଡର ଥାନା ଅଞ୍ଚଳର ରତିରାମ କଲୋନୀରେ ବାଇକର ହର୍ନ ବଜାଇବାକୁ ନେଇ ବିବାଦ ହେବାରୁ, ଜଣେ ବାଇକ ଆରୋହୀ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ଭାଇଙ୍କୁ ମଧ୍ୟ ମାଡ଼ ମାରି ଆହତ କରାଯାଇଛି। ସେପଟେ ପୋଲିସ ଅଭିଯୋଗ ଆଧାରରେ ମାମଲା ରୁଜୁ କରିଛି। ଘଟଣା ପରେ ଅଭିଯୁକ୍ତ ପରିବାର ସହ ଫେରାର ହୋଇଯାଇଛି। ସୂଚନା ଅନୁସାରେ, ରତିରାମ କଲୋନୀରେ ୨୨ ବର୍ଷିୟ ବିପିନ କୁମାର ପରିବାର ସହ ରହୁଥିଲେ। ସେ ରଙ୍ଗ ବ୍ରଶ ତିଆରି କରୁଥିବା ଏକ କାରଖାନାରେ କାମ କରୁଥିଲେ। ରବିବାର ରାତିରେ ବିପିନ ତାଙ୍କ ଭାଇଙ୍କ ସହ ବାଇକରେ ଘରକୁ ଫେରୁଥିଲେ। ରାସ୍ତାରେ ସୋନୁ ତାଙ୍କ ପରିବାର ସଦସ୍ୟମାନଙ୍କ ସହ ଠିଆ ହୋଇଥିଲେ। ଅଭିଯୋଗ ଅନୁସାରେ, ବିପିନ ଆଗକୁ ଯିବା ପାଇଁ ସୋନୁଙ୍କୁ ରାସ୍ତା ଛାଡ଼ିବାକୁ କହିଥିଲେ। ଏନେଇ ସେ ବାଇକର ହର୍ନ ବଜାଇଥିଲେ। ତେବେ ବାରମ୍ବାର ହର୍ନ ବଜାଇବାକୁ ନେଇ ସୋନୁ ଓ ବିପିନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହା ପରେ ସୋନୁଙ୍କ ପରିବାରର ଲୋକେ ମଧ୍ୟ ସେଠାକୁ ଆସି ବିପିନ ଓ ତାଙ୍କ ଭାଇଙ୍କୁ ମାଡ଼ ମାରିଥିଲେ। ସେହି ସମୟରେ ସୋନୁ ଗୁଳି ଚଳାଇଥିଲେ, ଯାହା ବିପିନଙ୍କ ଅଣ୍ଟାରେ ବାଜିଥିଲା। ଘଟଣା ପରେ ବିପିନ ଓ ତାଙ୍କ ଭାଇଙ୍କୁ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ବିପିନଙ୍କୁ ମୃତ ଘୋଷଣା କରିଥିଲେ।
