୬ ଘଣ୍ଟାରେ ଖୁଦୁପୁର ହତ୍ୟାକାଣ୍ଡର ପର୍ଦାଫାଶ, ଅଭିଯୁକ୍ତ ଗିରଫ (Copy)
ଖୁଦୁପୁର ହତ୍ୟାକାଣ୍ଡ: ମାର୍କଣ୍ଡ ହତ୍ୟା ମାମଲାରେ କମିଶନରେଟ ପୋଲିସର ବଡ଼ ସଫଳତା। ପଡ଼ୋଶୀ ଦାଦାପୁଅ ଭାଇ ସାଜିଲା ହତ୍ୟାକାରୀ। ୬ ଘଣ୍ଟାରେ ଅଭିଯୁକ୍ତ ଗିରଫ।
ଜଟଣୀ: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁରରେ ଯୁବକ ମାର୍କଣ୍ଡ ବଳିଆରସିଂହ ହତ୍ୟାକାଣ୍ଡର ପର୍ଦାଫାଶ କରିଛି କମିଶନରେଟ ପୋଲିସ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୋଜନାବଦ୍ଧ ଭାବେ ଏହି ହତ୍ୟା ଘଟିଥିବା ପୋଲିସ କହିଛି। ଘଟଣାର ମାତ୍ର ୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି ପୋଲିସ। ସୂଚନା ଅନୁଯୟୀ, ଜଟଣୀ ଥାନା ଅନ୍ତର୍ଗତ ଖୁଦୁପୁର ଗାଁରେ ଯୁବକ ମାର୍କଣ୍ଡ ବଳିଆରସିଂହଙ୍କୁ ଛୁରୀରେ ଆକ୍ରମଣ କରି ନିର୍ମମ ଭାବେ ହତ୍ୟା କରାଯାଇଥିବା ଘଟଣା ସକାଳୁ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଗତକାଲି ବିଳମ୍ବିତ ରାତିରେ ଖବର ପାଇ ଜଟଣୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆହତ ମାର୍କଣ୍ଡଙ୍କୁ ଭୁବନେଶ୍ୱର ଏମ୍ସକୁ ପଠାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତରେ ଛୁରୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ସ୍ପଷ୍ଟ ହେବା ପରେ ପୋଲିସ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ତେବେ ପ୍ରାରମ୍ଭରେ ହତ୍ୟାର କାରଣ କିମ୍ବା ଅଭିଯୁକ୍ତ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିନଥିଲା।
ଘଟଣାର ତଦନ୍ତ ପାଇଁ ପୋଲିସ ବିଭିନ୍ନ ଟେକନୋଲୋଜି ବ୍ୟବହାର କରି ପ୍ରଥମେ ସନ୍ଦେହ ଆଧାରରେ ଚାରିଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଥିଲା। ମାତ୍ର ୬ ଘଣ୍ଟା ମଧ୍ୟରେ ପୋଲିସ ହତ୍ୟାକାଣ୍ଡର ପର୍ଦାଫାଶ କରିଥିଲା। ମୃତକଙ୍କ ପଡ଼ୋଶୀ ଏବଂ ଦାଦାପୁଅ ଭାଇ ମହେଶ୍ୱର ହରିଚନ୍ଦନ ଏହି ହତ୍ୟାକାଣ୍ଡ ଘଟାଇଥିବା ଜଣାପଡ଼ିଛି। ପୂର୍ବ ଶତ୍ରୁତା ଏବଂ ବାରମ୍ବାର ଅପମାନିତ ହେବାକୁ କେନ୍ଦ୍ର କରି ସେ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ପୋଲିସ କହିଛି। ଗତ ରାତିରେ ଉଭୟେ ଜଟଣୀର ଏକ ବାରରେ ମଦ୍ୟପାନ କରିବା ପରେ ବଚସା ହୋଇଥିଲା। ପରେ ଅଭିଯୁକ୍ତ ଘରୁ ଛୁରୀ ଆଣି ମାର୍କଣ୍ଡଙ୍କୁ ଆକ୍ରମଣ କରିଥିଲା। ପୋଲିସ ଅଭିଯୁକ୍ତକୁ ନେଇ ସିନ୍ ରିକ୍ରିଏସନ୍ କରିବା ସହ ହତ୍ୟାରେ ବ୍ୟବହୃତ ଛୁରୀକୁ ଜବତ କରିଛି। ଅଭିଯୁକ୍ତ ପଚରାଉଚରା ବେଳେ ଅପରାଧ ସ୍ୱୀକାର କରିଥିବା ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି। ଘଟଣାର ମାତ୍ର ୬ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କରି ହତ୍ୟାକାଣ୍ଡର ପର୍ଦାଫାଶ କରିବାକୁ କମିଶନରେଟ ପୋଲିସ ସଫଳ ହୋଇଛି।
