ଓଡ଼ିଶାରେ ଟେକ୍ ବିପ୍ଳବ: HCLTech ଓ 'ସର୍ଭମ AI' ସହ ସରକାରଙ୍କ MoU
ଓଡ଼ିଶାରେ ଟେକ୍ ବିପ୍ଳବ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ HCLTech ଓ 'ସର୍ଭମ AI' ସହ ସ୍ୱାକ୍ଷରିତ ହେଲା ଦୁଇଟି MoU। ୭୩୦ କୋଟି ପୁଞ୍ଜିନିବେଶରେ ପ୍ରତିଷ୍ଠା ହେବ 'ଗ୍ଲୋବାଲ ଡେଭେଲପମେଣ୍ଟ ସେଣ୍ଟର' ଓ 'AI Park'। ୫ ବର୍ଷରେ ନିବେଶ ହେବ 15 ହଜାର କୋଟି ଟଙ୍କା। ନିଯୁକ୍ତି ପାଇବେ ୬,୦୦୦ରୁ ଉର୍ଦ୍ଧ୍ୱ ଯୁବକ-ଯୁବତୀ।

ଭୁବନେଶ୍ୱର: ଓଡ଼ିଶାର ଶିଳ୍ପ ଓ ପ୍ରଯୁକ୍ତି କ୍ଷେତ୍ରରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି। ବିଶ୍ୱପ୍ରସିଦ୍ଧ IT କମ୍ପାନୀ HCLTech ଏବଂ ଭାରତୀୟ AI ସଂସ୍ଥା ସର୍ଭମ AI (Sarvam) ସହ ଓଡ଼ିଶା ସରକାର ଦୁଇଟି MoU ସ୍ୱାକ୍ଷର କରିଛନ୍ତି। ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଏହାକୁ ରାଜ୍ୟର ଟେକ୍ନୋଲୋଜି ଓ ଶିଳ୍ପ ବିକାଶରେ ଏକ ଐତିହାସିକ ପଦକ୍ଷେପ ବୋଲି କହିଛନ୍ତି।
ଏହି MoU ଅନୁସାରେ HCLTech ଓଡ଼ିଶାରେ ଏକ Global Delivery Centre ପ୍ରତିଷ୍ଠା କରିବ। ଏହି କେନ୍ଦ୍ର ରାଜ୍ୟର IT ଇକୋସିଷ୍ଟମକୁ ଆନ୍ତର୍ଜାତୀୟ ସ୍ତରରେ ନୂଆ ପରିଚୟ ଦେବା ସହ ଯୁବପିଢ଼ି ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। HCLTech Development Centre ପାଇଁ ପ୍ରାୟ ୭୩୦ କୋଟି ଟଙ୍କାର ପୁଞ୍ଜିନିବେଶ ହେବ। ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ୬,୦୦୦ରୁ ଅଧିକ କୁଶଳୀ ଯୁବକ-ଯୁବତୀଙ୍କୁ ସିଧାସଳଖ ନିଯୁକ୍ତି ମିଳିବ । ଏହା ସହ HCLTech ଓ ସର୍ଭମ AI ର ମିଳିତ ସହଯୋଗରେ ଓଡ଼ିଶାରେ ଏକ AI-ଅପ୍ଟିମାଇଜ୍ Data Centre ପ୍ରତିଷ୍ଠା କରାଯିବ। ରାଜ୍ୟ ସରକାର ଏକ ସ୍ୱଦେଶୀ AI Park ସ୍ଥାପନ କରିବେ, ଯାହା ମଧ୍ୟରେ ଏହି Data Centre କାର୍ଯ୍ୟ କରିବ। ଏହି ଦୁଇଟି ପ୍ରକଳ୍ପରେ ଆଗାମୀ ୫ ବର୍ଷ ମଧ୍ୟରେ ପ୍ରାୟ ୧୫ ହଜାର କୋଟି ଟଙ୍କାର ନିବେଶ ହେବାର ସମ୍ଭାବନା ରହିଛି।

ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଡିଜିଟାଲ୍ ଇଣ୍ଡିଆ’ ଦୃଷ୍ଟିକୋଣ ଯୋଗୁଁ ଭାରତ ଆଜି ଟେକ୍ନୋଲୋଜି କ୍ଷେତ୍ରରେ ଆଗକୁ ବଢ଼ିଛି। ଓଡ଼ିଶା ଏବେ AI, ସେମିକଣ୍ଡକ୍ଟର, IT, ଫାର୍ମା ଓ ଟେକ୍ସଟାଇଲ ଭଳି ନୂଆ କ୍ଷେତ୍ରରେ ନିବେଶକୁ ପ୍ରୋତ୍ସାହନ ଦେଉଛି। ସେ କହିଛନ୍ତି ଯେ, ସ୍ୱଦେଶୀ AI ପ୍ଲାଟଫର୍ମ ସର୍ଭମ AI ଭାରତୀୟ ଭାଷାଗୁଡ଼ିକରେ AI ସେବା ଉପଲବ୍ଧ କରାଇବା ଦିଗରେ ଗୁରୁତ୍ୱପୂର୍ଣ୍ଣ କାମ କରୁଛି। ଓଡ଼ିଶାରେ AI Park ଓ Data Centre ସ୍ଥାପନ ହେଲେ ଓଡ଼ିଆ ସହ ବିଭିନ୍ନ ଭାରତୀୟ ଭାଷାରେ AI ଆଧାରିତ ସେବା ଉପଲବ୍ଧ ହୋଇପାରିବ। ରାଜ୍ୟର ଶିଳ୍ପ ବିକାଶ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଦୁଇ ବର୍ଷରେ ୨୦ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ପ୍ରସ୍ତାବ ଆସିଛି। ୧୦ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଥିବା ବେଳେ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ କ୍ଷେତ୍ରସ୍ତରରେ କାର୍ଯ୍ୟ ହୋଇସାରିଛି।
କାର୍ଯ୍ୟକ୍ରମରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ପଦକ୍ଷେପକୁ ଓଡ଼ିଶା ପାଇଁ ଗୌରବମୟ ମୁହୂର୍ତ୍ତ ବୋଲି କହିଥିଲେ। ସେ କହିଥିଲେ ଯେ, ଏହା ରାଜ୍ୟର IT ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରକୁ ନୂଆ ଉଚ୍ଚତାକୁ ନେବ। HCLTech ଚେୟାରପର୍ସନ୍ ରୋଶନୀ ନାଦର ମାଲହୋତ୍ରା ଓଡ଼ିଶାରେ ନିବେଶ ପାଇଁ କମ୍ପାନୀ ପ୍ରସ୍ତୁତ ଥିବା କହିଛନ୍ତି। ସେ ରାଜ୍ୟ ସରକାରଙ୍କ ସହଯୋଗକୁ ପ୍ରଶଂସା କରିବା ସହ AI Park ପ୍ରତିଷ୍ଠାକୁ ଭାରତର AI ଯାତ୍ରାରେ ଏକ ମାଇଲଖୁଣ୍ଟ ବୋଲି ଅଭିହିତ କରିଛନ୍ତି।
