ମଧ୍ୟପ୍ରଦେଶର ନୂଆ ଜମିଦାର- ମୁଖ୍ୟମନ୍ତ୍ରୀ ମୋହନ!
ମୁଖ୍ୟମନ୍ତ୍ରୀ ହେବା ପରେ କିଣାଯାଇଥିବା ୧୬୮ ଏକର ଜାଗାରୁ ୧୧୧ ଏକର ଜମି ଇନ୍ଦୋର-ଉଜୈନ ଗ୍ରୀଲଫିଲ୍ଡ କରିଡର ଓ ଅନ୍ୟ ବଡ଼ ପ୍ରକଳ୍ପ ପାଖରେ ଅଛି, ଯାହାର ଘୋଷଣା ମୋହନ ସରକାର କରିଛନ୍ତି।ପରିବାରରୁ ଜଣେ ମୁଖ୍ୟମନ୍ତ୍ରୀ ହେଲେ ବୋଲି କଅଣ ଏହି କାରବାର ବନ୍ଦ କରିଦେବୁ କି। ଯେଉଁ ହାଇଓ୍ୱେର କଥା କୁହାଯାଉଛି, ତାକୁ ୨୦୧୯ରେ ମଞ୍ଜୁରୀ ମିଳିସାରିଥିଲା। ଉଜୈନ ଜମି ବିବାଦରେ ମଙ୍ଗଳବାର ସିଏମଓରୁ ବି ଆସିଛି ଉତ୍ତର।

ବିବାଦରେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ପଦ ମିଳିବା ମାତ୍ରେ କୁଆଡ଼େ ତାଙ୍କ ପରିବାର ଓ ତାଙ୍କ ମାଲିକାନାରେ ଥିବା ରିଅଲ ଇଷ୍ଟେଟ୍ କମ୍ପାନୀ ଅତି କମରେ ୧୩୭ ପ୍ଲଟ୍ ନିଜ ନାଁରେ କିଣିଛନ୍ତି। କେବଳ ଏତିକି ନୁହେଁ। ଯେଉଁ ପ୍ଲଟ କିଣିଛନ୍ତି। ସେଠି ନୂଆ ହାଇଓ୍ୱେ ଯାଉଛି। ଏଥିଲାଗି କିଣାଯାଇଥିବା ପ୍ଲଟ ଯେ ପୁରା କମର୍ସିଆଲ ଓ ଏହାର ଦର ଆକାଶଛୁଆଁ ଏକଥା ବି ସ୍ପଷ୍ଟ। ମଧ୍ୟପ୍ରଦେଶର ଉଜୈନରେ ବ୍ୟାପକ ସହରୀକରଣ ଭିତରେ ପୁରା ବିବାଦ ଘେରରେ ଏବେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ। କାରଣ ଏଠାରେ ନୂଆ ସଡ଼କ କାମ ଚାଲିଛି। ହାଇଓ୍ୱେ ବି ଏ ବାଟ ଦେଇ ଯିବ। ସେଥିଲାଗି ଜମିର ଦର ବି ଢେର୍ ବଢ଼ିଲାଣି। ଏକ ଜାତୀୟ ସମ୍ୱାଦ ସଂସ୍ଥାର ରିପୋର୍ଟ ଅନୁସାରେ, ମୁଖ୍ୟମନ୍ତ୍ରୀ ମୋହନ ଯାଦବ ତାଙ୍କ ପରିବାର ପରିଜନ, ଭାଇ, ଭଉଣୀ ନାଁରେ ଉଜୈନରେ ବିପୁଳମାତ୍ରାରେ ଜମି କିଣିଛନ୍ତି। ଡିସେମ୍ୱର ୧୩, ୨୦୨୩ରେ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ହୋଇଥିଲେ। ମୁଖ୍ୟମନ୍ତ୍ରୀ ହେବା ମାତ୍ରେ ପରିବାର ପରିଜନ ଓ ମାଲିକାନାରେ ଥିବା ରିଅଲ ଇଷ୍ଟେଟ କମ୍ପାନୀ ନାଁରେ ମୋଟ୍ ୧୬୮ ଏକର ଜମି କିଣାଯାଇଛି। ଏଥିରେ ପ୍ରାୟ ୪୫ କୋଟି ଟଙ୍କା ବି ଖର୍ଚ୍ଚ କରାଯାଇଛି। କିଛି ପ୍ଲଟକୁ ପରେ ବିକା ବି ଯାଇଛି। ୨୦୨୬ରେ ଜମି କିଣାବିକା ବାବଦରେ ବିସ୍ତୃତ ଦସ୍ତାବିଜ୍ ଅପଡେଟ୍ ହୋଇନି। ପତ୍ନୀ ସୀମା ଯାଦବ, ପୁଅ ବୈଭବଙ୍କ ପତ୍ନୀ ଶାଳିନୀ ଯାଦବ, ଭାଇ ନନ୍ଦଲାଲ ଓ ନାରାୟଣ ଯାଦବ, ନାରାୟଣଙ୍କ ପତ୍ନୀ ରେଖା, ତାଙ୍କ ପୁଅ ଅଭୟ, ଦାଦା ପୁଅ ଭାଇ ଗୋବିନ୍ଦ ଓ ନିଲେଶ ଯାଦବଙ୍କ ନାଁରେ ଏ ସବୁ ଜମି ଅଛି। ବଡ଼ କଥା ହେଲା। କିଣାଯାଇଥିବା ଅଧିକାଂଶ ଜମି ପ୍ରସ୍ତାବିତ ହାଇଓ୍ୱେ ପାଖରେ ଅଛି। ୨୦୨୩ ମସିହାରେ ଉଜୈନ ମାଷ୍ଟରପ୍ଲାନ-୨୦୩୫ ଆସିଥିଲା। ସେତେବେଳେ ମୋହନ ମୁଖ୍ୟମନ୍ତ୍ରୀ ନଥିଲେ। କିନ୍ତୁ ଉଜୈନ ସହ ତାଙ୍କର ରାଜନୀତିକ ସମ୍ପର୍କ ବେଶ୍ ନିବିଡ଼ ଥିଲା। କାରଣ ୨୦୦୪ରୁ ୨୦୧୦ ଯାଏ ସେ ଉଜୈନ ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଥିଲେ। ୨୦୧୧ରୁ ୨୦୧୩ ଯାଏ ମଧ୍ୟପ୍ରଦେଶ ପର୍ଯ୍ୟଟନ ନିଗମର ପ୍ରମୁଖ ଥିଲେ। ୨୦୧୩ରୁ ଉଜୈନ ଦକ୍ଷିଣ ଆସନରୁ ବିଧାୟକ ଅଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଜାନୁଆରୀ ୨୦୨୪ରେ ତୁରନ୍ତ ରାଜ୍ୟ ସରକାର ଉଜୈନ ଓ ତା ଆଖପାଖ ଏରିଆରେ ନୂଆ ସଡ଼କ ତଥା ହାଇଓ୍ୱେ ପ୍ରକଳ୍ପର ଘୋଷଣା କଲେ। ସେଥିଲାଗି ଏହା ପାଖପାଖି ଜମିରେ ନିବେଶ ବେଶ୍ ଫାଏଦା ହେବ ବୋଲି ସଭିଏଁ ଜାଣିଥିଲେ। ଏକ ଜାତୀୟ ସମ୍ୱାଦପତ୍ର ସଂସ୍ଥାର ରିପୋର୍ଟ ମୁତାବକ, ମୁଖ୍ୟମନ୍ତ୍ରୀ ହେବା ପୂର୍ବରୁ ମୋହନଙ୍କ ପରିଜନ ପାଖରେ ଅତି କମରେ ୧୦୮ ପ୍ଲଟ ଓ ୧୭୯ ଏକର ଜମି ଥିଲା। ଏଥିରୁ ୨୦୨୧ରୁ ୨୦୨୩ ଭିତରେ ୮୫ ଏକର ଜମି କିଣାଯାଇଥିଲା। ସେତେବେଳେ ମୋହନ ରାଜ୍ୟର ଶିକ୍ଷାମନ୍ତ୍ରୀ ଥିଲେ। କିନ୍ତୁ ଡିସେମ୍ୱର ୧୩, ୨୦୨୩ରୁ ଡିସେମ୍ୱର ୨୦୨୫ ଭିତରେ ମୋହନଙ୍କ ପରିଜନ ୧୬୮ ଏକରରୁ ଅଧିକ ଜମି ନିଜ ନାଁରେ କିଣିଲେ। ଏଥିରୁ ୧୨ ଏକର ଜମି ପରିଜନଙ୍କ ଭିତରେ ହିଁ ଟ୍ରାନ୍ସଫର କରାଗଲା। ୨୦୨୫ରେ ପରିଜନ ଓ ତାଙ୍କ କମ୍ପାନୀ ୯୨ଏକର ପରିବ୍ୟାପ୍ତ ଆହୁରି ୬୨ଟି ପ୍ଲଟ କିଣିଥିଲେ। ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ମୋହନ ଓ ସୀମାଙ୍କ ପାରିବାରିକ କମ୍ପାନୀ ସିଦ୍ଧି ବିନାୟକ ଦେବକନ ପ୍ରାଇଭେଟ୍ ଲିମିଟେଡ୍ ଜରିଆରେ ବି ୩୯.୫ ଏକର ଜମି କିଣାଯାଇଥିଲା। ଏ କମ୍ପାନୀରେ ମୋହନ ଓ ସୀମାଙ୍କ ସେୟାର ୭୩ ପ୍ରତିଶତ ଅଛି ବୋଲି କୁହାଯାଉଛି। ଏଥିରୁ ୧୨ ଏକର ଜମି ସେପ୍ଟେମ୍ୱର ୨୦୨୪ରେ ଦାଦା ପୁଅ ଭାଇ ନିଲେଶଙ୍କୁ ବିକ୍ରି କରାଯାଇଥିଲା। ସବୁଠୁ ବଡ଼ କଥା ହେଲା, ମୁଖ୍ୟମନ୍ତ୍ରୀ ହେବା ପରେ କିଣାଯାଇଥିବା ୧୬୮ ଏକର ଜାଗାରୁ ୧୧୧ ଏକର ଜମି ଇନ୍ଦୋର-ଉଜୈନ ଗ୍ରୀଲଫିଲ୍ଡ କରିଡର ଓ ଅନ୍ୟ ବଡ଼ ପ୍ରକଳ୍ପ ପାଖରେ ଅଛି, ଯାହାର ଘୋଷଣା ମୋହନ ସରକାର କରିଛନ୍ତି। ଗରୋଠ, ଝାଲାଓ୍ୱାଡ, ନାଗଦା, ବଦନାଗର, ଇନ୍ଦୋର ଓ ଭୋପାଳକୁ ଯୋଗାଯୋଗ ସୁଗମ କରିବାକୁ ଅଧ ଡଜନରୁ ଅଧିକ ହାଇଓ୍ୱେ ପ୍ରକଳ୍ପ କାମ ଚାଲିଥିବା ସୂଚନା ଦେଇଛନ୍ତି ଉଜୈନ ଜିଲ୍ଲାପାଳ ରୋସନ ସିଂ। ମାଷ୍ଟରପ୍ଲାନ ୨୦୩୫ ଅନୁସାରେ ଯେଉଁ ଚାଷ ଜମିର କିସମକୁ ଆବାସିକ ଓ ବ୍ୟବସାୟିକ ଉଦ୍ଦେଶ୍ୟରେ ବଦଳ କରାଯାଇଛି। ସେ ଏରିଆରେ ପ୍ରାୟ ଜମି ମୁଖ୍ୟମନ୍ତ୍ରୀଙ୍କ ପରିଜନଙ୍କ ନାଁରେ ରହିଛି। ଏ ମାମଲାକୁ ନେଇ ଘେରିଛନ୍ତି ବିରୋଧୀ। ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ନେତା ସଜ୍ଜନ ସିଂ ବର୍ମା କହିଛନ୍ତି, ନିଜ ପଦର ଦୁରୁପଯୋଗ କରି ଲ୍ୟାଣ୍ଡ ୟୁଜର ପରିବର୍ତ୍ତନ କରାଗଲା। ସିଏମଓକୁ ଅନେକ ପ୍ରଶ୍ନ ପଚାରିଥିଲେ ସୁଦ୍ଧା କୌଣସି ଜବାବ ଆସିଲାନି ବୋଲି କହିଛନ୍ତି ବର୍ମା। ସେପଟେ ମୁଖ୍ୟମନ୍ତ୍ରୀଙ୍କ ସମ୍ପର୍କୀୟ ଅନନ୍ତ ଯାଦବ କହିଛନ୍ତି, ତାଙ୍କ ପରିବାର ୨୦୧୦ର ରିଅଲ ଇଷ୍ଟେଟ୍ କାରବାରରେ ସକ୍ରିୟ ଅଛନ୍ତି। ପରିବାରରୁ ଜଣେ ମୁଖ୍ୟମନ୍ତ୍ରୀ ହେଲେ ବୋଲି କଅଣ ଏହି କାରବାର ବନ୍ଦ କରିଦେବୁ କି। ଯେଉଁ ହାଇଓ୍ୱେର କଥା କୁହାଯାଉଛି, ତାକୁ ୨୦୧୯ରେ ମଞ୍ଜୁରୀ ମିଳିସାରିଥିଲା। ଉଜୈନ ଜମି ବିବାଦରେ ମଙ୍ଗଳବାର ସିଏମଓରୁ ବି ଆସିଛି ଉତ୍ତର। ଡିସେମ୍ୱର ୨୦୨୩ରେ ମୋହନ ଯାଦବ ମୁଖ୍ୟମନ୍ତ୍ରୀ ପଦ ସମ୍ଭାଳିବା ପରେ କୌଣସି ଜମି କିଣାଯାଇନି। ଏ ସମସ୍ତ ଆରୋପ ଭିତ୍ତିହୀନ। କଂଗ୍ରେସ ନେତା ଜୟରାମ ରମେଶ, ମଧ୍ୟପ୍ରଦେଶ ପିସିସି ସଭାପତି ଜିତୁ ପଟଓ୍ୱାରୀ, ସୁପ୍ରିୟା ଶ୍ରୀନେଟ୍, ଟିଏମସି ସାଂସଦ ସାଗରିକା ଘୋଷ ପ୍ରମୁଖ ଏହାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି। ଏପରିକି ସୁପ୍ରିମକୋର୍ଟ ବିଚାରପତିଙ୍କ ଦ୍ୱାରା ତଦନ୍ତ ଦାବି କରିଛନ୍ତି। ସପା ନେତା ଅଖିଳେଶ ଯାଦବ କହିଛନ୍ତି, ଏପୁରା ମାମଲା ବିଜେପିର ଆଭ୍ୟନ୍ତରୀଣ କନ୍ଦଳର ପ୍ରତିଫଳନ। ମୋହନ ଯାଦବଙ୍କୁ ପଦରୁ ହଟାଇବାକୁ ବାହାନା ଖୋଜାଚାଲିଛି। ସେଭଳି ମାହୋଲ ତିଆରି କରାଯାଉଛି। ତାଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର। ମୋହନ ପୂର୍ବରୁ ରିଅଲ ଇଷ୍ଟେଟ କାରବାରରେ ଅଛନ୍ତି। ବିଜେପି କଅଣ ଏକଥା ଜାଣିନି କି। ଯଦି ଏଭଳି ଆରୋପ ତାଙ୍କ ବିରୁଦ୍ଧରେ ଲାଗୁଛି। ତାହେଲେ ୟପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବି ୩ଶହରୁ ୬ଶହ ଏକର ଜମି ନେଇଛନ୍ତି। ତାଙ୍କ ବିରୁଦ୍ଧରେ ବି ତଦନ୍ତ ହେଉ। ଏ ପୁରା ପ୍ରକରଣ ମୋହନଙ୍କ ପାରିବାରିକ ବ୍ୟବସାୟ ଓ ପଦର ଦୁରୁପଯୋଗକୁ ନେଇ ତାଙ୍କୁ ଦୋଛକିରେ ଛିଡ଼ା କରିଦେଇଛି ବୋଲି ଚର୍ଚ୍ଚା ହେଉଛି।
