ମଙ୍ଗଳ ମିଳନ ବୈଠକରେ ନିଟ୍ ଓ ଚାଷୀଙ୍କ ବାବଦରେ ମୋଦିଙ୍କ ବଡ଼ ବାର୍ତ୍ତା
କୌଣସି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯେଭଳି ପ୍ରଭାବିତ ନହୁଏ, ତାକୁ ସୁନିଶ୍ଚିତ କରିବାକୁ ନିଟର ପୁନଃପରୀକ୍ଷା କରାଗଲା। ଆଉ ଅବିଳମ୍ୱେ ପରୀକ୍ଷାଫଳ ବି ଘୋଷଣା କରାଗଲା।ମୁକ୍ତ ବ୍ୟାପାର ବୁଝାମଣା ବା FTA ବାବଦରେ ଅବଗତ କରାଇଥିଲେ ମୋଦି। ଏହି ବୁଝାମଣା ଜରିଆରେ ପ୍ରଧାନମନ୍ତ୍ରୀ ଭରସା ଦେଇଛନ୍ତି ଯେ, ଏଥିରେ ଚାଷୀଙ୍କ ହିତକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।

ସଂସଦର ମୌସୁମୀ ଅଧିବେଶନ ଆରମ୍ଭରୁ ଅଚଳାବସ୍ଥା ଜାରି ରହିଛି। ନିଟ୍ ପରୀକ୍ଷା ବିଭ୍ରାଟ, ରାମମନ୍ଦିର ଦାନଚୋରି, ଚାଷୀ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ବିରୋଧୀ ଗୃହରେ ହୋହଲ୍ଲା,ହଟ୍ଟଗୋଳ ଜାରି ରଖିଥିବାରୁ ଚାଲିପାରୁନି ଗୃହ। ସ୍ୱାଭାବିକ ଅବସ୍ଥା ଫେରିପାରୁନି। ଦିଲ୍ଲୀ ଜନ୍ତରମନ୍ତରରେ ଆନ୍ଦୋଳନରତ ସିଜେପି ସମର୍ଥକଙ୍କ ସଂସଦ ଚାଲ ଅଭିଯାନ ଯାତ୍ରା ଉଗ୍ର ହେବା ପରେ ଏ ମୁଦ୍ଦା ଅଧିକ ଜଟିଳ ରୂପ ନେଲାଣି। ସମର୍ଥକଙ୍କ ଉପରେ ଲୁହବୁହା ଗ୍ୟାସ ପ୍ରୟୋଗ ସହ ଲାଠିଚାର୍ଜ କରିଥିଲା ପୁଲିସ। ଧସ୍ତାଧସ୍ତିରେ ଶତାଧିକ ପୁଲିସ କର୍ମୀ ବି ଆହତ ହୋଇଛନ୍ତି। ଆଉ ଆଜି ଦ୍ୱିତୀୟ ଦିନରେ ବିରୋଧୀଙ୍କ ରଣନୀତିକୁ ମୁକାବିଲା କରିବାକୁ ସଂସଦ ଭବନ ପରିସରରେ ବସିଥିଲା ଏନଡିଏ ସଂସଦୀୟ ଦଳ ବୈଠକ। ମଙ୍ଗଳ ମିଳନ ନାଁରେ ଏହି ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ତୁଙ୍ଗ ନେତା ଉପସ୍ଥିତ ଥିଲେ। ମଙ୍ଗଳ ମିଳନ ବୈଠକରେ ପ୍ରଧାନମନ୍ତ୍ରୀ ବଡ଼ ବୟାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ କଦାପି ଖରାପ କରିବାକୁ ଦିଆଯିବନି। କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜ୍ଜୁ ସୂଚନା ଦେଇ କହିଛନ୍ତି ଯେ, ପେପର ଲିକ୍ ଘଟଣା ସାମ୍ନାକୁ ଆସିବା ମାତ୍ରେ ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ କରିଥିଲେ। ୧୩ଜଣଙ୍କୁ ଗିରଫ କରି ଜେଲ୍ ପଠାଇଦିଆଯାଇଛି। ଦେଶର ଶୀର୍ଷ ଓକିଲଙ୍କ ସହଯୋଗରେ ସେମାନଙ୍କୁ କଡ଼ା ସଜ୍ଜା ଦିଆଯିବ। ଫଳରେ ଏଭଳି ଗମ୍ଭୀର ଅପରାଧରେ ସାମିଲ ଲୋକଙ୍କ ଲାଗି ଏହା ଏକ ନଜିର ରହିବ ଓ ସେମାନଙ୍କ ମନରେ ଭୟ ରହିବ। କୌଣସି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଯେଭଳି ପ୍ରଭାବିତ ନହୁଏ, ତାକୁ ସୁନିଶ୍ଚିତ କରିବାକୁ ନିଟର ପୁନଃପରୀକ୍ଷା କରାଗଲା। ଆଉ ଅବିଳମ୍ୱେ ପରୀକ୍ଷାଫଳ ବି ଘୋଷଣା କରାଗଲା। ପ୍ରଧାନମନ୍ତ୍ରୀ ଏ କଥା ବି କହିଛନ୍ତି, ଭବିଷ୍ୟତରେ ଏଭଳି ଘଟଣାର ଯେଭଳି ପୁନରାବୃତ୍ତି ନହୁଏ, ସେଥିଲାଗି ଉଚିତ ପଦକ୍ଷେପ ଉଠାଯିବା ଦରକାର। ଏହା ସହ ବୈଠକରେ ଅଲଗା ଅଲଗା ଦେଶ ସହ ହୋଇଥିବା ମୁକ୍ତ ବ୍ୟାପାର ବୁଝାମଣା ବା FTA ବାବଦରେ ଅବଗତ କରାଇଥିଲେ ମୋଦି। ଏହି ବୁଝାମଣା ଜରିଆରେ ପ୍ରଧାନମନ୍ତ୍ରୀ ଭରସା ଦେଇଛନ୍ତି ଯେ, ଏଥିରେ ଚାଷୀଙ୍କ ହିତକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି।
