Sonia Rajiv Love Story:ପ୍ରଥମ ଦେଖାରେ ହିଁ ରାଜୀବଙ୍କୁ ମନ ଦେଇଥିଲେ ସୋନିଆ!
ଇନଷ୍ଟାଗ୍ରାମ ପରେ ଏବେ X ରେ ସୋନିଆ ଗାନ୍ଧୀଙ୍କ ଡେବ୍ୟୁ। ରାଜୀବ ଗାନ୍ଧୀଙ୍କ ସହ ପ୍ରଥମ ଭେଟର କଥା କହି ସ୍ମରଣ କଲେ। ଏହା ସହ ସେୟାର କଲେ ପ୍ରଥମ ଭିଡ଼ିଓ। କେମ୍ୱ୍ରିଜର ଗ୍ରୀକ ରେଷ୍ଟୁରାଣ୍ଟରେ ହୋଇଥିଲା ରାଜୀବଙ୍କ ସହ ପ୍ରଥମ ଭେଟ। ରାଜୀବଙ୍କ ସୌମ୍ୟ ସ୍ୱଭାବ ଓ ସୁନ୍ଦରତାକୁ କଲେ ସ୍ମରଣ।

ନୂଆଦିଲ୍ଲୀ: ପ୍ରଥମ ଦେଖା, ଧୀରେ ଧୀରେ ବଢ଼ିଥିବା ବନ୍ଧୁତା ଏବଂ ପରେ ଜୀବନସାଥୀ ହେବାର ଯାତ୍ରା। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ନିଜର ପ୍ରେମ କାହାଣୀର ସ୍ମୃତି ବାଣ୍ଟିଛନ୍ତି କଂଗ୍ରେସ ସଂସଦୀୟ ଦଳ (CPP) ଅଧ୍ୟକ୍ଷା ସୋନିଆ ଗାନ୍ଧୀ। ନିଜର ଆଗାମୀ ପୁସ୍ତକ ‘Belonging: A Journey of Love’ ମାଧ୍ୟମରେ ସେ ଜୀବନର ଅନେକ ଅକୁହା ଅଧ୍ୟାୟକୁ ପାଠକଙ୍କ ସାମ୍ନାକୁ ଆଣିବାକୁ ଯାଉଛନ୍ତି। ସୋନିଆ ଗାନ୍ଧୀଙ୍କ କହିବା ଅନୁଯାୟୀ, ଇଂଲଣ୍ଡରେ ପାଠପଢ଼ା ସମୟରେ ଏକ ଗ୍ରୀକ୍ ରେଷ୍ଟୁରାଣ୍ଟରେ ରାଜୀବ ଗାନ୍ଧୀଙ୍କ ସହ ତାଙ୍କର ପ୍ରଥମ ସାକ୍ଷାତ ହୋଇଥିଲା। ସେତେବେଳେ ସେ ଇଟାଲୀୟ ଖାଦ୍ୟ ଖୋଜୁଥିବା ବେଳେ ଏହି ରେଷ୍ଟୁରାଣ୍ଟ ବିଷୟରେ ଜାଣିବାକୁ ପାଇଥିଲେ। ସେଠାକୁ ୟୁରୋପୀୟ ଓ ଭାରତୀୟ ଛାତ୍ରଛାତ୍ରୀମାନେ ଖାଇବାକୁ ଆସୁଥିଲେ। ସେହି ରେଷ୍ଟୁରାଣ୍ଟରେ ରାଜୀବଙ୍କୁ ପ୍ରଥମେ ଭେଟିବା ପରେ ତାଙ୍କ ମନରେ ଏକ ସ୍ୱତନ୍ତ୍ର ଅନୁଭବ ସୃଷ୍ଟି ହୋଇଥିଲା। ସୋନିଆ କହିଛନ୍ତି ଯେ, ପ୍ରଥମ ଦେଖାରୁ ହିଁ ତାଙ୍କୁ ଲାଗିଥିଲା ଯେ ରାଜୀବ ଏମିତି ଜଣେ ବ୍ୟକ୍ତି, ଯାହାଙ୍କ ସହ ସେ ଜୀବନ ବିତାଇବାକୁ ଚାହିଁବେ। ପରେ ତାଙ୍କୁ ଜଣାପଡ଼ିଥିଲା ଯେ ରାଜୀବଙ୍କ ମନରେ ମଧ୍ୟ ସମାନ ଭାବନା ଥିଲା।
ଜଣେ ସାଧାରଣ ବନ୍ଧୁଙ୍କ ମାଧ୍ୟମରେ ଉଭୟଙ୍କର ପରିଚୟ ହୋଇଥିଲା। ପରେ ସେମାନେ ବନ୍ଧୁ ହୋଇଥିଲେ। ସାଙ୍ଗମାନଙ୍କ ସହ ପାର୍ଟିକୁ ଯିବା, ବିଭିନ୍ନ ସ୍ଥାନ ବୁଲିବା ଏବଂ ଏକାଠି ସମୟ ବିତାଇବା ମଧ୍ୟରେ ସେମାନଙ୍କ ସମ୍ପର୍କ ଧୀରେ ଧୀରେ ନିବିଡ଼ ହୋଇଥିଲା। ଏକ ଭାଲେଣ୍ଟାଇନ୍ ପାର୍ଟିର ସ୍ମୃତି ମଧ୍ୟ ସୋନିଆ ମନେ ପକାଇଛନ୍ତି। ରାଜୀବ ଗାନ୍ଧୀଙ୍କ ଶାନ୍ତ ସ୍ୱଭାବ ତାଙ୍କୁ ବିଶେଷ ଭାବେ ଆକର୍ଷିତ କରିଥିଲା। ରାଜୀବ ଦେଖିବାକୁ ସୁନ୍ଦର ଥିଲେ, କିନ୍ତୁ ତାଙ୍କ ବ୍ୟକ୍ତିତ୍ୱରେ ଥିବା କୋମଳତା ହିଁ ସୋନିଆଙ୍କ ମନକୁ ଛୁଇଁଥିଲା ବୋଲି ସେ କହିଛନ୍ତି। ୧୯୬୮ ମସିହା ଫେବୃଆରୀ ୨୫ ତାରିଖରେ ସୋନିଆ ଓ ରାଜୀବ ଗାନ୍ଧୀ ବିବାହ କରିଥିଲେ।
ସୋନିଆ ଗାନ୍ଧୀ ସୋସିଆଲ ମିଡିଆ ପ୍ଲାଟଫର୍ମ Xରେ ଡେବ୍ୟୁ କରି ରାଜୀବଙ୍କ ସହ ପ୍ରଥମ ସାକ୍ଷାତର ସ୍ମୃତି ବାଣ୍ଟିଛନ୍ତି। ଏହାପୂର୍ବରୁ ଇନ୍ଷ୍ଟାଗ୍ରାମରେ ମଧ୍ୟ ସେ ନିଜର ପ୍ରଥମ ଭିଡିଓ ସେୟାର କରି ଆଗାମୀ ପୁସ୍ତକର ଝଲକ ଦେଇଥିଲେ। ‘Belonging: A Journey of Love’ ପୁସ୍ତକରେ ଯୁଦ୍ଧ ପରବର୍ତ୍ତୀ ଇଟାଲୀରେ ସୋନିଆଙ୍କ ପିଲାଦିନ, ରାଜୀବ ଗାନ୍ଧୀଙ୍କ ସହ ପ୍ରେମ ସମ୍ପର୍କ, ଭାରତ ଆଗମନ, ବ୍ୟକ୍ତିଗତ ଜୀବନର ଦୁଃଖଦ ଅନୁଭବ ଏବଂ ଭାରତକୁ ନିଜର ଦେଶ ଭାବେ ଆପଣାଇବାର ଯାତ୍ରା ସ୍ଥାନ ପାଇଛି।
ନିଜ ପୋଷ୍ଟରେ ସୋନିଆ ଏହି ପୁସ୍ତକକୁ ପ୍ରେମ, କର୍ତ୍ତବ୍ୟ, ବିୟୋଗ ଏବଂ ନିଜର ଏକ ସ୍ଥାନ ଖୋଜି ପାଇବାର କାହାଣୀ ବୋଲି ବର୍ଣ୍ଣନା କରିଛନ୍ତି। ଏହି ପୁସ୍ତକ ମାଧ୍ୟମରେ ତାଙ୍କ ଜୀବନର ଅନେକ ବ୍ୟକ୍ତିଗତ ଅନୁଭୂତି ଓ ସ୍ମୃତି ପାଠକଙ୍କ ସାମ୍ନାକୁ ଆସିବ। ନଭେମ୍ୱର ୧୦ରେ ତାଙ୍କ ପୁସ୍ତକ ‘Belonging: A Journey of Love’ ରିଲିଜ୍ ହେବ। ହାରପରକୋଲିନସ ଇଣ୍ଡିଆ ଏହି ପୁସ୍ତକର ପ୍ରକାଶକ ଅଟନ୍ତି।
