Suspended Inspector’s Marriage Buzz:ନିଲମ୍ବିତ ଇନ୍ସପେକ୍ଟରଙ୍କ ବିବାହ ଭିଡିଓ ଭାଇରାଲ୍
ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରେ ନିଲମ୍ବିତ ପୋଲିସ ଇନ୍ସପେକ୍ଟର ନୀରଜ ତୋମରଙ୍କୁ ନେଇ ଏବେ ନୂଆ ବିବାଦ ସାମ୍ନାକୁ ଆସିଛି।ସେ ଶୁକ୍ରବାର ଜଣେ ମହିଳାଙ୍କ ସହ ଏକ ଭିଡିଓ ଶେୟାର କରିଛନ୍ତି। ଉଭୟ ମନ୍ଦିରରେ ମାନସିକ ଭାବେ ବିବାହ କରିଥିବା ବେଳେ ଆଇନଗତ ବିବାହ ବାକି ଥିବା ମହିଳା ଜଣକ କହିଛନ୍ତି। ତେବେ,ସରକାରୀ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଅଶ୍ଳୀଳ ଭିଡିଓ ସେୟାର କରିବା ଅଭିଯୋଗରେ ତିନି ଦିନ ପୂର୍ବରୁ ନୀରଜଙ୍କୁ ନିଲମ୍ବିତ କରାଯାଇଥିଲା।
ଉତ୍ତରପ୍ରଦେଶ:ଉତ୍ତରପ୍ରଦେଶର ବିଜନୋର ଜିଲ୍ଲାରେ ନିଲମ୍ବିତ ପୋଲିସ ଇନ୍ସପେକ୍ଟର ନୀରଜ ତୋମରଙ୍କୁ ନେଇ ଏବେ ନୂଆ ବିବାଦ ସାମ୍ନାକୁ ଆସିଛି। ପୂର୍ବରୁ ଥାନାର ସରକାରୀ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଅଶ୍ଳୀଳ ଭିଡିଓ ସେୟାର ହେବା ଘଟଣାରେ ତାଙ୍କୁ ନିଲମ୍ବିତ କରାଯାଇଥିଲା। ଏବେ ଜଣେ ମହିଳା ପୋଲିସ କର୍ମଚାରୀଙ୍କ ସହ ତାଙ୍କର ଏକ ଭିଡିଓ ଭାଇରାଲ୍ ହୋଇଛି। ଏଥିରେ ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିଥିବା ଦାବି କରିଛନ୍ତି। ନୀରଜ ତୋମର ଉତ୍ତରପ୍ରଦେଶ ପୋଲିସର ଜଣେ ଇନ୍ସପେକ୍ଟର ଥିଲେ। ସେ ବିଜନୋର ଜିଲ୍ଲାର ବଢ଼ାପୁର ଥାନାର ପ୍ରଭାରୀ ଭାବେ କାର୍ଯ୍ୟରତ ଥିଲେ। ଥାନାର ସରକାରୀ ହ୍ୱାଟ୍ସଆପ୍ ଗ୍ରୁପ୍ରେ ଏକ ଅଶ୍ଳୀଳ ଭିଡିଓ ସେୟାର ହେବା ପରେ ଏହି ଘଟଣା ଉପରିସ୍ଥ ଅଧିକାରୀଙ୍କ ନଜରକୁ ଆସିଥିଲା। ଭିଡିଓଟି ହଟାଯାଇଥିଲେ ମଧ୍ୟ କିଛି ପୋଲିସ କର୍ମଚାରୀ ଏହାକୁ ସଂରକ୍ଷିତ ରଖିଥିବା ରିପୋର୍ଟରେ କୁହାଯାଇଥିଲା। ଘଟଣାର ତଦନ୍ତ ପାଇଁ ବିଜନୋର ପୋଲିସ ଅଧୀକ୍ଷକ କୃଷ୍ଣ କୁମାର ବିଷ୍ଣୋଇ ଏକ ଟିମ୍ ଗଠନ କରିଥିଲେ। ତଦନ୍ତ ପରେ ଅକ୍ଟୋବର ୨୧ରେ ନୀରଜ ତୋମରଙ୍କୁ ନିଲମ୍ବିତ କରାଯାଇଥିଲା। ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଧିକାରୀଙ୍କୁ ଥାନା ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା। ଅକ୍ଟୋବର ୨୩ ତାରିଖରେ ସାମ୍ନାକୁ ଆସିଥିବା ପ୍ରାୟ ୩୨ ସେକେଣ୍ଡର ଏକ ଭିଡିଓରେ ନୀରଜ ତୋମର ଓ ଜଣେ ମହିଳା ପୋଲିସ କର୍ମଚାରୀ ଏକାଠି ଦେଖାଯାଇଛନ୍ତି। ମହିଳା ଜଣକ କହିଛନ୍ତି, ଉଭୟ ପରସ୍ପରକୁ ଜୀବନସାଥୀ ଭାବେ ଗ୍ରହଣ କରିସାରିଛନ୍ତି। କିଛି ଆଇନଗତ ବାଧା ଯୋଗୁଁ ଔପଚାରିକ ବିବାହ ହୋଇପାରିନାହିଁ ଏବଂ ଆଗକୁ ଆଇନଗତ ପ୍ରକ୍ରିୟା ପୂରଣ କରି ବିବାହ କରିବେ ବୋଲି ସେ ଦାବି କରିଛନ୍ତି। ଏଥିସହ ଲୋକଙ୍କୁ ସେମାନଙ୍କ ବ୍ୟକ୍ତିଗତ ଜୀବନରେ ହସ୍ତକ୍ଷେପ ନକରିବାକୁ ଅନୁରୋଧ କରିଛନ୍ତି। ଅନ୍ୟପକ୍ଷରେ, ମହିଳା ଜଣକ ପୂର୍ବରୁ ବିବାହିତ ଏବଂ ତାଙ୍କ ସ୍ୱାମୀ ମଧ୍ୟ ପୋଲିସ କର୍ମଚାରୀ ବୋଲି କେତେକ ରିପୋର୍ଟରେ କୁହାଯାଇଛି। ଏହି ନୂଆ ଭିଡିଓକୁ ନେଇ ପୋଲିସ ତଦନ୍ତ କରିବ ବୋଲି ଏସ୍ପି କହିଛନ୍ତି। ତଦନ୍ତ ପରେ ହିଁ ଘଟଣାର ପ୍ରକୃତ ସ୍ଥିତି ସ୍ପଷ୍ଟ ହେବ।
