ରାଜ୍ୟସଭା ଲଢ଼େଇ ଆଗରୁ କଂଗ୍ରେସକୁ ବଡ଼ ଝଟକା
ନିର୍ବାଚନ ଅଧିକାରୀଙ୍କ ମତରେ, ଏହି ସୂଚନା ସତ୍ୟପାଠରେ ଉଲ୍ଲେଖ କରାଯିବା ଦରକାର ଥିଲା। ଅନ୍ୟପକ୍ଷରେ କଂଗ୍ରେସ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି। ଦଳର ଦାବି ହେଉଛି ଯେ ଏହା କୌଣସି ଅପରାଧିକ ମାମଲା ନୁହେଁ, ବରଂ କେବଳ ଏକ ଆଇନଗତ ନୋଟିସ ମାତ୍ର।

ମଧ୍ୟପ୍ରଦେଶ ରାଜ୍ୟସଭା ନିର୍ବାଚନରେ ହାଇଡ୍ରାମା। ଲଢ଼େଇ ଆଗରୁ କଂଗ୍ରେସକୁ ବଡ଼ ଝଟକା। କଂଗ୍ରେସ ପ୍ରାର୍ଥୀ ମିନାକ୍ଷୀ ନଟରାଜନଙ୍କ ନାମାଙ୍କନ ରଦ୍ଦ। ପ୍ରତିବାଦରେ ଇସି ଅଫିସ ଆଗରେ କଂଗ୍ରେସ ନେତାଙ୍କ ଧାରଣା। କ୍ରସଭୋଟିଂ ଆଶଙ୍କାରେ କାମ କଲାନି ରିସୋର୍ଟ ପଲିଟିକ୍ସ। ରାଜ୍ୟସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ପ୍ରାର୍ଥୀ ନଟରାଜନଙ୍କ ନାମାଙ୍କନ ରଦ୍ଦକୁ ନେଇ ରାଜନୀତି ତେଜିଛି। ନଟରାଜନଙ୍କ ନାମାଙ୍କନ ପତ୍ରକୁ ନିର୍ବାଚନ ଅଧିକାରୀ ଯାଞ୍ଚ ପରେ ରଦ୍ଦ କରିଦେଇଛନ୍ତି। ଏହି ନିଷ୍ପତ୍ତି ପରେ ରାଜ୍ୟର ରାଜ୍ୟସଭା ନିର୍ବାଚନର ସମୀକରଣ ସମ୍ପୂର୍ଣ୍ଣ ବଦଳିଯାଇଛି ଏବଂ ବିଜେପି ଝୁଲାକୁ ୩ରୁ ୩ଆସନ ଯିବା ଏକରକମ ପକ୍କା। ମୀନାକ୍ଷୀ ନଟରାଜନ ଜଣେ ବରିଷ୍ଠ କଂଗ୍ରେସ ନେତ୍ରୀ ଏବଂ ପୂର୍ବତନ ଲୋକସଭା ସାଂସଦ। ଦଳ ତାଙ୍କୁ ମଧ୍ୟପ୍ରଦେଶରୁ ରାଜ୍ୟସଭା ପାଇଁ ପ୍ରାର୍ଥୀ କରିଥିଲା। କିନ୍ତୁ ନାମାଙ୍କନ ଯାଞ୍ଚ ସମୟରେ ବିଜେପି ପକ୍ଷରୁ ଆପତ୍ତି ଉଠାଯାଇଥିଲା ଯେ, ସେ ନିଜ ନାମାଙ୍କନ ପତ୍ରରେ ତେଲେଙ୍ଗାନାର ଏକ ମାମଲା ସମ୍ପର୍କିତ ସୂଚନା ଦେଇନଥିଲେ। ଏହି ଅଭିଯୋଗକୁ ଗୁରୁତର ସହ ନେଇ ରିଟର୍ଣ୍ଣିଂ ଅଫିସର ତାଙ୍କ ନାମାଙ୍କନକୁ ଅବୈଧ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ, ୨୦୨୫ରେ ହାଇଦ୍ରାବାଦର ଏକ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟରେ ଦାଖଲ ହୋଇଥିବା ଏକ ଅଭିଯୋଗରେ ମୀନାକ୍ଷୀ ନଟରାଜନଙ୍କ ନାଁ ଥିଲା। ଅଦାଲତ ଏହି ମାମଲାରେ ନୋଟିସ ଜାରି କରିଥିଲେ ଏବଂ ମାମଲାଟି ଏପର୍ଯ୍ୟନ୍ତ ବିଚାରାଧୀନ ରହିଛି। ନିର୍ବାଚନ ଅଧିକାରୀଙ୍କ ମତରେ, ଏହି ସୂଚନା ସତ୍ୟପାଠରେ ଉଲ୍ଲେଖ କରାଯିବା ଦରକାର ଥିଲା। ଅନ୍ୟପକ୍ଷରେ କଂଗ୍ରେସ ଏହି ନିଷ୍ପତ୍ତିକୁ ତୀବ୍ର ବିରୋଧ କରିଛି। ଦଳର ଦାବି ହେଉଛି ଯେ ଏହା କୌଣସି ଅପରାଧିକ ମାମଲା ନୁହେଁ, ବରଂ କେବଳ ଏକ ଆଇନଗତ ନୋଟିସ ମାତ୍ର। ତେଣୁ ଏହାକୁ ସତ୍ୟପାଠରେ ଉଲ୍ଲେଖ କରିବା ବାଧ୍ୟତାମୂଳକ ନଥିଲା। ମୀନାକ୍ଷୀ ନଟରାଜନ ମଧ୍ୟ କହିଛନ୍ତି ଯେ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ରୁଜୁ ହୋଇନାହିଁ ଏବଂ ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର।ନାମାଙ୍କନ ରଦ୍ଦ ହେବା ପରେ କଂଗ୍ରେସ ନେତାମାନେ ଦିଲ୍ଲୀରେ ନିର୍ବାଚନ କମିଶନ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ କରିଥିଲେ। ଏ ଘଟଣାକୁ ଗଣତନ୍ତ୍ରର ହତ୍ୟା ବୋଲି କହିଛି କଂଗ୍ରେସ। କଂଗ୍ରେସ ଏହି ନିଷ୍ପତ୍ତିକୁ ଆଇନଗତ ଭାବେ ଚ୍ୟାଲେଞ୍ଜ କରିବା ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି। ଏହି ଘଟଣାର ସିଧା ପ୍ରଭାବ ରାଜ୍ୟସଭା ନିର୍ବାଚନ ଉପରେ ପଡ଼ିଛି। କଂଗ୍ରେସ ନିଜ ବିଧାୟକମାନଙ୍କୁ କର୍ଣ୍ଣାଟକକୁ ସ୍ଥାନାନ୍ତର କରି କ୍ରସ ଭୋଟିଂ ରୋକିବାକୁ ଯୋଜନା କରିଥିଲା। କିନ୍ତୁ ନାମାଙ୍କନ ରଦ୍ଦ ହେବା ପରେ ସେହି ଯୋଜନା ବାତିଲ ହୋଇଯାଇଛି। ଏଭଳି ସ୍ଥିତିରେ ଏବେ ବିଜେପିର ୩ ପ୍ରାର୍ଥୀଙ୍କ ବିଜୟ ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି। ଏହି ବିବାଦ ଆଗାମୀ ଦିନରେ ନିର୍ବାଚନ କମିଶନ ଏବଂ ଅଦାଲତରେ ଏକ ବଡ଼ ଆଇନଗତ ଓ ରାଜନୈତିକ ଲଢ଼େଇର ରୂପ ନେଇପାରେ। ଏଥର ବିଜେପି ରାଜ୍ୟସଭା ପାଇଁ ତିନିଜଣ ପ୍ରାର୍ଥୀଙ୍କୁ ମୈଦାନକୁ ଓହ୍ଲାଇଛି। ପ୍ରଥମ ଦୁଇ ଆସନରେ ଦଳର ବିଜୟ ପୂର୍ବରୁ ନିଶ୍ଚିତ ଧରାଯାଉଥିଲା। କିନ୍ତୁ ତୃତୀୟ ଆସନ ପାଇଁ ବିଜେପି ଅତିରିକ୍ତ ପ୍ରାର୍ଥୀ ଦେଇ କଂଗ୍ରେସକୁ ଚାପରେ ପକାଇଥିଲା। ଏହି ତୃତୀୟ ପ୍ରାର୍ଥୀ ହେଲେ ମହେଶ କେଓ୍ୱାଟ୍। ଯିଏ ପରେ ମୀନାକ୍ଷୀ ନଟରାଜନଙ୍କ ନାମାଙ୍କନ ବିରୋଧରେ ଅଭିଯୋଗ ଦାଖଲ କରିଥିଲେ।କଂଗ୍ରେସର ଅଭିଯୋଗ- ତୃତୀୟ ଆସନ ପାଇଁ ବିଜେପି ପାଖରେ ପର୍ଯ୍ୟାପ୍ତ ସଂଖ୍ୟା ନଥିଲେ ସୁଦ୍ଧା ଏହି ଆସନକୁ ହାସଲ ଲାଗି ବିଜେପି ଷଡ଼ଯନ୍ତ୍ର ରଚିଛି। ସଂଖ୍ୟା ଗଣିତ ଦେଖିଲେ ୨୩୦ ସଦସ୍ୟ ବିଶିଷ୍ଟ ବିଧାନସଭାରେ ବିଜେପି ପାଖରେ ୧୬୪ ଆସନ ଅଛି। ଏହା ବଳରେ ଅନାୟାସରେ ଦୁଇଟି ସିଟ୍ ଜିତିବ ବିଜେପି। ଜଣେ ପ୍ରାର୍ଥୀଙ୍କୁ ଜିତିବାକୁ ୫୮ ଭୋଟ ଜରୁରୀ। ଦୁଇଟି ଯାକ ଆସନରେ ଜିତିବା ପରେ ବିଜେପି ପାଖରେ ୪୮ ବିଧାୟକଙ୍କ ଭୋଟ ରହୁଛି। ବିଜେପିକୁ ଜିତିବାକୁ ୧୦ ଭୋଟ ଜରୁରୀ ଥିଲା। ଏମିତିରେ ତୃତୀୟ ସିଟ ପାଇଁ ଅତିରିକ୍ତ ଭୋଟ, କ୍ରସଭୋଟିଂ ଓ ବିରୋଧୀ ସଦସ୍ୟଙ୍କ ମତଦାନରୁ ଦୂରେଇ ରହିବା ଉପରେ ନିର୍ଭର କରୁଥିଲା। କଂଗ୍ରେସ ପାଖରେ ୬୨ ବୈଧ ଭୋଟ ଅଛି। ରିସୋର୍ଟକୁ ବିଧାୟକଙ୍କୁ ସିଫ୍ଟ ନ କଲେ କ୍ରସଭୋଟିଂର ଭୟ କଂଗ୍ରେସ ନିଜ ଅତୀତ ଅନୁଭୂତିରୁ ଶିଖିଛି। ୨୦୨୦ରେ ମଧ୍ୟପ୍ରଦେଶରେ କମଲନାଥ ସରକାରର ପତ୍ତନ ହୋଇଥିଲା। ଯେତେବେଳେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କଂଗ୍ରେସର ୨୨ ବିଧାୟକ ଦଳ ଛାଡ଼ି ବିଜେପିକୁ ଚାଲିଗଲେ। ଏ ଘଟଣା ହିଁ ରାଜ୍ୟରେ ବିଜେପିକୁ ସତ୍ତାକୁ ଫେରିବାର ବାଟ ଫିଟାଇଥିଲା। ଓଡ଼ିଶାରେ ବିଜେଡି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟ ହରାଇଥିଲେ। ଆବଶ୍ୟକୀୟ ସଂଖ୍ୟା ନଥାଇ ବି ଓଡ଼ିଶା ରାଜ୍ୟସଭା ନିର୍ବାଚନରେ ଚତୁର୍ଥ ଆସନରେ ଦିଲ୍ଲୀପ ରାଏ ବାଜି ମାରିନେଲେ।
