Milk price hike: ଦୁଗ୍ଧ ଚାଷୀଙ୍କ ପାଇଁ ଖୁସି ଖବର, କ୍ଷୀର ଲିଟର ପିଛା ବଢ଼ିଲା ୨ ଟଙ୍କା
ଦୁଗ୍ଧ ଚାଷୀଙ୍କ ପାଇଁ ବଡ଼ ଖୁସି ଖବର। ସେପ୍ଟେମ୍ବର ୧୧ରୁ କ୍ଷୀର ଲିଟର ପିଛା ୨ ଟଙ୍କା ଅଧିକ ମିଳିବ। ୩ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀ ହେବେ ଉପକୃତ।
ଭୁବନେଶ୍ୱର: ଦୁଗ୍ଧ ଚାଷୀଙ୍କ ପାଇଁ ଆସିଛି ଖୁସି ଖବର। ଆସନ୍ତା ସେପ୍ଟେମ୍ବର ୧୧ ତାରିଖରୁ ଦୁଗ୍ଧ ଚାଷୀଙ୍କୁ କ୍ଷୀର ଲିଟର ପିଛା ୨ ଟଙ୍କା ଅଧିକ ମିଳିବ । ଏହାଦ୍ୱାରା ରାଜ୍ୟର ପ୍ରାୟ ୩ ଲକ୍ଷରୁ ଊର୍ଦ୍ଧ୍ୱ ଦୁଗ୍ଧ ଚାଷୀ ଉପକୃତ ହେବେ। ଚାଷୀଙ୍କଠାରୁ କ୍ଷୀର କିଣା ଦର ବୃଦ୍ଧି ପାଇଲେ ମଧ୍ୟ ଏହାର ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିବ ନାହିଁ। ପୁରୁଣା ଦରରେ ହିଁ ଓମ୍ଫେଡ୍ ସାମଗ୍ରୀ ବିକ୍ରି ହେବ। ବିଗତ କିଛି ଦିନ ଧରି ବିଶ୍ୱ ବଜାରରେ ତୈଳ ଦରରେ କ୍ରମାଗତ ବୃଦ୍ଧି ଯୋଗୁଁ କୃଷିଜାତ ଦ୍ରବ୍ୟର ଉତ୍ପାଦନ ଓ ପରିବହନ ଖର୍ଚ୍ଚ ବଢ଼ିଛି। ତୈଳ ଦର ବୃଦ୍ଧିର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ କୃଷି ସହ ପଶୁପାଳନ କ୍ଷେତ୍ର ଉପରେ ମଧ୍ୟ ପଡ଼ିଛି। ଦୁଗ୍ଧ ଉତ୍ପାଦନ ସହ ଜଡ଼ିତ ପ୍ରାୟ ସମସ୍ତ ଉପାଦାନର ଦର ବୃଦ୍ଧି ପାଇବାରୁ ଦୁଗ୍ଧ ଚାଷୀଙ୍କ ଉପରେ ଆର୍ଥିକ ଚାପ ବଢ଼ିଛି। ବିଶେଷକରି ଗୋଖାଦ୍ୟରେ ବ୍ୟବହୃତ ମକା, De-Oiled Rice Bran (DORB), Rice Polish ଓ ସୋରିଷ ପିଡ଼ିଆ ଭଳି କଞ୍ଚାମାଲର ମୂଲ୍ୟରେ ୨୫ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇଛି। ଏଥିସହ ଗୋଖାଦ୍ୟ, ଘାସଚାରା ଓ ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀର ଦର ବଢ଼ିବା ଫଳରେ ଗୋପାଳନର ଦୈନିକ ଖର୍ଚ୍ଚ ମଧ୍ୟ ବୃଦ୍ଧି ପାଇଛି। ଏହାକୁ ନେଇ ଦୁଗ୍ଧ ଚାଷୀମାନେ ଦୀର୍ଘଦିନ ଧରି କ୍ଷୀରର ମୂଲ୍ୟ ବୃଦ୍ଧି ପାଇଁ ଦାବି କରୁଥିଲେ। ଚାଷୀଙ୍କ ଦାବି ଓ ଆର୍ଥିକ ସ୍ଥିତିକୁ ବିଚାର କରି ଓମ୍ଫେଡ୍ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ରାଜ୍ୟରେ ଆଉ ୧୨୦୦ଟି ନୂଆ ଦୁଗ୍ଧ ସମବାୟ ସମିତି ପ୍ରତିଷ୍ଠା କରାଯିବ। ବର୍ତ୍ତମାନ ରାଜ୍ୟରେ ୪୬୧୬ଟି ଦୁଗ୍ଧ ସମବାୟ ସମିତି ରହିଛି। ଏହା ସହିତ ବିଭିନ୍ନ ଜିଲ୍ଲାରେ ନୂଆ ଦୁଗ୍ଧ ସମବାୟ ସମିତି ସ୍ଥାପନ କରାଯିବ। ନୂଆ ସମିତିଗୁଡ଼ିକର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇସାରିଛି ଏବଂ ଖୁବଶୀଘ୍ର ଏହା କାର୍ଯ୍ୟକ୍ଷମ ହେବ ବୋଲି ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ଯପଟେ, ଦୁଗ୍ଧ ଚାଷୀଙ୍କୁ ଅଧିକ ଅର୍ଥ ପ୍ରଦାନ ବ୍ୟବସ୍ଥା ଯୋଗୁଁ ରାଜ୍ୟ ରାଜକୋଷ ଉପରେ କୌଣସି ଅତିରିକ୍ତ ପ୍ରଭାବ ପଡ଼ିବ ନାହିଁ। ଓମ୍ଫେଡ୍ରେ ହେଉଥିବା ଲାଭରୁ ଏହି ଅତିରିକ୍ତ ଅର୍ଥ ବ୍ୟବସ୍ଥା କରାଯିବ। ଏଥିସହ ସମ୍ବଲପୁରରେ ଦୁଗ୍ଧ ଉତ୍ପାଦନ ବଢ଼ୁଥିବାରୁ ଆଉ ଏକ ନୂଆ ଦୁଗ୍ଧ ସଂଗ୍ରହ କେନ୍ଦ୍ର ସ୍ଥାପନ ପାଇଁ ସରକାର ସମ୍ମତି ଦେଇଛନ୍ତି। ଏନେଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ଯେ, ଦୁଗ୍ଧ ଚାଷୀଙ୍କ ସ୍ୱାର୍ଥ ଓ ଦୁଗ୍ଧ ଉତ୍ପାଦନ ବୃଦ୍ଧିକୁ ସରକାର ପ୍ରାଥମିକତା ଦେଉଛନ୍ତି।
