Migrant Worker’s Mysterious Death : ନ୍ୟାୟ ପାଇଁ ରାଜରାସ୍ତାରେ ପରିବାର, ଠପ୍ ଯାତାୟାତ
ଦାଦନ ଶ୍ରମିକଙ୍କ ରହସ୍ୟଜନକ ମୃତ୍ୟୁ ! ନ୍ୟାୟ ଦାବିରେ NH-57 ଅବରୋଧ, ଠପ୍ ଭୁବନେଶ୍ୱର-ବୌଦ୍ଧ ଯାତାୟାତ।
ଦାଦନ ଶ୍ରମିକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ଉତ୍ତେଜନା। ମୃତ ଶ୍ରମିକଙ୍କ ପରିବାର ଲୋକେ ନ୍ୟାୟ ଦାବିରେ ବିରନରସିଂହପୁର ଠାରେ ମୃତଦେହ ରଖି ୫୭ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଫଳରେ ଭୁବନେଶ୍ୱରରୁ ବୌଦ୍ଧକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଶହ ଶହ ଗାଡ଼ି ମୋଟର ଅଟକି ରହିଛି।ମୃତ ଶ୍ରମିକ ଜଣକ ହେଉଛନ୍ତି ବୌଦ୍ଧ ଥାନା ଅନ୍ତର୍ଗତ ବିରାମଚନ୍ଦ୍ରପୁର ଗ୍ରାମର ସୁନୀଲ ଜେନା। ସେ ବାଲେଶ୍ୱରର ଏକ ନେଟୱାର୍କ କମ୍ପାନୀରେ କାର୍ଯ୍ୟ କରୁଥିଲେ। କାର୍ଯ୍ୟସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ସୁନୀଲଙ୍କ ମୃତ୍ୟୁ ପରେ ସହକର୍ମୀମାନେ ସ୍ଥାନୀୟ ବାଲେଶ୍ୱର ପୋଲିସକୁ ଖବର ନଦେଇ ମୃତଦେହକୁ ତାଙ୍କ ଗାଁ ଘରକୁ ଆଣିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପରିବାର ଲୋକଙ୍କ ମନରେ ସନ୍ଦେହ ଓ ଅସନ୍ତୋଷ ଦେଖାଦେଇଛି।ସୁନୀଲଙ୍କ ମୃତ୍ୟୁର ପ୍ରକୃତ କାରଣ ଉନ୍ମୋଚନ, ଘଟଣାର ନିରପେକ୍ଷ ତଦନ୍ତ ଏବଂ ଦୋଷୀଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବିରେ ପରିବାର ଲୋକେ ମୃତଦେହକୁ ରାସ୍ତା ଉପରେ ରଖି ଧାରଣା ଦେଇଛନ୍ତି।ଘଟଣାକୁ ନେଇ ଜାତୀୟ ରାଜପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଥିବା ବେଳେ ଯାତ୍ରୀମାନେ ନାହିଁ ନଥିବା ହଇରାଣ ହେଉଛନ୍ତି। ପରିବାରକୁ ନ୍ୟାୟ ମିଳିବା ସହ ସୁନୀଲଙ୍କ ମୃତ୍ୟୁ ପଛର ରହସ୍ୟ କେବେ ଉନ୍ମୋଚନ ହେବ, ତାହାକୁ ନେଇ ଏବେ ଅପେକ୍ଷା।
