FAMILY MURDER CASE:ପତ୍ନୀଙ୍କ ପରିବାରର ୭ ଜଣଙ୍କୁ ହତ୍ୟା
ବେଙ୍ଗାଲୁରୁରେ ଗୋଟିଏ ପରିବାରର ୭ ଜଣଙ୍କୁ ହତ୍ୟା ଅଭିଯୋଗରେ ଇନ୍ଦୁଶେଖର ଗିରଫ। ଏହି ଘଟଣାରେ ଅଭିଯୁକ୍ତଙ୍କ ନାବାଳିକା ଝିଅର ସମ୍ପୃକ୍ତି ନେଇ ପୋଲିସର ସନ୍ଦେହ। ଘଟଣାର ବିଭିନ୍ନ ଦିଗକୁ ନେଇ ତଦନ୍ତ ଜାରି ରହିଛି।

ବେଙ୍ଗାଲୁରୁ:ବେଙ୍ଗାଲୁରୁରେ ଚାଞ୍ଚଲ୍ୟ। ପାରିବାରିକ ବିବାଦକୁ କେନ୍ଦ୍ର କରି ପତ୍ନୀଙ୍କ ପରିବାରର ୭ ଜଣଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଇନ୍ଦୁଶେଖରଙ୍କୁ ଗିରଫ କରିଛି ପୋଲିସ। ଏହି ଘଟଣାରେ ଅଭିଯୁକ୍ତଙ୍କ ନାବାଳିକା ଝିଅର ଭୂମିକା ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଛି ପୋଲିସ। ତାଙ୍କୁ ଜେରା କରାଯାଉଥିବା ବେଳେ ଘଟଣାରେ ତାଙ୍କର ପ୍ରକୃତ ଭୂମିକା କଣ, ତାହା ଜାଣିବାକୁ ତଦନ୍ତ ଚାଲିଛି। ମୃତକଙ୍କ ମଧ୍ୟରେ ଅଭିଯୁକ୍ତଙ୍କ ପତ୍ନୀ ସୁନୀତା, ଶାଶୁ ରୂପବତୀ, ଦୁଇ ଶଳା ଶିବକୁମାର ଓ ଶଙ୍କର, ଦୁଇ ଶାଳୀ ଦିବ୍ୟା ଓ ନଳିନୀ ଏବଂ ଶଙ୍କରଙ୍କ ୭ ବର୍ଷର ପୁଅ ରହିଛନ୍ତି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ପ୍ରାୟ ଦୁଇ ଦିନ ମଧ୍ୟରେ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପତ୍ନୀଙ୍କୁ ହତ୍ୟା କରିବା ପରେ ଅନ୍ୟ ପରିବାର ସଦସ୍ୟଙ୍କୁ ଘରକୁ ଡାକି ହତ୍ୟା କରିଥିବା ଅଭିଯୋଗ ହୋଇଛି। ନାଲିନୀଙ୍କ ମାଆ ନିଖୋଜ ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିଲା। ତଦନ୍ତ ବେଳେ ନନ୍ଦୀ ହିଲ୍ସ ନିକଟରୁ ୭ ବର୍ଷର ଶିଶୁର ମୃତଦେହ ମିଳିଛି। ଅନ୍ୟ ମୃତଦେହଗୁଡ଼ିକର ସନ୍ଧାନ ଜାରି ରହିଛି। ପୋଲିସ ଅଭିଯୁକ୍ତଙ୍କ କାର୍ ଜବତ କରିବା ସହ ଘଟଣାରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଜବତ କରିଛି। ପାରିବାରିକ ବିବାଦ ହତ୍ୟାକାଣ୍ଡର କାରଣ ବୋଲି ପ୍ରାଥମିକ ତଦନ୍ତରୁ ସନ୍ଦେହ କରାଯାଉଥିବା ବେଳେ ଅନ୍ୟ କେହି ସହଯୋଗ କରିଥିଲେ କି ନାହିଁ, ତାହାର ମଧ୍ୟ ତଦନ୍ତ କରୁଛି ପୋଲିସ।
