Micro-routines:ଘଣ୍ଟା ଘଣ୍ଟାର କସରତ ଛାଡି ଆପଣାନ୍ତୁ 'ମାଇକ୍ରୋ-ରୁଟିନ୍'
ସକାଳ ୫ଟା ରେ ଉଠି ଏକ ଘଣ୍ଟା ବ୍ୟାୟାମ କରିବା,ଧ୍ୟାନ କରିବା ଆଉ ତାପରେ ଗ୍ରୀନ ଜୁସ ପିଇବା ,ଏସବୁ ଶୁଣିବାକୁ ଭଲଲାଗେ ,କିନ୍ତୁ ସବୁଦିନ ଏହାକୁ ପାଳନକରିବା ଭାରି କଷ୍ଟ |ଜୀବନର ଭାଗଦୌଡ଼ ଭିତରେ ସକାଳୁ ଘଣ୍ଟାଏ ୱାର୍କ ଆଉଟ କରିବା କିମ୍ବା ଧ୍ୟାନ ଲଗାଇବା ପାଇଁ କାହାପାଖରେ ସମୟ ଅଛି ? ତେବେ ଏଇ କାରଣରୁ ଏବେ 'ମାଇକ୍ରୋ-ରୁଟିନ୍' ଅବା ୫ ମିନିଟର ଛୋଟ ଛୋଟ ମର୍ନିଙ୍ଗ ରିଚୁଆଲ ଏବେ ହେଲଥ ଆଉ ଲାଇଫଷ୍ଟାଇଲ ଦୁନିଆରେ ଲୋକପ୍ରିୟ ହେଉଛି |
ଆଜିକାଲିର ଦ୍ରୁତଗାମୀ ଓ ବ୍ୟସ୍ତବହୁଳ ଜୀବନଶୈଳୀରେ ନିଜ ସ୍ୱାସ୍ଥ୍ୟ ଓ ମାନସିକ ଶାନ୍ତି ପାଇଁ ସମୟ ବାହାର କରିବା କାଠିକର ପାଠ। ସକାଳୁ ଉଠି ଘଣ୍ଟା ଘଣ୍ଟା ଧରି ବ୍ୟାୟାମ କରିବା, ଦୀର୍ଘସମୟ ଧ୍ୟାନରେ ବସିବା କିମ୍ବା ଜଟିଳ ଦିନଚର୍ଯ୍ୟା ପାଳନ କରିବା ଶୁଣିବାକୁ ହିଁ ଭଲ ଲାଗେ, କିନ୍ତୁ ନିୟମିତ ଭାବେ ଏହାକୁ କରିବା ସମସ୍ତଙ୍କ ପାଇଁ ସମ୍ଭବ ନୁହଁ। ଏହି କାରଣରୁ ଏବେ ବିଶ୍ୱସାରା 'ମାଇକ୍ରୋ-ରୁଟିନ୍' (Micro-Routines) ବା ୫ ମିନିଟର ଛୋଟ ଛୋଟ ଅଭ୍ୟାସର କ୍ରେଜ୍ ବଢିଚାଲିଛି । ମାଇକ୍ରୋ-ରୁଟିନ୍ର ମୂଳ ଲକ୍ଷ୍ୟ ହେଉଛି ଛୋଟ ଓ ଲଗାତାର କରିହେଉଥିବା ଅଭ୍ୟାସ ଯାହାଦ୍ୱାରା ମାନସିକ ଚାପ ପଡେନାହିଁ । ଏଥିରେ ବଡ଼ ବଡ଼ ସଙ୍କଳ୍ପ ନେବା ପରିବର୍ତ୍ତେ ମାତ୍ର ୨ ରୁ ୫ ମିନିଟ୍ ସମୟ ନେଉଥିବା ସହଜ କାର୍ଯ୍ୟଗୁଡ଼ିକୁ ସକାଳର ପ୍ରଥମ ଅଭ୍ୟାସ ଭାବେ ଗ୍ରହଣ କରାଯାଏ। ଉଦାହରଣ ସ୍ୱରୂପ, ୪୫ ମିନିଟର ଯୋଗ ପରିବର୍ତ୍ତେ ବିଛଣା ଛାଡ଼ିବା କ୍ଷଣି ୨ ମିନିଟର ଶରୀର ଷ୍ଟ୍ରେଚିଂ, ଅଧ ଘଣ୍ଟାର ମେଡିଟେସନ୍ ବଦଳରେ ୩ ମିନିଟର ଗଭୀର ନିଶ୍ୱାସ ପ୍ରଶ୍ୱାସ (Deep Breathing) ଅଭ୍ୟାସ, କିମ୍ବା ବହିର ଗୋଟିଏ ପୂରା ଅଧ୍ୟାୟ ପଢ଼ିବା ବଦଳରେ ମାତ୍ର ଗୋଟିଏ ପୃଷ୍ଠା ପଢ଼ିବା ଇତ୍ୟାଦି |
ସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ମନୋବିଜ୍ଞାନୀଙ୍କ ମତରେ, କଠିନ ଲକ୍ଷ୍ୟ ଅନେକ ସମୟରେ ମସ୍ତିଷ୍କ ଉପରେ ଚାପ ସୃଷ୍ଟି କରିଥାଏ, ଯାହା ଫଳରେ ଦୁଇ ତିନି ସପ୍ତାହରେ ସଂକଳ୍ପ ଭାଙ୍ଗିଯାଏ । ମାତ୍ର ୫ ମିନିଟର ଏହି ଛୋଟ ଛୋଟ ଅଭ୍ୟାସଗୁଡ଼ିକ ମାନସିକ କ୍ଲାନ୍ତି ଆଣିନଥାନ୍ତି ଏବଂ ମସ୍ତିଷ୍କର 'ହ୍ୟାବିଟ୍ ଲୁପ୍'କୁ ବହୁତ ସହଜରେ ସକ୍ରିୟ କରିଦିଅନ୍ତି। ଯେତେବେଳେ ଆପଣ ସକାଳୁ କୌଣସି ବିନା ଚାପରେ ଏକ ଛୋଟ ଲକ୍ଷ୍ୟ ପୂରଣ କରନ୍ତି, ସେତେବେଳେ ଶରୀରରେ ଆତ୍ମବିଶ୍ୱାସ ବୃଦ୍ଧି ପାଏ ଏବଂ ଦିନସାରା କାର୍ଯ୍ୟ କରିବା ପାଇଁ ସକାରାତ୍ମକ ଉର୍ଜା ମିଳିଥାଏ। ନିଜର ଦୈନନ୍ଦିନ ଜୀବନରେ ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ ଏହି ମାଇକ୍ରୋ-ରୁଟିନ୍ ଏବେ ଏକ ପ୍ରଭାବଶାଳୀ ମାଧ୍ୟମ ପାଲଟିଛି।ତେବେ, ଆପଣମାନଙ୍କୁ ଯଦି ସକେ ଅଳସୁଆ ଲାଗୁଛି ତାହାଲେ ସକାଳର ଆରମ୍ଭ ୫ ମିନିଟର 'ମାଇକ୍ରୋ-ରୁଟିନ୍' ରୁ କରି ଦେଖନ୍ତୁ |
