Mathili Landslide:ଭୂସ୍ଖଳନରୁ ଅଳ୍ପକେ ବର୍ତ୍ତିଲେ ଗ୍ରାମବାସୀ
ଲଗାଣ ବର୍ଷା ଯୋଗୁଁ ମାଥିଲି ବ୍ଲକର ନାୟକଗୁଡ଼ା ନିକଟ ପୁରିଗୁଡ଼ା ଗାଁରେ ଭୂସ୍ଖଳନ ଘଟିଛି। ପାହାଡ଼ ଉପରୁ ଦୁଇଟି ବିଶାଳ ପଥର ଖସି ପରସ୍ପର ସହ ଧକ୍କା ହେବାରୁ ଅଳ୍ପକେ ବର୍ତ୍ତିଛନ୍ତି ସ୍ଥାନୀୟ ଲୋକେ।
ମାଥିଲି:ମାଥିଲି ବ୍ଲକ ନାୟକଗୁଡ଼ା ନିକଟ ପୁରିଗୁଡ଼ା ଗାଁରେ ଭୂସ୍ଖଳନ। ଲଗାଣ ବର୍ଷା ଯୋଗୁଁ ପାହାଡ଼ରୁ ଦୁଇଟି ବିଶାଳ ପଥର ଖସି ଆସିବାରୁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ତେବେ ଏହି ଘଟଣାରେ ଅଳ୍ପକେ ଏକ ବଡ଼ ଅଘଟଣ ଟଳିଯାଇଛି। ସୂଚନା ଅନୁଯାୟୀ, ଗତ କିଛିଦିନ ଧରି ମାଲକାନଗିରି ଜିଲ୍ଲାରେ ଝିପିଝିପି ବର୍ଷା ଲାଗି ରହିଛି। ଏହାଫଳରେ ବିଭିନ୍ନ ପାହାଡ଼ିଆ ଅଞ୍ଚଳରେ ମାଟି ଅତଡ଼ା ଖସିବାର ଆଶଙ୍କା ଦେଖାଦେଇଛି। ଏଭଳି ସ୍ଥିତିରେ ପୁରିଗୁଡ଼ା ଗାଁର କିଛି ବାସିନ୍ଦା ପ୍ରତିଦିନ ଭଳି ନିକଟସ୍ଥ ପାହାଡ଼କୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ଏହି ସମୟରେ ପାହାଡ଼ର ପ୍ରାୟ ଶହେ ଫୁଟ ଉପରୁ ଦୁଇଟି ବଡ଼ ବଡ଼ ପଥର ହଠାତ୍ ଖସି ଆସିଥିଲା। ଦୁଇ ପଥର ପରସ୍ପର ସହ ଜୋରରେ ଧକ୍କା ହେବାରୁ ଚାରିଆଡ଼େ ଧୂଳି ଓ ଧୂଆଁମୟ ପରିବେଶ ସୃଷ୍ଟି ହୋଇଥିଲା। ଏହାସହ ପ୍ରଚଣ୍ଡ ଶବ୍ଦ ଶୁଣି ଉପସ୍ଥିତ ଲୋକେ ଭୟଭୀତ ହୋଇ ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲେ। ସୌଭାଗ୍ୟବଶତଃ କେହି ପଥର ତଳେ ଚାପି ହୋଇନଥିବାରୁ ଏକ ବଡ଼ ଅଘଟଣ ଟଳିଯାଇଛି। ତେବେ ଆଗକୁ ମଧ୍ୟ ପାହାଡ଼ରୁ ମାଟି ଅତଡ଼ା ଓ ପଥର ଖସିବାର ଆଶଙ୍କା ଥିବାରୁ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରହିଛନ୍ତି।
