Malkangiri: ଡ୍ରୋନ୍ କ୍ୟାମେରା ସହାୟତାରେ ଠାବ ବେଆଇନ ଗଞ୍ଜେଇ ଚାଷ
ମାଲକାନଗିରି କାଳିମେଳାର ରସବେଡ଼ା ଗ୍ରାମରେ ଡ୍ରୋନ୍ କ୍ୟାମେରା ସହାୟତାରେ ବେଆଇନ ଗଞ୍ଜେଇ ଚାଷ ଠାବ। ପୁଲିସର ଚଢ଼ଉରେ ଏକ ଏକର ଜମିର ଗଞ୍ଜେଇ ଚାଷ ନଷ୍ଟ।

ମାଲକାନଗିରି: ନିଶା କାରବାର ବିରୋଧରେ ମାଲକାନଗିରି ଜିଲ୍ଲା ପୁଲିସର ବଡ଼ଧରଣର କାର୍ଯ୍ୟାନୁଷ୍ଠାନ। ଡ୍ରୋନ୍ କ୍ୟାମେରା ସହାୟତାରେ ଠାବ ହେଲା ବେଆଇନ ଗଞ୍ଜେଇ ଚାଷ। ପୁଲିସର ମିଳିତ ଚଢ଼ଉରେ ପ୍ରାୟ ଏକ ଏକର ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି। ସୂଚନା ଅନୁଯାୟୀ, ମାଲକାନଗିରି ଜିଲ୍ଲା କାଳିମେଳା ଥାନା ଅନ୍ତର୍ଗତ ରସବେଡ଼ା ଗ୍ରାମରେ ପୁଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ମିଳିତ ଚଢ଼ଉ କରାଯାଇଥିଲା। ଦୁର୍ଗମ ଅଞ୍ଚଳରେ ଲୁଚାଛପା ଭାବେ ଚାଲିଥିବା ବେଆଇନ ଗଞ୍ଜେଇ ଚାଷକୁ ଠାବ କରିବା ପାଇଁ ଆଧୁନିକ ଜ୍ଞାନକୌଶଳର ସହାୟତା ନିଆଯାଇଥିଲା। ହାଇ-ଡେଫିନିସନ୍ କ୍ୟାମେରା ସଂଯୁକ୍ତ ଉନ୍ନତମାନର ଡ୍ରୋନ୍ ମାଧ୍ୟମରେ ଅଞ୍ଚଳର ନିରୀକ୍ଷଣ କରାଯାଇ ଗଞ୍ଜେଇ ଚାଷ ଜମିକୁ ଚିହ୍ନଟ କରାଯାଇଥିଲା। ପରେ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ଏକ ଏକର ଜମିରେ ହୋଇଥିବା ବେଆଇନ ଗଞ୍ଜେଇ ଗଛକୁ ନଷ୍ଟ କରିଥିଲା। ଏହି ଅଭିଯାନରେ ଡ୍ରୋନ୍ ପ୍ରଯୁକ୍ତିବିଦ୍ୟାର ବ୍ୟବହାର ପୁଲିସର ଅପରେସନକୁ ଅଧିକ ପ୍ରଭାବଶାଳୀ କରିଥିଲା। ଓଡ଼ିଶାକୁ ନିଶାମୁକ୍ତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଓ ପୁଲିସ ପ୍ରଶାସନ ପକ୍ଷରୁ ବେଆଇନ ନିଶାଦ୍ରବ୍ୟ ଚାଷ ଏବଂ କାରବାର ବିରୋଧରେ ଅଭିଯାନକୁ ଜୋରଦାର କରାଯାଉଛି।
