Police Security: ଦୀପାବଳି ଓ କାଳୀପୂଜା ପାଇଁ କଟକ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା, ୭ଟାରୁ ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି
ଦୀପାବଳି ଓ କାଳୀପୂଜା ପାଇଁ କଟକରେ କଡ଼ା ସୁରକ୍ଷା ବ୍ୟବସ୍ଥା। ୭ଟାରୁ ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି। ୫୦ ପ୍ଲାଟୁନ୍ ପୁଲିସ ଫୋର୍ସ ଓ ୩୦ଟି ପିସିଆର୍ ଗାଡ଼ି ମୁତୟନ ହେବ।
କଟକ: ଦୀପାବଳି ଓ କାଳୀପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ କଟକ କମିସନରେଟ୍ ପୁଲିସ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି। ସହରରେ ଆଇନଶୃଙ୍ଖଳା ବଜାୟ ରଖିବା ସହ ଅଘଟଣ ରୋକିବା ପାଇଁ ବ୍ୟାପକ ପୁଲିସ ମୁତୟନ ଓ ପାଟ୍ରୋଲିଂ ବ୍ୟବସ୍ଥା କରାଯାଇଛି। କଟକରେ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ବାଣ ଫୁଟାଇବାକୁ ଅନୁମତି ରହିଥିବା ବେଳେ ଏହା ପରେ ବାଣ ଫୁଟାଇଲେ ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେବ। ଆଜିଠାରୁ ସହରର ବିଭିନ୍ନ ଅଞ୍ଚଳରେ ପୁଲିସ ପାଟ୍ରୋଲିଂ ଆରମ୍ଭ ହୋଇଛି। ଦୀପାବଳି ପାଇଁ ୩୦ ପ୍ଲାଟୁନ୍ ପୁଲିସ ଫୋର୍ସ ଏବଂ କାଳୀପୂଜା ପାଇଁ ୨୦ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯିବ। ସହରର ବିଭିନ୍ନ ଛକ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ୩୦ଟି ପିସିଆର୍ ଗାଡ଼ି ପଇଁତରା ମାରିବ। ବିଶେଷ କରି ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ପୁଲିସର ସ୍ୱତନ୍ତ୍ର ନଜର ରହିବ। ଅନ୍ୟପଟେ ବାଣ ବିକ୍ରିକୁ ନେଇ ମଧ୍ୟ କଡ଼ା ନିୟମ ଲାଗୁ କରାଯାଇଛି। କେବଳ ଅନୁମତିପ୍ରାପ୍ତ ଓ ସୁରକ୍ଷିତ ସ୍ଥାନରେ ବାଣ ବିକ୍ରି କରିବାକୁ ଅନୁମତି ମିଳିଛି। ବେଆଇନ ବାଣ ବିକ୍ରି ଅଭିଯୋଗରେ ଏଯାବତ୍ କଟକର ୧୪ଟି ସ୍ଥାନରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ବାଣ ସହ ଦୁଇଟି ଚାରିଚକିଆ ଗାଡ଼ି ଜବତ କରାଯାଇଛି। ପୂର୍ବରୁ ଯେଉଁ ସ୍ଥାନଗୁଡ଼ିକରେ ବାଣ ବିକ୍ରି ପାଇଁ ଅନୁମତି ରହିଥିଲା, କେବଳ ସେହି ସ୍ଥାନରେ ହିଁ ବାଣ ବିକ୍ରି ଚାଲିଛି ବୋଲି କହିଛନ୍ତି କଟକ ଡିସିପି ଋଷିକେଶ ଖିଲାରୀ। ପର୍ବପର୍ବାଣୀ ସମୟରେ ନିୟମ ଉଲ୍ଲଂଘନ ନକରିବା ସହ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବାକୁ ପୁଲିସ ପକ୍ଷରୁ ନିବେଦନ କରାଯାଇଛି।
