ଓଡ଼ିଶାରେ ମେଡିକାଲ ଶିକ୍ଷାକୁ ବଡ଼ ସଫଳତା, ୬୨୦ରୁ ୯୩୮କୁ ବଢ଼ିଲା ପିଜି ସିଟ୍
ଓଡ଼ିଶାରେ ପିଜି ମେଡିକାଲ ସିଟ୍ ୬୨୦ରୁ ୯୩୮କୁ ବୃଦ୍ଧି। ୨୦୨୬-୨୭ ଶିକ୍ଷାବର୍ଷରେ ଯୋଡ଼ି ହେଲା ୩୧୮ ନୂଆ ସିଟ୍।
ଭୁବନେଶ୍ୱର: ଓଡ଼ିଶାରେ ମେଡିକାଲ ଶିକ୍ଷା କ୍ଷେତ୍ରରେ ଆସିଛି ବଡ଼ ପରିବର୍ତ୍ତନ। ରାଜ୍ୟରେ ପିଜି ମେଡିକାଲ ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ମୋଟ ୩୧୮ଟି ନୂଆ ପିଜି ସିଟ୍ ଯୋଡ଼ାଯାଇଛି। ଏହାଦ୍ୱାରା ରାଜ୍ୟରେ ଡାକ୍ତରୀ ଶିକ୍ଷାର ସୁଯୋଗ ବଢ଼ିବା ସହ ଭବିଷ୍ୟତରେ ବିଶେଷଜ୍ଞ ଡାକ୍ତରଙ୍କ ଅଭାବ ଦୂର କରିବାରେ ସହାୟତା ମିଳିବ। ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ମେଡିକାଲ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ଉଲ୍ଲେଖନୀୟ ଅଗ୍ରଗତି କରିଛି। ଏହି ସଫଳତା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନୂଆ ପିଜି ସିଟ୍ ମଧ୍ୟରୁ କୋରାପୁଟ ଏସ୍ଏଲ୍ଏନ୍ ମେଡିକାଲ କଲେଜକୁ ୨୮ଟି, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜକୁ ୨୨ଟି ଏବଂ ତାଳଚେର ମେଡିକାଲ କଲେଜକୁ ୩୨ଟି ସିଟ୍ ମଞ୍ଜୁର ହୋଇଛି। ଏହାସହ ଫୁଲବାଣୀ ମେଡିକାଲ କଲେଜରେ ମଧ୍ୟ ପିଜି ପାଠ୍ୟକ୍ରମ ପାଇଁ ସିଟ୍ ବ୍ୟବସ୍ଥା କରାଯାଇଛି। ସେହିପରି କଟକ ଏସ୍ସିବି ମେଡିକାଲ କଲେଜରେ ୧୭ଟି ଏବଂ ବୁର୍ଲା ଭିମସାରରେ ୧୧ଟି ପିଜି ସିଟ୍ ବୃଦ୍ଧି ପାଇଛି। ରାଜ୍ୟର ବିଭିନ୍ନ ମେଡିକାଲ କଲେଜରେ ପିଜି ସିଟ୍ ବୃଦ୍ଧି ହେବା ଫଳରେ ଅଧିକ ଡାକ୍ତରୀ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷାର ସୁଯୋଗ ପାଇବେ। ଏହା ସହିତ ଓଡ଼ିଶାର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବାରେ ଏହି ପଦକ୍ଷେପ ସହାୟକ ହେବ ବୋଲି ଆଶା କରାଯାଉଛି।
