ବରଗଡ଼ରେ ମଦ ଦୋକାନକୁ ନେଇ ତୀବ୍ର ବିରୋଧ
ବଢ଼ୁଥିବା ମଦ ଦୋକାନକୁ ନେଇ ବରଗଡ଼ରେ ଜନଅସନ୍ତୋଷ, ଭଟଲି ଛକରୁ ଜିରା ବ୍ରିଜ୍ ପର୍ଯ୍ୟନ୍ତ ନୂଆ ମଦ ଦୋକାନକୁ କଡ଼ା ବିରୋଧ। ସ୍ଥାନୀୟ ବାସିନ୍ଦାଙ୍କ ରାସ୍ତାରୋକ ଆନ୍ଦୋଳନ ।
ବରଗଡ଼: ବଢ଼ୁଥିବା ମଦ ଦୋକାନକୁ ନେଇ ବରଗଡ଼ରେ ତୀବ୍ର ବିରୋଧ। ସହରରେ ମଦ ଦୋକାନ ବୃଦ୍ଧି ପାଉଥିବାରୁ ଅପରାଧ ବଢ଼ୁଛି ଏବଂ ଯୁବପିଢ଼ି ନିଶାଗ୍ରସ୍ତ ହୋଇ ପଥଭ୍ରଷ୍ଟ ହେଉଥିବା ଅଭିଯୋଗ କରି ରାସ୍ତାକୁ ଓହ୍ଲାଇଛନ୍ତି ୱାର୍ଡ ନମ୍ବର–୧ ନିଗମାନନ୍ଦ ବିହାରର ବାସିନ୍ଦା। ଭଟଲି ଛକରୁ ଜିରା ବ୍ରିଜ୍ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବାକୁ ବିରୋଧ କରି ଦୁଇ ଘଣ୍ଟା ଧରି ରାସ୍ତାରୋକ ଆନ୍ଦୋଳନ କରିଛନ୍ତି ସ୍ଥାନୀୟ ଲୋକେ। ସୂଚନା ଅନୁଯାୟୀ, ବରଗଡ଼ ସହରରେ ଦିନକୁ ଦିନ ମଦ ଦୋକାନ ବଢ଼ୁଥିବା ବେଳେ ସେହି ଅନୁପାତରେ ଅପରାଧ ମଧ୍ୟ ବୃଦ୍ଧି ପାଉଥିବା ଅଭିଯୋଗ ଉଠିଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ନିଶାଗ୍ରସ୍ତ ଯୁବକଙ୍କ ଦୌରାତ୍ମ୍ୟ ଯୋଗୁଁ ଚୋରି, ଲୁଟ୍, ଛୁରାମାଡ଼ ଓ ଅସାମାଜିକ କାର୍ଯ୍ୟ ବଢ଼ିଛି। ସ୍କୁଲ ଓ କଲେଜ ଛାତ୍ରୀଙ୍କ ସହ ଅସଦାଚରଣ ଭଳି ଘଟଣା ମଧ୍ୟ ଘଟୁଥିବା ଅଭିଯୋଗ କରିଛନ୍ତି ବାସିନ୍ଦା। ବରଗଡ ଭଟଲି ଛକରୁ ନିଗମାନନ୍ଦ ବିହାର ପର୍ଯ୍ୟନ୍ତ ଏଭଳି ଘଟଣା ବଢ଼ୁଥିବା ସତ୍ତ୍ୱେ ପ୍ରଶାସନ ଓ ଅବକାରୀ ବିଭାଗ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ବାରମ୍ବାର ଦାବି ସତ୍ତ୍ୱେ ନୂଆ ମଦ ଦୋକାନ ଖୋଲିବା ପ୍ରକ୍ରିୟାକୁ ନେଇ ଲୋକଙ୍କ ଅସନ୍ତୋଷ ବଢ଼ିଥିଲା। ଏହାକୁ ପ୍ରତିବାଦ କରି ନିଗମାନନ୍ଦ ବିହାରବାସୀ ରାସ୍ତାରୋକ ଆନ୍ଦୋଳନ କରିଥିଲେ।
ଗୋଟିଏ ପଟେ ପୋଲିସ ଓ ଅବକାରୀ ବିଭାଗ ମଦ୍ୟପଙ୍କ ବିରୋଧରେ ଚଢ଼ାଉ କରୁଥିବା ବେଳେ, ଅନ୍ୟପଟେ ନୂଆ ନୂଆ ମଦ ଦୋକାନ ଖୋଲାଯାଉଥିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ଲୋକେ। ମନ୍ଦିର ଓ ଜନବସତି ନିକଟରେ ମଦ ଦୋକାନ ଖୋଲାଯାଉଥିବା ନେଇ ମଧ୍ୟ ସେମାନେ ଅଭିଯୋଗ କରିଛନ୍ତି। ଭଟଲି ଛକରୁ ହଲଦୀପାଲି ଛକ ପର୍ଯ୍ୟନ୍ତ ପ୍ରାୟ ଦୁଇ ଘଣ୍ଟା ଧରି ରାସ୍ତାରୋକ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ସୂଚନା ପାଇ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସମାଧାନ ନେଇ ଲିଖିତ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନକାରୀମାନେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ।
ଲୋକଙ୍କ ଆନ୍ଦୋଳନ ପରେ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ଦେଇଥିବା ପ୍ରତିଶ୍ରୁତି କେତେ ଶୀଘ୍ର କାର୍ଯ୍ୟକାରୀ ହେଉଛି ଏବଂ ବିବାଦୀୟ ମଦ ଦୋକାନ ହଟାଇବା ପାଇଁ କେଉଁ ପଦକ୍ଷେପ ନିଆଯାଉଛି, ତାହା ଉପରେ ଏବେ ସ୍ଥାନୀୟ ଲୋକଙ୍କ ନଜର ରହିଛି।
