Prisoner Death: ଜେଲରେ କଏଦୀ ମୃତ୍ୟୁ ଘଟଣା: ୭ ଦିନରେ ୨ ମୃତ୍ୟୁକୁ ନେଇ ଉଠିଲା ପ୍ରଶ୍ନ
ମାଲକାନଗିରି ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଲକ୍ଷ୍ମୀନାଥ ବେହେରାଙ୍କ ମୃତ୍ୟୁ। ୭ ଦିନରେ ୨ କଏଦୀଙ୍କ ମୃତ୍ୟୁକୁ ନେଇ ଜେଲ୍ ପ୍ରଶାସନ ଉପରେ ପ୍ରଶ୍ନ।
ମାଲକାନଗିରି: ମାଲକାନଗିରି ଜିଲ୍ଲା କାରାଗାରରେ ପୁଣି ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଛି। କଳାଗୁଡ଼ା ଗ୍ରାମର ବିଚାରାଧୀନ କଏଦୀ ଲକ୍ଷ୍ମୀନାଥ ବେହେରାଙ୍କ ମୃତ୍ୟୁ ପରେ ଜେଲ୍ କର୍ତ୍ତୃପକ୍ଷଙ୍କ ଭୂମିକା ଓ ଅବହେଳାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତକଙ୍କ ପରିବାର ଏବଂ ଜିଲ୍ଲା ଗୌଡ଼ ସମାଜ। ସୂଚନା ଅନୁସାରେ, ଗତକାଲି ମାଲକାନଗିରି ଜିଲ୍ଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ଥିବା ଲକ୍ଷ୍ମୀନାଥ ବେହେରାଙ୍କ ମୃତ୍ୟୁ ଘଟିଥିଲା। ଜେଲ୍ ଭିତରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଥିବା ନେଇ ସୂଚନା ଦିଆଯାଇଥିବା ବେଳେ, ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଗୋଟିଏ ସପ୍ତାହ ମଧ୍ୟରେ ମାଲକାନଗିରି ଜେଲ୍ରେ ଦୁଇ ଜଣ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟିଛି। ଫଳରେ ଜେଲ୍ରେ କଏଦୀଙ୍କ ସୁରକ୍ଷା, ସ୍ୱାସ୍ଥ୍ୟସେବା ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଘଟଣାକୁ ନେଇ ଆଜି ଜିଲ୍ଲା ଗୌଡ଼ ସମାଜ, ମୃତକଙ୍କ ସ୍ତ୍ରୀ ଓ ପରିବାରବର୍ଗ ମାଲକାନଗିରି ଏସ୍ପିଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପରିବାରର ଏକମାତ୍ର ରୋଜଗାରିଆ ବ୍ୟକ୍ତିଙ୍କୁ ହରାଇ ତାଙ୍କ ସ୍ତ୍ରୀ ଓ ସନ୍ତାନ ବେସାହାରା ହୋଇପଡ଼ିଥିବାରୁ ସରକାରଙ୍କ ପକ୍ଷରୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ପିଲାଙ୍କ ପାଠପଢ଼ାର ଦାୟିତ୍ୱ ଏବଂ ମୃତକଙ୍କ ସ୍ତ୍ରୀଙ୍କୁ ଚାକିରି ଯୋଗାଇଦେବାକୁ ଦାବି କରାଯାଇଛି।
ଏଥିସହିତ ଘଟଣାରେ ଯଦି କୌଣସି ଅଧିକାରୀଙ୍କ ଅବହେଳା କିମ୍ବା ଦାୟିତ୍ୱହୀନତା ପ୍ରମାଣିତ ହୁଏ, ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ମଧ୍ୟ ଗୌଡ଼ ସମାଜ ପକ୍ଷରୁ ଦାବି କରାଯାଇଛି। ଏହି ଘଟଣାକୁ ନେଇ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଅନ୍ୟପକ୍ଷରେ, ମାଲକାନଗିରି ଏସ୍ପି ବିନୋଦ ପାଟିଲ କହିଛନ୍ତି ଯେ, ଘଟଣାର ତଦନ୍ତ ସୁପ୍ରିମକୋର୍ଟ ଏବଂ ଜାତୀୟ ମାନବାଧିକାର କମିଶନ (NHRC)ର ନିର୍ଦ୍ଦେଶାବଳୀ ଅନୁସାରେ ଜାରି ରହିଛି। ତେବେ ମୃତ୍ୟୁର ପ୍ରକୃତ କାରଣ ନେଇ ବର୍ତ୍ତମାନ ସ୍ପଷ୍ଟତା ନଥିବା ବେଳେ, ତଦନ୍ତ ଓ ପୋଷ୍ଟମୋର୍ଟମ ରିପୋର୍ଟ ପରେ ଘଟଣାର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ଜଣାପଡ଼ିଛି।
