ମାନବିକତା ଦେଖାଇଲେ ଜିଲ୍ଲାପାଳ ଓ ଏସପି
ମାନବିକତା ଦେଖାଇଲେ ମାଲକାନଗିରି ଜିଲ୍ଲାପାଳ ଓ ଏସପି: ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ନିଜ ଗାଡ଼ିରେ ନେଲେ ମେଡିକାଲ।
ମାଲକାନଗିରି: ଦୁର୍ଘଟଣାରେ ଗୁରୁତର ଆହତ ହୋଇ ରାସ୍ତା ମଝିରେ ପଡ଼ିଥିବା ଜଣେ ଯୁବକଙ୍କୁ ତୁରନ୍ତ ନିଜ ଗାଡ଼ିରେ ମେଡିକାଲ ପହଞ୍ଚାଇ ମାନବିକତାର ଉଦାହରଣ ଦେଇଛନ୍ତି ମାଲକାନଗିରି ଜିଲ୍ଲାପାଳ ଓ ଏସପି। ସୂଚନା ଅନୁଯାୟୀ, ଅଗଷ୍ଟ ୧୮ ତାରିଖରେ ଚିତ୍ରକୋଣ୍ଡା ଅଞ୍ଚଳରୁ ଫିଲ୍ଡ ଭିଜିଟ୍ ସାରି ମାଲକାନଗିରି ଫେରୁଥିବା ସମୟରେ ଜିଲ୍ଲାପାଳ ଓ ଏସପି ଏଚ୍ ରାସ୍ତାରେ ଘଟିଥିବା ଏକ ଦୁର୍ଘଟଣା ଦେଖିଥିଲେ। ଏକ ବାଇକ୍ ଓ ପିକ୍ଅପ୍ ଗାଡ଼ି ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁଁ ବାଇକ୍ ଚାଳକ ଗୁରୁତର ଆହତ ହୋଇ ରାସ୍ତା ଉପରେ ପଡ଼ିଥିଲେ। ଆହତ ଯୁବକଙ୍କୁ ଦେଖି ଜିଲ୍ଲାପାଳ ଓ ଏସପି ବିଳମ୍ବ ନକରି ତାଙ୍କୁ ନିଜ ଗାଡ଼ିରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ଅନ୍ୟପଟେ, ଦୁର୍ଘଟଣା ଘଟାଇଥିବା ପିକ୍ଅପ୍ ଗାଡ଼ିକୁ ପୋଲିସ ଜବତ କରିଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇବା ଦିଗରେ ଜିଲ୍ଲାପାଳ ଓ ଏସପିଙ୍କ ଏହି ତତ୍ପରତାକୁ ସାଧାରଣରେ ପ୍ରଶଂସା କରାଯାଉଛି। ପ୍ରଶାସନିକ ଦାୟିତ୍ୱ ସହ ମାନବିକତାର ପରିଚୟ ଦେଇଥିବା ଏହି ଘଟଣା ଅନ୍ୟମାନଙ୍କ ପାଇଁ ମଧ୍ୟ ଏକ ଉଦାହରଣ ପାଲଟିଛି।
