ବ୍ରାଉନ ସୁଗାର କାରବାରରେ ପୋଲିସର ବଡ଼ ଚଢ଼ାଉ, ୩ ଗିରଫ
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ବ୍ରାଉନସୁଗାର କାରବାରରେ ପୋଲିସ ଚଢ଼ାଉ,୩ ଗିରଫ । ୧୩.୬୭ ଗ୍ରାମ ବ୍ରାଉନ ସୁଗାର ଜବତ । ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ ।
ଛେଣ୍ଡିପଦା: ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଞ୍ଚଳରେ ବ୍ରାଉନସୁଗାର କାରବାରରେ ପୋଲିସ ଚଢ଼ାଉ,୩ ଗିରଫ । ୧୩.୬୭ ଗ୍ରାମ ବ୍ରାଉନ ସୁଗାର ଜବତ । ଘଟଣାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ଛେଣ୍ଡିପଦା ଥାନାର ଅତିରିକ୍ତ ଥାନା ଅଧିକାରୀ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଶୂନଭୂଇଁ ଅଞ୍ଚଳରେ ଚଢ଼ାଉ କରିଥିଲେ। ତେଣ୍ଟୁଲୋଇରୁ ଛେଣ୍ଡିପଦା ଅଭିମୁଖେ ଏକ ମୋଟର ସାଇକେଲରେ ବ୍ରାଉନସୁଗାର ନେଇ ଆସୁଥିବା ବେଳେ ପୋଲିସ ଦୁଇ ଯୁବକ ଶାସ୍ୱତ ଦେହୁରୀ ଓ ସବ୍ୟସାଚୀ ପରିଡାଙ୍କୁ ଅଟକ ରଖି ତଲାସି କରିଥିଲା। ତଲାସି ବେଳେ ସେମାନଙ୍କ ନିକଟରୁ ଏକ ପ୍ୟାକେଟ ବ୍ରାଉନସୁଗାର ଜବତ ହୋଇଥିଲା। ପରବର୍ତ୍ତୀ ପଚରାଉଚରା ସମୟରେ ସେମାନେ ଏହି ବ୍ରାଉନ ସୁଗାର ଛେଣ୍ଡିପଦାର ଲକ୍ଷ୍ମୀଧର ବାରିକଙ୍କ ଠାରୁ ଆଣିଥିବା ସ୍ୱୀକାର କରିଥିଲେ। ସେମାନଙ୍କ ବୟାନ ଆଧାରରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇ ଲକ୍ଷ୍ମୀଧର ବାରିକଙ୍କୁ ମଧ୍ୟ ଗିରଫ କରିଥିଲା। ଏନେଇ ଛେଣ୍ଡିପଦା ଥାନାରେ କେସ ନମ୍ବର ୨୮୪/୨୬ ଅନୁଯାୟୀ ମାମଲା ରୁଜୁ ହୋଇଛି। ଜବତ ବ୍ରାଉନସୁଗାରକୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଥିବା ବେଳେ ଏହାର ପରିମାଣ ୧୩.୬୭ ଗ୍ରାମ ବୋଲି ଜଣାପଡ଼ିଛି। ପୋଲିସ ତିନି ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରିଥିବା ବେଳେ ଏହି ବ୍ରାଉନସୁଗାର କାରବାରରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ଅଧିକ ଖୋଳତାଡ଼ ଜାରି ରଖିଛି।
