ମହୁଆ ମୈତ୍ରଙ୍କ ଘରକୁ ଅଣ୍ଡାମାଡ଼
ନଦିଆ ଘଟଣାକୁ ନେଇ ମହୁଆ ମୈତ୍ରଙ୍କ କ୍ଷୋଭ, କହିଲେ– ଆଇନଶୃଙ୍ଖଳା ଭୁଶୁଡ଼ି ପଡ଼ିଛି, ଅଣ୍ଡା ଫିଙ୍ଗା ଘଟଣା ପରେ ଆଇନି ଲଢ଼େଇର ଚେତାବନୀ ଦେଲେ ମହୁଆ ମୈତ୍ର।
କୋଲକାତା: ତୃଣମୂଳ କଂଗ୍ରେସ (TMC) ବିଧାନସଭା ନିର୍ବାଚନରେ ପରାଜିତ ହେବା ପରେ, ଦଳର ନେତାମାନଙ୍କ ଉପରେ ଅଣ୍ଡା ଫିଙ୍ଗିବା ଘଟଣା ସାଧାରଣ ହୋଇପଡ଼ିଛି। ଏନେଇ ଅଭିଯୋଗ ଆଣିଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର । ସେ ଅଭିଯୋଗ କରିଛନ୍ତି ଯେ, ବୁଧଵାର ପଶ୍ଚିମବଙ୍ଗର ନଦିଆ ଜିଲ୍ଲାରେ ଦଳୀୟ ବିଧାୟିକା ଆଲିଫା ଆହମେଦଙ୍କ ବାସଭବନ ବାହାରେ ହୋଇଥିବା ବିକ୍ଷୋଭ ସମୟରେ ବିଜେପି କର୍ମୀମାନେ ତାଙ୍କ ଉପରକୁ ଅଣ୍ଡା ଫିଙ୍ଗିବା ସହ ତାଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ଏନେଇ ସୋସିଆଲ ମିଡିଆ ଫେସବୁକ୍ ଲାଇଭ୍ ରେ ଟିଏମସି ନେତ୍ରୀ ମହୁଆ ମୈତ୍ର ଅଭିଯୋଗ କରିଥିଲେ ଯେ, କୃଷ୍ଣନଗରର ଏକ ଭୋଜନାଳୟରେ ସେ ଦଳୀୟ କର୍ମୀମାନଙ୍କ ସହ ବୈଠକ କରୁଥିବା ବେଳେ "ବିଜେପିର କର୍ମୀମାନେ" ସେଠାକୁ ଅଣ୍ଡା ଓ ବାଇଗଣ ଫିଙ୍ଗିଥିଲେ। ସୂଚନା ଅନୁସାରେ, ବୁଧବାର ଏକ ଦଳ ବିରୋଧକାରୀ ପାର୍ଟି କାର୍ଯ୍ୟାଳୟ ବାହାରେ ଏକତ୍ରିତ ହୋଇ କଳା ପତାକା ଦେଖାଇଥିଲେ ଏବଂ "ଗୋ ବ୍ୟାକ୍" ସ୍ଲୋଗାନ ଦେଇଥିଲେ। ଭିଡିଓରେ ଦେଖାଯାଇଥିଲା ଯେ, ସେମାନେ କାର୍ଯ୍ୟାଳୟକୁ ଲକ୍ଷ୍ୟ କରି ଅଣ୍ଡା ଓ ବାଇଗଣ ଫିଙ୍ଗୁଥିଲେ। ଉପର ମହଲାରୁ ଫେସବୁକ୍ ଲାଇଭ୍ କରି ମହୁଆ ମୋଇତ୍ରା କହିଥିଲେ, "ଏହା ହେଉଛି ରାଜ୍ୟର ଆଇନ-ଶୃଙ୍ଖଳା ପରିସ୍ଥିତି। ଏମାନେ ସାଧାରଣ ଲୋକ ନୁହଁନ୍ତି, ବିଜେପିର ଗୁଣ୍ଡା।" ଭିଡିଓରେ ସେ ପରଦା ଧରି ନିଜକୁ ସୁରକ୍ଷା କରୁଥିବା ଦେଖାଯାଇଥିଲା, ଯେତେବେଳେ ବାହାରୁ ଲଗାତାର ଅଣ୍ଡା ଓ ବାଇଗଣ ଫିଙ୍ଗାଯାଉଥିଲା। ଏହା ସହ ସେ ଆହୁରି କହିଥିଲେ, "ମୁଁ ଡିଜିପି ଓ ଅନ୍ୟ ଅଧିକାରୀଙ୍କୁ ଫୋନ୍ କରିଛି, କିନ୍ତୁ ପୋଲିସ କେବଳ ଦେଖି ରହିଛି। ମୁଁ ଚାହୁଁଛି ସମଗ୍ର ଦେଶ ଏହା ଦେଖୁ। ଆହୁରି ମଧ୍ଯ କହିଥିଲେ ଯେ, "ଏହା ମୋର ଅଞ୍ଚଳ। ମୁଁ ଏଠାକାର ସାଂସଦ। ମୁଁ ଏଠାରୁ ଯିବି ନାହିଁ। ସମଗ୍ର ପଶ୍ଚିମବଙ୍ଗ ଏହି ଗୁଣ୍ଡାଗିରି ଦେଖୁ," ବୋଲି ସେ କହିଥିଲେ। ପରେ ସେ ସୋସିଆଲ ମିଡିଆ 'ଏକ୍ସ'ରେ ଆଉ ଏକ ଭିଡିଓ ପୋଷ୍ଟ କରି ପଶ୍ଚିମବଙ୍ଗ ପୋଲିସ ମୁଖ୍ୟଙ୍କୁ ଟ୍ୟାଗ୍ କରି ଲେଖିଥିଲେ, "ଗତ ଦୁଇ ଘଣ୍ଟା ଧରି ପୋଲିସ କେବଳ ଦେଖୁଛି, କିନ୍ତୁ ଭିଡ଼କୁ ହଟାଉନାହିଁ। ସେମାନେ ଚାହୁଁଛନ୍ତି ଯେ ମୁଁ ବାହାରିବି ଏବଂ ସେତେବେଳେ ମୋ ଉପରେ ଅଣ୍ଡା କିମ୍ବା ପଥର ଫିଙ୍ଗିବେ। ସୂଚନା ଅନୁଯାଯୀ, ଏହାପୂର୍ବରୁ, ଜୁନ୍ ୧୩ରେ ମଧ୍ୟ ମହୁଆ ମୋଇତ୍ରା ଏପରି ଏକ ଘଟଣାରୁ ରକ୍ଷା ପାଇଥିଲେ। ସେ ଅଭିଯୋଗ କରିଥିଲେ ଯେ, କୃଷ୍ଣନଗର କୋର୍ଟ ବାହାରେ ବିଜେପି ମହିଳା ମୋର୍ଚ୍ଚା କର୍ମୀମାନେ ଅଣ୍ଡା ଓ ଟମାଟୋ ନେଇ ଅପେକ୍ଷା କରୁଥିଲେ। କିନ୍ତୁ ସେ ସେହିଦିନ କୋର୍ଟକୁ ଯାଇନଥିଲେ।
