Mahanga Tragedy:କଇଁ ଫୁଲ ତୋଳିବାକୁ ଯାଇ ପୋଖରୀରେ ବୁଡ଼ି ୩ ମୃତ
କଇଁ ଫୁଲ ତୋଳିବାକୁ ଘର ପାଖ ପୋଖରୀକୁ ଯାଇଥିଲେ ତିନି କୁନି ଶିଶୁ। ହେଲେ ଆଉ ଘରକୁ ଫେରିଲେ ନାହିଁ। ହସଖୁସିରେ ଖେଳିବା ବୟସରେ ଅକାଳରେ ଝଡ଼ିପଡ଼ିଲା ତିନି ତିନୋଟି ନିଷ୍ପାପ ଶିଶୁଙ୍କ ଜୀବନ। ଗୋଟିଏ ଦିନରେ ଉଜୁଡ଼ିଗଲା ଦୁଇଟି ପରିବାରର ଖୁସି।
କଟକ:କଇଁ ଫୁଲ ତୋଳିବାକୁ ଯାଇ ଅକାଳରେ ଚାଲିଗଲା ତିନି କୁନି ଶିଶୁଙ୍କ ଜୀବନ। ପୋଖରୀର ଗଭୀର ଜଳରେ ବୁଡ଼ି ୩, ୪ ଓ ୫ ବର୍ଷର ତିନି ଶିଶୁଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଭଦ୍ରେଶ୍ୱର ପଞ୍ଚାୟତ ଅନ୍ତର୍ଗତ ଝାଡେଶ୍ୱରପୁର ଗାଁରେ ଘଟିଛି ଏହି ଦୁଃଖଦ ଘଟଣା। ତିନି ଶିଶୁଙ୍କ ମୃତ୍ୟୁ ପରେ ସମଗ୍ର ଗାଁରେ ଖେଳିଯାଇଛି ଶୋକର ଛାୟା।ସୂଚନା ଅନୁଯାୟୀ, ଗାଁର ଇମ୍ରାନ ଖାଁଙ୍କ ଦୁଇ ପୁଅ ଏବଂ ଅନୱାର ଖାଁଙ୍କ ମଝିଆ ପୁଅ ଘର ନିକଟରେ ଥିବା ଏକ ପୋଖରୀକୁ କଇଁ ଫୁଲ ତୋଳିବାକୁ ଯାଇଥିଲେ। ତେବେ ପୋଖରୀର ଗଭୀର ପାଣିରେ ବୁଡ଼ିଯିବାରୁ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ଶିଶୁମାନେ ହେଲେ ଇମ୍ରାନ ଖାଁଙ୍କ ୩ ବର୍ଷର ପୁଅ ଜିସାନ ଖାଁ, ୫ ବର୍ଷର ପୁଅ ସଲମାନ ଖାଁ ଏବଂ ଅନୱାର ଖାଁଙ୍କ ୪ ବର୍ଷର ପୁଅ ଅରହମ ଖାଁ। ଘଟଣା ସମ୍ପର୍କରେ ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚିଥିଲା। ତେବେ ଏହା ପୂର୍ବରୁ ଗ୍ରାମବାସୀ ତିନି ଶିଶୁଙ୍କୁ ପୋଖରୀରୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡିକାଲ ନେଇଯାଇଥିଲେ। ମାତ୍ର ଡାକ୍ତର ପରୀକ୍ଷା ପରେ ତିନି ଶିଶୁଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଦୁଇ ପରିବାରରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ଯେଉଁ ଘରେ କୁନି ପିଲାଙ୍କ ହସରେ ଦିନ ଆରମ୍ଭ ହେଉଥିଲା, ସେଠାରେ ଏବେ କେବଳ କାନ୍ଦବୋବାଳି ଶୁଣିବାକୁ ମିଳୁଛି। ତିନି ନିଷ୍ପାପ ଶିଶୁଙ୍କ ଅକାଳ ବିୟୋଗରେ ଝାଡେଶ୍ୱରପୁର ଗାଁ ସ୍ତବ୍ଧ ହୋଇପଡ଼ିଛି।
