Horror in Ganjam : ଗୋଟିଏ ଭୂସ୍ଖଳନ, ଛାରଖାର ହୋଇଗଲା ଜୀବନ! ଗିଡ଼ିପାବାଲିରେ ହୃଦୟଥରା ଦୃଶ୍ୟ
ଦୁର୍ଗମ ଜଙ୍ଗଲ ଓ ପାହାଡ଼ ଭିତରେ ଚାଲିଛି ମୃତ୍ୟୁ ସହ ସଂଘର୍ଷ... କ'ଣ ମାଟି ତଳୁ ମିଳିବ କାହାର ସନ୍ଧାନ?

ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ବ୍ଲକ ଅନ୍ତର୍ଗତ ଗିଡ଼ିପାବାଲି ଗାଁରେ ଭୟାବହ ଭୂସ୍ଖଳନକୁ ନେଇ ଆତଙ୍କ। ଏହି ଅଞ୍ଚଳରେ ବସବାସ କରୁଥିବା ୯ଟି ଆଦିବାସୀ ପରିବାରର ପ୍ରାୟ ୨୭ ଜଣ ପାହାଡ଼ିଆ ଅଞ୍ଚଳରେ ରହୁଥିବା ବେଳେ ଗତ ୨୮ ତାରିଖରେ ଘଟିଥିବା ଭୂସ୍ଖଳନରେ ପ୍ରାୟ ୧୩ ଜଣ ମାଟି ତଳେ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି। ଏହି ଘଟଣାରେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ଅନ୍ୟ ନିଖୋଜଙ୍କ ସନ୍ଧାନ ଜାରି ରହିଛି। ଗଞ୍ଜାମ ଓ କନ୍ଧମାଳ ଜିଲ୍ଲା ପକ୍ଷରୁ ଓଡ୍ରାଫ୍ ଏବଂ ଏସ୍ଓଜି ଯବାନଙ୍କ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ତେବେ ଗାଁକୁ ପହଞ୍ଚିବା ପାଇଁ ଏକ ଜଙ୍ଗଲୀ ନାଳ ପାର ହେବାକୁ ପଡ଼ୁଥିବା ବେଳେ ପାହାଡ଼ିଆ ଓ ଦୁର୍ଗମ ରାସ୍ତା ଉଦ୍ଧାର କାର୍ଯ୍ୟରେ ବଡ଼ ବାଧକ ସାଜିଛି। ନିଖୋଜ ଲୋକଙ୍କୁ ମାଟି ତଳୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀ ଦଳ ଅକ୍ଳାନ୍ତ ପରିଶ୍ରମ ଜାରି ରଖିଛନ୍ତି। ଏହି ଦୁଃଖଦ ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ନିଖୋଜଙ୍କ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟର ପରବର୍ତ୍ତୀ ସୂଚନାକୁ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ।
ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ପ୍ରାୟ ୬ କିଲୋମିଟର ପାହାଡ଼ିଆ ରାସ୍ତା ଅତିକ୍ରମ କରି ସେ ଗାଁରେ ପହଞ୍ଚିଥିଲେ। ରାସ୍ତା ନଷ୍ଟ ହୋଇଯିବା ସହ ନଦୀ ପାର ହେବାରେ ସମସ୍ୟା ଯୋଗୁଁ ଏହି ଦୁର୍ଗମ ଅଞ୍ଚଳକୁ ଯାତାୟାତ କରିବା ଏବେ ଅତ୍ୟନ୍ତ କଷ୍ଟକର ହୋଇପଡ଼ିଛି। ଉଦ୍ଧାର କାର୍ଯ୍ୟରେ ଥିବା ସମସ୍ୟା ସମ୍ପର୍କରେ ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି, “ଗାଁରେ ପହଞ୍ଚିବା ଅତ୍ୟନ୍ତ କଷ୍ଟକର। ରାସ୍ତା ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହୋଇଯାଇଛି। ଏବେ ଯଦି ବର୍ଷା ହୁଏ, ତେବେ ଆମେ ମଧ୍ୟ ଏଠାରୁ ବାହାରି ପାରିବୁ ନାହିଁ। ଲୋକମାନେ ଅତ୍ୟନ୍ତ ଦୁର୍ଦ୍ଦଶାରେ ଅଛନ୍ତି।”
ଅନ୍ୟପଟେ, ମାଟି ଓ ଭଙ୍ଗା ପଥର ତଳେ ଫସି ରହିଥିବା ନିଖୋଜଙ୍କୁ ଠାବ କରିବା ପାଇଁ ଏନ୍ଡିଆର୍ଏଫ୍ ଟିମ୍ ରାଡାର୍ ପ୍ରଯୁକ୍ତିର ସହାୟତା ନେଉଛି। ଏଥିସହ ସନ୍ଧାନୀ କୁକୁରଙ୍କୁ ମଧ୍ୟ ନିୟୋଜିତ କରାଯାଇଥିଲା। କିନ୍ତୁ ନିଖୋଜ ବ୍ୟକ୍ତିଙ୍କ ସନ୍ଧାନ ମିଳିପାରିନାହିଁ। ଫଳରେ ଉଦ୍ଧାରକାରୀ ଦଳର ଚିନ୍ତା ବଢ଼ିଛି।
