ମହାନଦୀ ଜଳ ବିବାଦ- ସମାଧାନ ବା ସଲାସୁତୁରା?
ଉଭୟ ରାଜ୍ୟ ଭିତରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ୍ୟ ମାଧ୍ୟମରେ ମହାନଦୀ ଜଳସମସ୍ୟାର ସ୍ଥାୟୀ, ଆପୋଷ ଓ ସନ୍ତୋଷଜନକ ସମାଧାନ ବାହାର କରିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ସରକାର। ବିଜେଡି ମୁଖ୍ୟମନ୍ତ୍ରୀଙ୍କଠୁ ୧୦ଟି ପ୍ରଶ୍ନର ଉତ୍ତର ମାଗିଛି। ମୋହନ ସରକାର ଛତିଶଗଡ଼ ପାଖରେ ଆତ୍ମସମର୍ପଣ କରିନାହାନ୍ତି ତ। ଟ୍ରିପଲ ଇଞ୍ଜିନ ସରକାରରେ ମହାନଦୀର ସ୍ୱାର୍ଥ ସୁରକ୍ଷା କୁଆଡ଼େ ଗଲା।

ମହାନଦୀ ଜଳବିବାଦର ଖୁବଶୀଘ୍ର ସମାଧାନ ବୋଲି ଦିଲ୍ଲୀରୁ ଫେରି କହିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର.ପାଟିଲଙ୍କ ଅଧ୍ୟକ୍ଷତାରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ଉପସ୍ଥିତିରେ ମହାନଦୀ ଜଳବଣ୍ଟନ ଓ ପରିଚାଳନା ସମ୍ପର୍କିତ ବୈଠକ ଜୁଲାଇ ୩୦ରେ ହୋଇଥିଲା। ଏହି ବୈଠକରେ ଓଡିଶାର ଅଧିକାର, ଚାଷୀକୂଳଙ୍କ ଭବିଷ୍ୟତ ଓ ରାଜ୍ୟର ଜଳସମ୍ପଦର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଓଡ଼ିଶା ନିଜର ପକ୍ଷ ଦୃଢ଼ଭାବେ ଉପସ୍ଥାପନ କରାଯାଇଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଉଭୟ ରାଜ୍ୟ ଭିତରେ ଗଠନମୂଳକ ଆଲୋଚନା, ପାରସ୍ପରିକ ସହଯୋଗ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଭିମୁଖ୍ୟ ମାଧ୍ୟମରେ ମହାନଦୀ ଜଳସମସ୍ୟାର ସ୍ଥାୟୀ, ଆପୋଷ ଓ ସନ୍ତୋଷଜନକ ସମାଧାନ ବାହାର କରିବାକୁ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ସରକାର। କେନ୍ଦ୍ରୀୟ ଜଳକମିଶନ ଅଧ୍ୟକ୍ଷଙ୍କ ଅଧିନରେ ଗଠିତ କମିଟି ୩ ମାସ ଭିତରେ ମହାନଦୀ ଟ୍ରିବ୍ୟୁନାଲକୁ ଏହାର ରିପୋର୍ଟ ପ୍ରଦାନ କରିବ। ସେପଟେ ସରକାରଙ୍କୁ ଏ ନେଇ ୧୦ଟି ପ୍ରଶ୍ନ ପଚାରିଛି ବିଜେଡି। ବିଜେଡି ବିଧାୟକ ଅରୁଣ ସାହୁ ଓ ବରିଷ୍ଠ ଉପସଭାପତି ଦେବୀ ମିଶ୍ର ପ୍ରେସମିଟ୍ କରି ମୁଖ୍ୟମନ୍ତ୍ରୀଙ୍କଠୁ ୧୦ଟି ପ୍ରଶ୍ନର ଉତ୍ତର ମାଗିଛନ୍ତି। ମୋହନ ସରକାର ଛତିଶଗଡ଼ ପାଖରେ ଆତ୍ମସମର୍ପଣ କରିନାହାନ୍ତି ତ। ଟ୍ରିପଲ ଇଞ୍ଜିନ ସରକାରରେ ମହାନଦୀର ସ୍ୱାର୍ଥ ସୁରକ୍ଷା କୁଆଡ଼େ ଗଲା। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ବୈଠକରେ କଅଣ ଆଲୋଚନା କଲେ, ତାକୁ ସାର୍ବଜନୀନ କରିବାରେ ଅସୁବିଧା କଅଣ। ଅଣମୌସୁମୀ ସମୟରେ କଲମା ଗେଟ୍ ବନ୍ଦ କରି ଓଡ଼ିଶାକୁ ଶୁଖେଇଦେଉଛି। ଆଉ ମୌସୁମୀରେ କଲମାର ଗେଟ୍ ଖୋଲିଦେଉଛି ଛତିଶଗଡ଼। ଫଳରେ ଆଜି ବନ୍ୟା ସ୍ଥିତି। ଛତିଶଗଡ଼ ବେଆଇନ ଭାବରେ ଯେଉଁ ବ୍ୟାରେଜ୍,ଡ୍ୟାମ୍, ଆନିକଟ କରୁଛି, ତାକୁ ବିରୋଧ କଲେ ନା ସେସବୁକୁ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ପଚାରିଛନ୍ତି ଅରୁଣ ସାହୁ। ଗ୍ରୀଷ୍ମ ଋତୁରେ ୧.୬୪ ନିୟୁତ ଏକର ଫୁଟ ପାଣି ଓଡ଼ିଶାକୁ ଆବଶ୍ୟକ। ତାକୁ ସୁନିଶ୍ଚିତ କରାଯାଇଛି ତ। ବନ୍ୟା ସମୟରେ ହୀରାକୁଦ ଜଳଭଣ୍ଡାର ଓ ତଳ ମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ପାଇଁ ଜଳପରିଚାଳନା ଲାଗି ଛତିଶଗଡ଼ ସହଯୋଗ କରୁନି। ସର୍ବୋପରି ଓଡ଼ିଶାର ସ୍ୱାର୍ଥ ସହ କୌଣସି ବୁଝାମଣା ହୋଇନି ବୋଲି ସରକାର ସ୍ପଷ୍ଟ ଘୋଷଣା କରନ୍ତୁ।
