Madras HC on CM Vijay Case:ସମ୍ପତ୍ତି ତଥ୍ୟ ଲୁଚେଇଛନ୍ତି କି ମୁଖ୍ୟମନ୍ତ୍ରୀ ବିଜୟ?
ତାମିଲନାଡୁ ରାଜନୀତିରେ ପୁଣି ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ ବିଜୟ। ପେରାମ୍ବୁର ଆସନରୁ ତାଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ହୋଇଥିବା ନିର୍ବାଚନୀ ମାମଲାକୁ ଖାରଜ କରିବାକୁ ମନା କରିଛନ୍ତି ମାଡ୍ରାସ ହାଇକୋର୍ଟ। ଏବେ ମାମଲାର ଶୁଣାଣି ଆଗକୁ ବଢ଼ିବ।

ଚେନ୍ନାଇ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ତାମିଲଗା ଭେଟ୍ରି କାଝାଗମ୍ (TVK) ମୁଖ୍ୟ ସି. ଜୋସେଫ ବିଜୟଙ୍କୁ ମାଡ୍ରାସ ହାଇକୋର୍ଟରୁ ଝଟକା। ପେରାମ୍ବୁର ବିଧାନସଭା ଆସନରୁ ତାଙ୍କ ବିଜୟକୁ ଚ୍ୟାଲେଞ୍ଜ କରି ଦାୟର ହୋଇଥିବା ନିର୍ବାଚନୀ ମାମଲାକୁ ଖାରଜ କରିବାକୁ ମନା କରିଛନ୍ତି ହାଇକୋର୍ଟ। ଏହାସହ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ରାସ୍ତା ଖୋଲିଛି। ବିଚାରପତି ଭି. ଲକ୍ଷ୍ମୀନାରାୟଣନ ଏହି ରାୟ ଦେଇଛନ୍ତି। ଘଟଣା ଅନୁଯାୟୀ, ପେରାମ୍ବୁରର ଭୋଟର ଏସ୍. ଦିନେଶ ବିଜୟଙ୍କ ନିର୍ବାଚନୀ ସତ୍ୟପାଠରେ ସମ୍ପତ୍ତି ଓ ଆୟ ସମ୍ପର୍କିତ ତଥ୍ୟ ଲୁଚାଯାଇଥିବା ଅଭିଯୋଗ କରି ହାଇକୋର୍ଟରେ ନିର୍ବାଚନୀ ମାମଲା ଦାୟର କରିଥିଲେ। ଅଭିଯୋଗ ଅନୁସାରେ, ୨୦୨୬ ଜାନୁଆରୀରେ ପାନରୁଟିରେ ୩୦ କୋଟି ଟଙ୍କାରେ ତିନି ଏକର ଜମି କିଣିବା ଏବଂ ଫେବ୍ରୁଆରୀରେ ପାଡିରେ ୩୫ କୋଟି ଟଙ୍କାର ବାଣିଜ୍ୟିକ ସମ୍ପତ୍ତି ବିକ୍ରି ସମ୍ପର୍କିତ ତଥ୍ୟ ସଠିକ୍ ଭାବେ ଦର୍ଶାଯାଇନାହିଁ। ଏପରିକି କୋଡାଇକାନାଲରେ ଥିବା ୫୦ ସେଣ୍ଟ ଜମିର ମାଲିକାନାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ ଆବେଦନକାରୀ। ଅନ୍ୟପଟେ ଏହି ମାମଲାକୁ ପ୍ରାରମ୍ଭିକ ସ୍ତରରୁ ଖାରଜ କରିବାକୁ ବିଜୟଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ତାଙ୍କ ଓକିଲଙ୍କ ଯୁକ୍ତି ଥିଲା, ବିଜୟ ନିଜ ସତ୍ୟପାଠରେ ୬୦୦ କୋଟିରୁ ଅଧିକ ସମ୍ପତ୍ତି ଦର୍ଶାଇଥିବା ବେଳେ କିଛି ସମ୍ପତ୍ତିର ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ନିର୍ବାଚନ ଫଳାଫଳକୁ କିପରି ପ୍ରଭାବିତ କରିଛି, ତାହା ସ୍ପଷ୍ଟ ନୁହେଁ। ତେବେ ହାଇକୋର୍ଟ କହିଛନ୍ତି, ସମ୍ପତ୍ତି ଓ ଆୟ ସମ୍ପର୍କିତ ତଥ୍ୟ ଲୁଚାଇବା ଅଭିଯୋଗର ସତ୍ୟତା ବିଚାର ପ୍ରକ୍ରିୟାରେ ହିଁ ଯାଞ୍ଚ ହୋଇପାରିବ। ତେଣୁ ଏହି ପର୍ଯ୍ୟାୟରେ ମାମଲାକୁ ଖାରଜ କରାଯାଇପାରିବ ନାହିଁ। ଉଲ୍ଲେଖଯୋଗ୍ୟ, ୨୦୨୬ ନିର୍ବାଚନରେ ପେରାମ୍ବୁର ଆସନରୁ ୧ ଲକ୍ଷ ୨୦ ହଜାର ୩୬୫ ଭୋଟ୍ ପାଇ ଡିଏମକେ ପ୍ରାର୍ଥୀ ଆର୍.ଡି. ଶେଖରଙ୍କୁ ୫୩ ହଜାର ୭୧୫ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ ବିଜୟ। ତେବେ ହାଇକୋର୍ଟଙ୍କ ଏହି ରାୟ ପରେ ତାଙ୍କ ବିଜୟକୁ ନେଇ ଆଇନଗତ ଲଢ଼େଇ ଆଗକୁ ଜାରି ରହିବ। ଏହା କେବଳ ମାମଲା ଖାରଜ ଆବେଦନ ଉପରେ ରାୟ, ନିର୍ବାଚନ ଫଳାଫଳ ବାତିଲ ନେଇ ଏଯାଏଁ କୌଣସି ନିଷ୍ପତ୍ତି ହୋଇନାହିଁ।
